ପାଲଘର ମୋବ୍ ଲିଞ୍ଚିଂ ମାମଲା : ଆଉ ୮୯ଜଣଙ୍କୁ ମିଳିଲା ଜାମିନ, ପିଲାଚୋର ଭାବି ୨ସାଧୁ ଓ ଡ୍ରାଇଭରଙ୍କୁ ପିଟିପିଟି କରିଥିଲେ ହତ୍ୟା

Published By : Prameya-News7 Bureau | January 16, 2021 IST

ଥାନେ ୧୬/୦୧ : ପାଲଘର ମୋବ୍ ଲିଞ୍ଚିଂ ମାମଲାରେ ଥାନେର ଏକ ଅଦାଲତ ମାମଲାରେ ଗିରଫ ହୋଇଥିବା ୮୯ ଜଣଙ୍କୁ ଜାମିନ ପ୍ରଦାନ କରିଛନ୍ତି । ୧୫ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ସମସ୍ତଙ୍କୁ ଜାମିନ ଦେଇଛନ୍ତି କୋର୍ଟ । ତେବେ କୋର୍ଟ କହିଛନ୍ତି ସମସ୍ତଙ୍କୁ ଏଥିପାଇଁ ଜାମିନ ଦିଆଯାଇଛି କି ଏମାନେ ସମସ୍ତେ ଘଟଣାସ୍ଥଳରେ କେବଳ ଉପସ୍ଥିତ ଥିଲେ । ଏମାନେ ସମସ୍ତେ ଘଟଣାରେ ସଂପୃକ୍ତ ନଥିଲେ ବୋଲି କୋର୍ଟ ରାୟରେ ପ୍ରକାଶ କରିଛନ୍ତି ।

ଗତ ବର୍ଷ ଡିସେମ୍ବର ୨୪ ରେ ମହାରାଷ୍ଟ୍ର କ୍ରାଇମ୍ ଇନଭେଷ୍ଟିଗେସନ୍‌ ଡିପାର୍ଟମେଣ୍ଟ (CID) ଅଧିକାରୀ କହିଥିଲେ ଯେ, ପାଲଘର ମାମଲାରେ ଆଉ ୧୯ ଜଣଙ୍କୁ ଗିରଫ କରାଯାଇଛି । ପରେ ସେମାନଙ୍କୁ ନ୍ୟାୟିକ ହେପାଜତକୁ ନିଆଯାଇଥିଲା । ଏଥିରେ ୪ ଜଣ ନାବାଳକଙ୍କୁ ମଧ୍ୟ ହେପାଜତକୁ ନେଇଥିଲା ପୋଲିସ ।

ପାଲଘର ମୋବ୍‌ ଲିଞ୍ଚିଂ ମାମଲାରେ ମୋଟ ୨୪୮ ଜଣଙ୍କୁ ଗିରଫ କରିଥିଲା ପୋଲିସ । ସେମାନଙ୍କ ମଧ୍ୟରୁ ୧୦୫ ଜଣଙ୍କୁ ଜାମିନ ମିଳିସାରିଛି ।  ଗତ ବର୍ଷ ଏପ୍ରିଲ ୧୬ରେ ମହାରାଷ୍ଟ୍ରର ପାଲଘରରେ ୨ ଜଣ ସାଧୁ ଏବଂ ତାଙ୍କର ଡ୍ରାଇଭରଙ୍କୁ ଲୋକମାନେ ଅତି ନିର୍ମମଭାବେ ପିଟି ପିଟି ହତ୍ୟା କରିଥି​‌ଲେ । ମୁମ୍ବାଇରୁ ୨ ଜଣ ସାଧୁ ତାଙ୍କ ଗାଡିରେ ସୁରତ ଯାଉଥିଲେ । ପାଲଘରର ଗଡଚିଂଚଲେ ଗାଁର ଲୋକମାନେ ସେମାନଙ୍କୁ ପିଲାଚୋର ଭାବି ଘେରି ଯାଇଥିଲେ । ଏହା ପରେ ସେମାନେ ୨ ଜଣ ସାଧୁ ଏବଂ ତାଙ୍କର ଡ୍ରାଇଭରଙ୍କୁ ପିଟି ପିଟି ହତ୍ୟା କରିଥିଲେ ।

ଏହି ବର୍ବରୋଚିତ ହତ୍ୟାକାଣ୍ଡରେ ୭୦ ବର୍ଷର ସାଧୁ କଳ୍ପବୃକ୍ଷ ଗିରି, ୩୫ ବର୍ଷର ସାଧୁ ସୁଶୀଲ ଗିରି ଏବଂ ତାଙ୍କର ଗାଡି ଡ୍ରାଇଭର ନୀଲେଶ ତେଲଗାଡେଙ୍କ ହତ୍ୟା କରିଥିଲେ ଗାଁ ଲୋକେ । ଏହି ଘଟଣା ପରେ ଦେଶରେ ରାଜନୀତି ଜୋର ଧରିଥିଲା । ଘଟଣାକୁ ନେଇ ସାରା ଦେଶରେ ଅରାଜକତା ଦେଖାଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.