ରାଜ୍ୟରେ ଆରମ୍ଭ ହେବ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ…
17/03/2020 at 7:38 PM

ଭୁବନେଶ୍ବର୧୭/୩: ରାଜ୍ୟରେ ମୋଟ ୩୨ ଜଣ ସନ୍ଦିଗ୍ଧଙ୍କ ନମୂନା ପରୀକ୍ଷାରୁ ଜଣଙ୍କୁ ଛାଡି ୩୧ ଜଣଙ୍କ ନମୂନା ନେଗେଟିଭ ଆସିଛି । ସେହିପରି ୧୨୩୯ ଜଣ ବିଦେଶରୁ ଓଡିଶା ଆସିଥିବା ବ୍ୟକ୍ତି ସରକାରୀ ପୋର୍ଟାଲାରେ ସେମାନଙ୍କ ନାଁ ରେଜିଷ୍ଟେସନ କରାଇଛନ୍ତି । ସେପଟେ କରୋନା ନେଇ ଅଧିକ ସଚେତନ କରିବାକୁ କାଲିଠାରୁ ରାଜ୍ୟର ସବୁ ପଞ୍ଚାୟତ ସ୍ତରଠୁ ଜିଲ୍ଲା ସ୍ତର ଯାଏଁ ସଚେତନତା କାର୍ଯ୍ୟକ୍ରମ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ବିଦେଶରୁ ଆସିଥିବା ଗଜପତି ଦିବ୍ୟସିଂହଦେବ ହୋମ ଆଇସୋଲେସନରେ ଅଛନ୍ତି।

ହୋମ ଆଇସୋଲେସନରେ ଗଜପତି ଦିବ୍ୟସିଂହ ଦେବ। ବିଦେଶରୁ ଫେରିବା ପରେ ଗଜପତି ମହାରାଜ ଏବଂ ତାଙ୍କ ପୂରା ପରିବାର ନିଜ ଘରେ ଆଇସୋଲେସନରେ ଅଛନ୍ତି। ଏନେଇ ନିଜେ ଗଜପତି ପ୍ରେସ ବାର୍ତ୍ତା ମାଧ୍ୟମରେ ସୂଚନା ଦେଇଛନ୍ତି । ଗତ ୧୫ ତାରିଖରେ ସେ ଆମେରିକାରୁ ଫେରିଥିବା ବେଳେ ସରକାରଙ୍କ ଗାଇଡଲାଇନକୁ ମାନି ସେ ପଞ୍ଜିକରଣ କରିଛନ୍ତି।

କେବଳ ଗଜପତି କାହିଁକି ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଭିନିଲ କ୍ରିଷ୍ଣା ବିଦେଶରୁ ଫେରି ହୋମ ଆଇସୋଲେସନରେ ଅଛନ୍ତି। ଏକ ଭିଡିଓ ପୋଷ୍ଟ କରି ସେ ଏହା ଜଣାଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୨୩୯ ଜଣ ବିଦେଶରୁ ଫେରି ପଞ୍ଜିକରଣ କରିଛନ୍ତି । ସେପଟେ ରାଜ୍ୟରେ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ହୋମ ଆଇସୋଲେସନ କରାଯାଇଛି।

ଜଣେରୁ ଦୁଇଜଣ, ଦୁଇରୁ ଚାରି ଏମିତି କରୋନା ବ୍ୟାପିବା ଆଶଙ୍କା ରହିଛି। ଆଉ ଏବେ ଯେଉଁ ଅଭିଯାନ ଆରମ୍ଭ ହୋଇଛି ୬ ମାସ ପର୍ଯ୍ୟନ୍ତ ଚାଲିବ। କିନ୍ତୁ ସାମାଜିକ ଦୂରତା ଦ୍ବାରା ରୋଗ ସଂକ୍ରମଣ ହାର ବହୁମାତ୍ରାରେ କମୁଛି। ଗ୍ରାଫ ମାଧ୍ୟମରେ ଏହା ବୁଝାଇଛନ୍ତି ରାଜ୍ୟ ସରକାରଙ୍କ କରୋନା କମିଟି ମୁଖପାତ୍ର ସୁବ୍ର ବାଗଚି। ଜଣେ ଲୋକ ଦିନକୁ ୨୬ଶହ ଥର ମୋବାଇଲ ଛୁଁଥିବା ବେଳେ ୭୬ ଥର ବ୍ୟବହାର କରୁଛନ୍ତି । ତେଣୁ ମୋବାଇଲ ସାନିଟାଇଜ କରିବା ଲାଗି ମଧ୍ୟ ସେ ପରାମର୍ଶ ଦେଇଛନ୍ତି।

ରାଜ୍ୟରେ ଲାଗିଥିବା କଟକଣା ମାର୍ଚ୍ଚ ୩୧ ତାରିରୁ ଏପ୍ରିଲ ୧୫ ଯାଏଁ ବଢ଼ାଯାଇଥିବା ମୁଖ୍ୟମନ୍ତ୍ରୀ ଟ୍ବିଟ କରିଥିଲେ। ସେପଟେ ସାମାଜିକ ଦୂରତା କେମିତି ରଖାଯିବ ସେନେଇ ଏସଓପି ଜାରି କରାଯାଇଛି। ସହରାଞ୍ଚଳ ସହିତ ପଞ୍ଚାୟତ ସ୍ତରରେ ଆସନ୍ତାକାଲିଠାରୁ ସଚେତନତା ଆରମ୍ଭ ହେବ। ୧୯ରେ ପଞ୍ଚାୟତ ସମିତି ଏବଂ ୨୦ରେ ଜିଲ୍ଲା ପରିଷଦ ସ୍ତରରେ ଲୋକଙ୍କୁ ସଚେତନ କରାଯିବ।
ବୟସ୍କ ଲୋକମାନଙ୍କ ପ୍ରତି ଏହି ରୋଗରେ ଅଧିକ ଭୟ ଥିବାରୁ ବୟସ୍କ ଲୋକଙ୍କ ଘରେ ପିଡିଏସ ପହଞ୍ଚାଇବା ବ୍ୟବସ୍ଥା କରାଯିବ। ପ୍ରତି ପଞ୍ଚାୟତରେ କ୍ବାରାଣ୍ଟାଇନ କେନ୍ଦ୍ର ପାଇଁ ଅର୍ଥ ମଞ୍ଜୁରୀ ହୋଇଛି। ସେହିପରି ଘରୋଇ ମେଡ଼ିକାଲରେ କୋଭିଡ 19 କର୍ଣ୍ଣର ଖୋଲାଯିବ।