Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘୫ ଅଗଷ୍ଟରେ ପାକିସ୍ତାନର ହେବ କାଶ୍ମୀର’ ରହସ୍ୟର ପର୍ଦ୍ଦାଫାସ, ସାମ୍ନାକୁ ଆସିଲା ଚୀନ୍

5/08/2020 at 8:37 PM

ନୂଆଦିଲ୍ଲୀ ୫।୮:  ଅଗଷ୍ଟ ୫ତାରିଖରେ ପାକିସ୍ତାନର ହେବ କାଶ୍ମୀର ! ଜୁଲାଇ ୩୧ରେ ଇସ୍ଲାମାବାଦର କାଶ୍ମୀର ହାଇୱେକୁ ‘ଶ୍ରୀନଗର ହାଇୱେ’ ନାମରେ ନାମିତ କରିବା ବେଳେ ପାକ୍ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସୀ ଏହି ଦାବି କରିଥିଲେ। ପାକ୍ ବୈଦେଶିକ ମନ୍ତ୍ରୀଙ୍କ ଅଚାନକ ଏପରି ଦାବି ସମସ୍ତଙ୍କୁ ସ୍ତମ୍ବିଭୂତ କରିଦେଇଥିଲା। ହେଲେ ତାଙ୍କ ଦାବି ପଛରେ ଯେଉଁ ଦମ୍ଭ ଥିଲା ତାହା ବୁଧବାର ସ୍ପଷ୍ଟ ହୋଇଯାଇଛି। ଚୀନ୍ ଦମ୍ଭରେ ସେ ଏପରି କହିଥିବାର ଏବେ ଜଣାପଡିଥିବା ବେଳେ ଗଲୱାନ କାରଣ ଉପରୁ ମଧ୍ୟ ପର୍ଦ୍ଦା ହଟିଛି।

ପ୍ରସଙ୍ଗରେ ଚୀନ୍‌ ବୁଧବାର ଖୋଲାଖୋଲି ସାମ୍ନାକୁ ଆସିଛି। ଚୀନ୍‌ ବୈଦେଶିକ ମନ୍ତ୍ରାଳୟ ନିୟମିତ ପ୍ରେସ୍ ବ୍ରିଫିଙ୍ଗରେ ଜମ୍ମୁ-କାଶ୍ମୀରରୁ ଭାରତ ସମ୍ବିଧାନର ଅନୁଚ୍ଛେଦ ୩୭୦ ପ୍ରତ୍ୟାହାରକୁ ସ୍ୱୀକାର କରେନି ବୋଲି କହିଥିବା ବେଳେ ଜମ୍ମୁ-କାଶ୍ମୀର ଓ ଲଦ୍ଦାଖ ନାମରେ ବିଭିଜିତ ରାଜ୍ୟକୁ ମାନ୍ୟତା ଦେଉ ନଥିବା କହିଛି। ଏଥିରୁ ଗଲୱାନରେ ଚୀନ ସୃଷ୍ଟି କରିଥିବା ଅସ୍ଥିରତାର କାରଣ ଏବେ ବୁଝା ପଡିଯାଇଥିବା ବେଳେ ପାକ୍ ବୈଦେଶିକ ମନ୍ତ୍ରୀ କ୍ୟୁରେସୀଙ୍କ ୫ ଅଗଷ୍ଟ କାଶ୍ମୀର ଦାବି ଉପରୁ ମଧ୍ୟ ରହସ୍ୟ ମଧ୍ୟ ହଟିଛି।

୫ ଅଗଷ୍ଟ ୨୦୧୯ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସଂସଦରେ କାଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପ୍ରସ୍ତାବ ଉପସ୍ଥାପନା କରିଥିବା ବେଳେ ଏହା ସର୍ବ ସମ୍ମତ ଗୃହୀତ ହୋଇଥିଲା। ଏଥିରେ ଜମ୍ମ-କାଶ୍ମୀରର ରାଜ୍ୟମାନ୍ୟତା ସମାପ୍ତ କରିଦିଆଯିବା ସହ ଲଦ୍ଦାଖକୁ ଏକ ପୃଥକ କେନ୍ଦ୍ର ଶାସିତ ରାଜ୍ୟରେ ପରିଣତ କରାଯାଇଥିଲା। ଉଭୟ କେନ୍ଦ୍ର ଶାସିତ ରାଜ୍ୟ ଗଠନର ବୁଧବାର ବର୍ଷ ପୂର୍ତ୍ତି ହୋଇଛି। ଏତିକିବେଳେ ଚୀନ୍‌ ବୈଦେଶିକ ମନ୍ତ୍ରାଳୟଙ୍କ ବୟାନ ଓ ଶ୍ରୀନଗର ହାଇୱେ ଆମକୁ କାଶ୍ମୀର ପର୍ଯ୍ୟନ୍ତ ନେଇ ଯିବ ବୋଲି ଗତ ସପ୍ତାହରେ ପାକ୍ ବୈଦେଶିକ ମନ୍ତ୍ରୀଙ୍କ ଦାବିକୁ କୂଟନୈତିକ ମହଲରେ ଗୁରୁତ୍ୱର ସହ ଗ୍ରହଣ କରାଯାଇଛି।   

କାଶ୍ମୀର ଭାରତର ଅନ୍ତରୀଣ ମାମଲା। ଏ ସମ୍ପର୍କରେ ଭାରତ ୟୁଏନ ଚାର୍ଟର, ଜାତିସଂଘ ସୁରକ୍ଷା ପରିଷଦ ଓ ଅନ୍ତର୍ଜାତୀୟ ସମୂଦାୟରେ ମଧ୍ୟ କହି ଆସିଛି। ଏହା ବାଦେ ଭାରତ ଓ ପାକିସ୍ତାନ ମଧ୍ୟରେ ଶାନ୍ତି ସହ ଅସ୍ତିତ୍ୱ ଉଭୟ ଦେଶଙ୍କ ସମେତ ଅନ୍ତର୍ଜାତୀୟ ସମୂଦାୟଙ୍କ ହୀତକୁ ମଧ୍ୟ ପୁରଣ କରୁଥିବା ଚୀନ୍‌ କହିଛି। ଏଣୁ ସେ କାଶ୍ମୀରର ପରିସ୍ଥିତି ଉପରେ ଲଗାତାର ନଜର ରଖିଥିବା ନେଇ ସ୍ପଷ୍ଟ କରିଦେଇଛି। ଏଣୁ ଭାରତ ଓ ପାକିସ୍ତାନ ଆଲୋଚନା ମାଧ୍ୟମରେ ଉଚିତ ଉପାୟରେ ସମସ୍ୟାର ସମାଧାନ କରନ୍ତୁ ବୋଲି କହିଛି। ଏ କ୍ଷେତ୍ରରେ ଭାରତର ଏକ ତରଫା ପରିବର୍ତ୍ତନକୁ ଅସ୍ୱୀକାର କରିଛି। 

ସେହିପରି ପାକିସ୍ତାନ ମଧ୍ୟ ନେପାଳ ଭଳି ନିଜର ଏକ ନକ୍ସା ପ୍ରସ୍ତୁତ କରି ତାକୁ ମଙ୍ଗଳବାର କ୍ୟାବିନେଟ୍‌ରେ ଗୃହୀତ କରାଇଥିବାର ଜଣାପଡିଛି। ନକ୍ସାରେ ଜମ୍ମୁ-କାଶ୍ମୀର, ଲଦ୍ଦାଖ ଓ ଗୁଜୁରାଟର ଜୁନାଗଡ ପର୍ଯ୍ୟନ୍ତ ଅଞ୍ଚଳକୁ ଏଥିରେ ସ୍ଥାନିତ କରିଛି। ଏହି ଏକତରଫା ନକ୍ସାକୁ ନେପାଳ ଭଳି ପାକିସ୍ତାନ ମଧ୍ୟ ଜାତିସଂଘରେ ଉପସ୍ଥାପନ କରିବାକୁ  ନିଷ୍ପତ୍ତି ନେଇଥିବା ଜଣାପଡିଛି। ଚୀନ ପ୍ରରୋଚନାରେ ନେପାଳ ଓ ପାକିସ୍ତାନ ନକ୍ସା କୁଟନୀତି  ଆପଣେଇଥିବା ଜଣାପଡିଥିବା ବେଳେ ଭୈତିକ ଭାବେ ନ ହେଲେବି ୫ ଅଗଷ୍ଟରୁ ନିଜ ନକ୍ସାରେ କାଶ୍ମୀରକୁ ପାଇ ଦିନକୁ ଐତିହାସିକ କହିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍।  

   Related Posts