ମଙ୍ଗଳବାର ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା, ମିଳିବ ନିର୍ବାଚନୀ ଚିହ୍ନ

Published By : Prameya-News7 Bureau | January 25, 2022 IST

ଭୁବନେଶ୍ୱର, ୨୫|୦୧: ପଞ୍ଚାୟତ ଲଢେଇ ପାଇଁ ମଙ୍ଗଳବାର ପ୍ରକାଶ ପାଇବା ଚୂଡାନ୍ତ ତାଲିକା । ଅପରାହ୍ଣରେ ତାଲିକା ପ୍ରକାଶ ପାଇବ । ସେହିପରି ମଙ୍ଗଳବାର ମଧ୍ୟ ନାମାଙ୍କନ ପ୍ରତ୍ୟାହାରର ମଧ୍ୟ ଶେଷ ଦିନ । ନାମାଙ୍କନ ପ୍ରତ୍ୟାହାର ପରେ ଅପରାହ୍ଣ ୩ଟା ପରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ ।

ପ୍ରାର୍ଥୀଙ୍କ ନିର୍ବାଚନ ଚିହ୍ନ ବି ଆଜି ଜାରି କରାଯିବ । ବିଦ୍ରୋହୀଙ୍କୁ ମନେଇବାକୁ ଶେଷ ପ୍ରୟାସରେ ଲାଗିଛନ୍ତି ସବୁ ଦଳର ନେତା ଏବଂ କର୍ମୀ । ନାମାଙ୍କନ ପ୍ରତ୍ୟାହାର ପାଇଁ ଶେଷ ପର୍ଯ୍ୟାୟରେ ଥୋପ, କୋପ ସହ ଚାପ ଲଗାଇ ଦେଇଛନ୍ତି । କାହିଁକି ନା ବିଦ୍ରୋହୀ ପ୍ରାର୍ଥୀଙ୍କୁ ନବୁଝାଇଲେ ଆଗକୁ ସବୁ ଅଙ୍କ ଭୁଲ ହୋଇଯିବାର ଆଶଙ୍କା ରହିଛି। ବିଜେଡି ହେଉ କି ବିଜେପି କିମ୍ବା କଂଗ୍ରେସ, ସବୁ ଦଳ ପାଇଁ ଏବେ ଅଡ଼ୁଆ ହୋଇଛନ୍ତି ଅସନ୍ତୁଷ୍ଠ ଗୋଷ୍ଠୀ। ବୁଝେଇ ସୁଝେଇ କିଭଳି ଅସନ୍ତୁଷ୍ଟଙ୍କୁ ମନାଇହେବ ସେନେଇ ସବୁ ରାଜନୈତିକ ଦଳ ପ୍ରୟାସ ଚଳାଇଛନ୍ତି ।

ପ୍ରାର୍ଥୀପତ୍ର ଯାଞ୍ଚ ପରେ ଏବେ ମୋଟ ୨ ଲକ୍ଷ ୨୦ ହଜାର ୪୧୪ ଜଣ ପ୍ରାର୍ଥୀ ନିର୍ବାଚନରେ ଲଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ୱାର୍ଡମେମ୍ବର ପାଇଁ ୧ ଲକ୍ଷ ୫୬ ହଜାର ୭୫୩, ସରପଞ୍ଚ ପାଇଁ ୩୨ ହଜାର ୮୬୦, ସମିତି ସଭ୍ୟ ପାଇଁ ୨୭ ହଜାର ୩୪ ଓ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୩ହଜାର ୭୬୭ ଜଣ ପ୍ରାର୍ଥୀ ଯୋଗ୍ୟ ବିବେଚିତ ହୋଇଛନ୍ତି। ପ୍ରାର୍ଥିପତ୍ର ଦାଖଲ କରିଥିବା ୮ହଜାର ୬୪୮ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଯାଇଛି। ଏ ଭିତରେ ୱାର୍ଡମେମ୍ବର ପାଇଁ ନାମାଙ୍କନ ଦାଖଲ କରିଥିବା ୫୫୪୪ ଜଣ, ସରପଞ୍ଚ ପାଇଁ ୧୭୫୩ଜଣ, ପଞ୍ଚାୟତ ସମିତି ପାଇଁ ୧୧୧୯ ଜଣ ଓ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୨୩୨ ଜଣ ରହିଛନ୍ତି। ସେହିପରି ସୋମବାର ବିଭିନ୍ନ ସ୍ଥାନରେ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିଥିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.