ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ

Published By : Prameya-News7 Bureau | October 17, 2021 IST

ଭୁବନେଶ୍ୱର, ୧୭|୧୦:  ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ନେଇ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଓ୍ବାର୍ଡମେମ୍ବର, ସରପଞ୍ଚ ଏବଂ ସମିତି ସଭ୍ୟଙ୍କ ସଂରକ୍ଷଣ ନେଇ ଜିଲ୍ଲାପାଳଙ୍କ ପାଖରେ ପୁଳାପୁଳା ଆପତ୍ତି ଅଭିଯୋଗ ଦାଖଲ କରିଛନ୍ତି ଲୋକେ । ଏପଟେ ପଞ୍ଚାୟତ ନିର୍ବାଚନରେ ନିଜର ପତିଆରା ଜାହିର କରିବା ପାଇଁ ୩ ଦଳ ରଣନୀତି ଆରମ୍ଭ କରିଛନ୍ତି ।.

ପ୍ରକାଶ ପାଇଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ତାଲିକା । ୩୦ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦରୁ ୪ଟି ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ରହିଥିବାବେଳେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ରହିଛି। ଅନୁସୂଚିତ ଜନଜାତିଙ୍କ ପାଇଁ ୧୦ଟି ସିଟ, ଅନୂସୂଚିତ ଜାତିଙ୍କ ପାଇଁ ୪ଟି ସିଟ ରହିଥିବାବେଳେ ୧୨ ଟି ଅଣ ସଂରକ୍ଷିତ ରହିଛି । ଏହି ସଂରକ୍ଷଣ ନେଇ ସମସ୍ୟା ଥିଲେ ଚଳିତ ମାସର ୨୫ ତାରିଖ ଭିତରେ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରି ପାରିବେ।

ଏପଟେ ଓ୍ବାର୍ଡ ମେମ୍ବର, ସରପଞ୍ଚ ଏବଂ ସମିତି ସଭ୍ୟ ସଂରକ୍ଷଣକୁ ନେଇ ଆଜି ପୁଳାପୁଳା ଅଭିଯୋଗ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ପାଖରେ ଲୋକେ ଦାଖଲ କରିଛନ୍ତି । ବିଶେଷକରି ଓବିସି ସଂରକ୍ଷଣ ନେଇ ଆପତ୍ତି ଅଭିଯୋଗ କରିଛନ୍ତି ଅନେକ ଲୋକ । ଏହି ଅଭିଯୋଗର ଶୁଣାଣି ୨୧ ତାରିଖରେ କରାଯାଇ ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ଏପରିକି ୩ରୁ ୪ ଜିଲ୍ଲାରେ ଓବିସିଙ୍କ ସଂଖ୍ୟା କମ୍ ଥିବା ବେଳେ ସେଠି ଓବିସିଙ୍କ ପାଇଁ ସଂରକ୍ଷଣ ରହିଛି । ସେସବୁ ସ୍ଥାନରେ ଅଭିଯୋଗକୁ ବିଚାର କରି ସଂଶୋଧନ କରାଯିବ ।

ଏପଟେ ସଂରକ୍ଷଣ ଅଡୁଆ ତୁଟି ନଥିଲା ବେଳେ ତିନି ଦଳ ବିଜେଡି , ପିଜେପି ଓ କଂଗ୍ରସ କିନ୍ତୁ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ବିଜେଡି ପଞ୍ଚାୟତ ନିର୍ବାଚନ ପର୍ଯ୍ୟବେକ୍ଷକ ଏବଂ ସହ ପର୍ଯ୍ୟବେକ୍ଷକ ମାନଙ୍କୁ ଜିଲ୍ଲାକୁ ଯାଇ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୧୯ ଓ ୨୦ ରେ ପର୍ଯ୍ୟବେକ୍ଷକ ଏବଂ ସହ ପର୍ଯ୍ୟବେକ୍ଷକ ମାନଙ୍କ ବୈଠକ ଡାକିଛନ୍ତି। ଏପଟେ ବିଜେପି ପ୍ରାର୍ଥୀ ଚୟନ ପାଇଁ ଦୁଇଟି କମିଟି ଗଠନ କରିବାକୁ ନିର୍ଦ୍ଦେଶ ହୋଇଛି । ଓ୍ବାର୍ଡମେମ୍ବର ଏବଂ ସରପଞ ପ୍ରାର୍ଥୀ ଏବଂ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଚୟନ କରିବ ପଞ୍ଚାୟତ କମିଟି ଏବଂ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଚୟନ କରିବେ ମଣ୍ଡଳ କମିଟି । ୭ଟି ପଞ୍ଚାୟତକୁ ନେଇ ମଣ୍ଡଳ କମିଟି ଗଠନ ହୋଇଛି। ଏପଟେ କଂଗ୍ରେସ ବ୍ଲକରୁ ବ୍ଲକ ବୁଲି ବଡବଡ ବୈଠକ କରି ପଞ୍ଚାୟତ ନିର୍ବାଚନ ପାଇଁ ସଂଙ୍ଗଠନ ମଜବୁତ କରିବାକୁ ଯୋଜନା କରିଛି । ଉଭୟ ପ୍ରଭାରୀ ଏବଂ ପିସିସି ସଭାପତି ସାଙ୍ଗ ହୋଇ ବ୍ଲକ ଗସ୍ତ କରିବେ।

ପଞ୍ଚାୟତ ନିର୍ବାଚନ ପାଇଁ ଦଳୀୟ ସ୍ତରରେ ସଂଙ୍ଗଠନକୁ ତିନି ଦଳ ମଜବୁତ କରିବାକୁ ଯୋଜନା କରୁଥିବା ବେଳେ ଏବେ ଚୂଡାନ୍ତ ସଂରକ୍ଷଣ ତାଲିକା ଉପରେ ସମସ୍ତଙ୍କ ନଜର ରହିଛି। ଯଦି ଅପତ୍ତି ଅଭିଯୋଗର ସମାଧାନ ନହୁଏ ତେବେ ମାମଲା କୋର୍ଟ ନେବାକୁ ବିରୋଧୀ ଚେତାବନୀ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.