ଧର୍ମେନ୍ଦ୍ର ପ୍ରଧାନ ଆଗାମୀ ନିର୍ବାଚନରେ ବସ୍ତା ବସ୍ତା ଟଙ୍କା ବାହାର କରିବେ, ହେଲେ ତାହା ଲୋକଙ୍କ ପାଖରେ ପହଞ୍ଚିବନି କହିଲେ ପାଲ ଲହଡା ବିଜେଡି ବିଧାୟକ ମହେଶ ସାହୁ

Published By : Prameya-News7 Bureau | December 04, 2018 IST

ଭୁବନେଶ୍ବର ୪|୧୨: କାହା ପାଖରେ କେତେ ଟଙ୍କା । ନିର୍ବାଚନରେ କିଏ କେଉଁଠୁ ଆଉ କେମିତି ଉଡାଇବେ ଟଙ୍କା ତାକୁ ନେଇ ଆରମ୍ଭ ହେଲାଣି ଚର୍ଚ୍ଚା । ବିଜେପି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥର ବସ୍ତାରୁ ଟଙ୍କା ବାହାର କରିବେ ବୋଲି ଆକ୍ଷେପ କରିଛନ୍ତି ବିଜେଡିର ପାଲଲହଡା ବିଧାୟକ ମହେଶ ସାହୁ । ସେ ଟଙ୍କା କିନ୍ତୁ ଭୋଟରଙ୍କ ପାଖରେ ପହଂଚିବନି ବୋଲି କହିଛନ୍ତି ବିଧାୟକ । ଏହାକହି ଦୁଇଟି କଥାକୁ ଇଙ୍ଗିତ କରିଛନ୍ତି ମହେଶ ସାହୁ । ପ୍ରଥମେ ବିଜେପିର ତଳସ୍ତରରେ ସଂଗଠନ ନଥିବାରୁ ଭୋଟରଙ୍କ ପାଖେ ଟଙ୍କା ପହଁଚିବନି ଏବଂ ୨ୟରେ ବିଜେପି ଟଙ୍କାକୁ ଭୋଟରଙ୍କ ପାଖରେ ପହଂଚାଇବାକୁ ଦିଆଯିବନି । କିନ୍ତୁ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ପକେଟ ଟଙ୍କା ଭୋଟରଙ୍କ ପାଖରେ ପହଂଚିବ । ଧର୍ମେନ୍ଦ୍ରଙ୍କ ନିର୍ବାଚନ ଲଢିବା ସଂଙ୍କେତକୁ ନେଇ ମହେଶ ସାହୁଙ୍କ ଏଭଳି କଟାକ୍ଷ ରାଜନୀତିରେ କଳାଟଙ୍କାର ଦମ୍ ପ୍ରସଙ୍ଗକୁ ବିତର୍କ ଭିତରକୁ ଆଣିଛି ।…. ଧର୍ମେନ୍ଦ୍ର ସିନା ଇଙ୍ଗିତ ଦେଇଦେଲେ ପ୍ରତକ୍ଷ୍ୟ ନିର୍ବାଚନ ଲଢିବାକୁ । କିନ୍ତୁ ଧର୍ମେନ୍ଦ୍ରଙ୍କ ୨୦୧୯ ନିର୍ବାଚନ ଲଢିବା ପ୍ରସଙ୍ଗକୁ ନେଇ ବିତର୍କ ଅଟକୁ ନାହିଁ । ଯେଉଁ ପାଲଲହଡାରୁ ଧର୍ମେନ୍ଦ୍ର ନିର୍ବାଚନ ଲଢିବେ ବୋଲି ସଂଙ୍କେତ ଦେଇଛନ୍ତି ସେହି ନିର୍ବାଚନ ମଣ୍ଡଳୀରେ ଏବେ ବିଧାୟକ ଥିବା ବିଜେଡି ନେତା ମହେଶ ସାହୁ ଧର୍ମେନ୍ଦ୍ରଙ୍କ ଆଡକୁ ଗୁଗୁଲି ଫିଙ୍ଗିଛନ୍ତି । କହିଛନ୍ତି, ଧର୍ମେନ୍ଦ୍ର ଆଉ ତାଙ୍କ ଦଳ ବିଜେପି ନିର୍ବାଚନରେ ବସ୍ତାରୁ ବାହାର କରନ୍ତି ଟଙ୍କା । ହେଲେ ତାହା ଭୋଟରଙ୍କ ପାଖରେ ପହଁଚେ ନାହିଁ । ଅଧାବାଟରୁ ବାଟ ମାରଣା ହୋଇଯାଏ । କିନ୍ତୁ ବିଜେଡି ନେତାଙ୍କ ଟଙ୍କା ପକେଟରୁ ବାହାରେ ଆଉ ସିଧା ଭୋଟରଙ୍କ ପାଖରେ ପହଁଚେ । ବିଧାୟକ ମହେଶ ସାହୁଙ୍କ ଏଭଳି ଆକ୍ଷେପ ନିର୍ବାଚନରେ କିଏ କେତେ ଟଙ୍କା ଖର୍ଚ୍ଚ କରି ଭୋଟରଙ୍କୁ କିଣି ପାରିବ ସେ ପ୍ରସଙ୍ଗ ଆଡକୁ ଅଙ୍ଗୁଳି ନିର୍ଦେଶ କରିଛି । ଯେଉଁଠି ଇସ୍ୟୁ ନୁହେଁ ବରଂ ଟଙ୍କା ହିଁ ନିର୍ବାଚନ ଫଳାଫଳକୁ ନିୟନ୍ତ୍ରଣ କରେ ବୋଲି ଇଙ୍ଗିତ ମିଳୁଛି। କଥା ଏତିକିରେ ଅଟକି ନାହିଁ, ଧର୍ମେନ୍ଦ୍ର ବିଧାୟକ ହେଲେ ତାଙ୍କୁ ମାଟିରେ ଚାଲିବାକୁ ହେବ ଏବଂ କେନ୍ଦ୍ର ମନ୍ତ୍ରୀ ଏବେ ଆକାଶରେ ଉଡୁଛନ୍ତି ବୋଲି ମହେଶ ସାହୁ କଟାକ୍ଷ କରିଛନ୍ତି । ବିଜେପିରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ମହେଶ ସାହୁ ଧର୍ମେନ୍ଦ୍ରଙ୍କ କଟ୍ଟର ବିରୋଧି ଭାବେ ଜଣାଶୁଣା । ହେଲେ ଧର୍ମେନ୍ଦ୍ରଙ୍କୁ ନିଶାନା କରିବାକୁ ଯାଇ ବିଜେପି ପାଖରେ ବହୁ ଟଙ୍କା ଅଛି ଓ ଦଳ ନିର୍ବାଚନରେ ତାକୁ ଉଡାଇବ ବୋଲି ଯେଉଁ ଇସାରା ଦେଇଛନ୍ତି ତାହା ବିଜେପିକୁ ହଜମ ହୋଇନି । ନିର୍ବାଚନରେ କିଭଳି ନବୀନ ନିବାସରୁ ଟଙ୍କା ବଣ୍ଡଲ ଯାଏ ଏବଂ ବିଜେଡି ନେତାଙ୍କ ଖଟ ତଳେ ଟଙ୍କା ବିଡା ଗଦା ହୁଏ ସେକଥା ଉଠାଇଛି ବିଜେପି । ବିଜେପି କହିଛି, ଓଡିଶା ରାଜନୀତିରେ କଳାଟଙ୍କାର ପ୍ରସାର କରିଛି ବିଜେଡି । ବିକାଶ ଏଜେଣ୍ଡା ନୁହେଁ ବରଂ ଭୋଟରଙ୍କୁ ମିଛସତ କହି ନିର୍ବାଚନ ବେଳେ କିଛି ଟଙ୍କା ଦେଇ ଭୋଟ ହାତେଇବାରେ ମାରିର ବିଜେଡି ବୋଲି କହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ ନିର୍ବାଚନରେ କଳା ଟଙ୍କାର ପ୍ରଭାକୁ ନେଇ ବିତର୍କ ହେବା ନୂଆକଥା ନୁହେଁ । ଏବେ ତ ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ, ତେଲେଙ୍ଗାନା ଆଦି ରାଜ୍ୟରେ ଯେଉଁ ନିର୍ବାଚନ ହେଉଛି ସେଠୁ ୨୦୦ରୁ ଅଧିକ କୋଟି ଟଙ୍କା ସିଜ୍ କରିସାରିଲେଣି ନିର୍ବାଚନ କମିଶନ । ତେଣୁ ଓଡିଶାରେ ଯେ ନିର୍ବାଚନ ସମୟରେ କଳାଟଙ୍କା ନଉଡିବ ତାହା କିଏ କହିପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.