ପାକିସ୍ତାନୀ ବୋଲରଙ୍କ ବଡ ବୟାନ- ଆଇପିଏଲ ଦୁନିଆର ସବୁଠୁ ବଡ ଲିଗ୍‌, ପିଏସଏଲ ସହ ତୂଳନା ହୋଇ ପାରିବ ନାହିଁ

Published By : Prameya-News7 Bureau | May 15, 2021 IST

ନୂଆଦିଲ୍ଲୀ ୧୫।୦୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍) ଦୁନିଆର ସବୁଠୁ ବଡ କ୍ରିକେଟ୍ ଲିଗ୍। ୨୦୦୮ରେ ଏହାର ଆରମ୍ଭ ପରେ ଦୁନିଆର ଅନେକ ଦେଶରେ ଟି -୨୦ ଲିଗ୍ ଆରମ୍ଭ ହୋଇଛି। ଏଥିରେ ପାକିସ୍ତାନ ମଧ୍ୟ ସାମିଲ୍। ଭାରତୀୟ ଖେଳାଳିଙ୍କୁ ବିଦେଶ ଟି-୨୦ ଲିଗ୍ ଖେଳିବା ମନା ଥିବା ବେଳେ ପାକିସ୍ତାନ ଖେଳାଳି ଦୁନିଆର ସବୁ ଟି-୨୦ ଲିଗ୍ ଖେଳୁଛନ୍ତି। ମାତ୍ର ପାକିସ୍ତାନ ଖେଳାଳି ଆଇପିଏଲ୍ ଖେଳି ପାରୁ ନାହାନ୍ତି। ଭାରତ ଓ ପାକିସ୍ତାନ ବିବାଦ କାରଣରୁ ଆଇପିଏଲ୍‌ରେ ପାକିସ୍ତାନ ଖେଳାଳିଙ୍କ ଉପରେ କଟକଣା ଜାରି ରହିଛି। ଏହା ମଧ୍ୟରେ ପାକିସ୍ତାନର ଦ୍ରୁତ ବୋଲର ଓ୍ଵହାବ ରିୟାଜ କହିଛନ୍ତି, ଆଇପିଏଲ୍ ସହ ପାକିସ୍ତାନ ସୁପର ଲିଗ୍‌ର ତୂଳନା କରାଯାଇ ପାରିବ ନାହିଁ। ଆଇପିଏଲ୍‌ ଭିନ୍ନ ସ୍ତରର ଲିଗ୍‌ ଏବଂ ପିଏସଏଲଠୁ ବହୁତ ଆଗରେ ରହିଛି।

୩୫ ବର୍ଷୀୟ ଓ୍ଵହାବ ରିୟାଜ ପିଏସଏଲରେ ସର୍ବାଧିକ ଓ୍ଵିକେଟ୍‌ ହାସଲକାରୀ ବୋଲର। କ୍ରିକେଟ୍ ପାକିସ୍ତାନର ୟୁଟ୍ୟୁବ୍‌ ଚ୍ୟାନେଲ୍‌ ସହ ଆଲୋଚନା ବେଳେ ରିୟାଜ କହିଛନ୍ତି, ଆପଣ ଆଇପିଏଲ୍‌ର ତୂଳନା ପିଏସଏଲ ସହ କରି ପାରିବେ ନାହିଁ। ମୋ ମତରେ ଆଇପିଏଲ୍‌ ଅଲଗା ସ୍ତରର। ବିସିସିଆଇ ପ୍ରତିବଦ୍ଧତା, ସେମାନେ ଯେଉଁ ଭଳି ଏହାକୁ ସଞ୍ଚାଳନ କରୁଛନ୍ତି ଏବଂ ଖେଳାଳିଙ୍କ ଡ୍ରାଫ୍ଟ ଯେଉଁଭଳି ପ୍ରସ୍ତୁତ କରୁଛନ୍ତି, ତାହା ସଂପୂର୍ଣ୍ଣ ଭିନ୍ନ ସ୍ତରର। ମୋତେ ଲାଗୁନାହିଁ ଯେ ଆଉ କୌଣସି ଲିଗ୍‌ ଆଇପିଏଲ୍‌ର ମୁକାବିଲା କରିପାରିବେ। ମାତ୍ର ଯଦି କୌଣସି ଲିଗ୍‌ ତାଙ୍କ ପରେ ଅଛି ତାହା ହେଉଛି ପିଏସଏଲ। ପିଏସଏଲ ଏହାକୁ ସାବ୍ୟସ୍ତ ମଧ୍ୟ କରିଛି।

ପିଏସଏଲର ବୋଲିଂ ଆଇପିଏଲ୍‌ଠୁ ଭଲ

ଓ୍ଵହାବ ରିୟାଜ କହିଛନ୍ତି, ସମସ୍ତ ବଡ ବଡ ଖେଳାଳି ଆଇପିଏଲ୍‌ ଖେଳିବାକୁ ଚାହାନ୍ତି। ଆପଣ ପିଏସଏଲ ତୂଳନା ଆଇପିଏଲ୍ ସହ କରି ପାରିବେ ନାହିଁ। ମାତ୍ର ବୋଲିଂ ସ୍ତରରେ ପିଏସଏଲ ଆଇପିଏଲଠୁ ଆଗରେ ରହିଥିବା କହିଛନ୍ତି ରିୟାଜ। ସେ କହିଛନ୍ତି ଯେଉଁ ସ୍ତରର ବୋଲର ପିଏସଏଲରେ ଖେଳନ୍ତି, ସେମିତି ବୋଲର ଆଇପିଏଲ୍‌ରେ ନାହାନ୍ତି। ଉଲ୍ଲେଖନୀୟ କରୋନା କାରଣରୁ ଦୁଇ ଦେଶର ଲିଗ୍‌ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସ୍ଥଗିତ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.