ପାକିସ୍ତାନୀ ନେତାଙ୍କ ମୁର୍ଖାମୀ: ଫ୍ରାନ୍ସରେ ୩ ମାସ ହେଲା ନାହାନ୍ତି ପାକ୍‌ ରାଷ୍ଟ୍ରଦୂତ କିନ୍ତୁ ପ୍ରତ୍ୟାହାର କରିନେବାକୁ ଜାତୀୟ ଆସେମ୍ବ୍ଲିରେ ପ୍ରସ୍ତାବ ପାସ୍‌

Published By : Prameya-News7 Bureau | October 30, 2020 IST

ଇସ୍‌ଲାମାବାଦ ୩୦/୧୦: ନିଜର ବୋକାଳିଆମି ବା ମୁର୍ଖାମୀ ପାଇଁ ପାକିସ୍ତାନ ବିଶ୍ବରେ ପରିଚୟ ସୃଷ୍ଟି କରିଛି ଓ ଲଜ୍ଜାଜନକ ସ୍ଥିତିରେ ପଡ଼ୁଛି। ସବୁବେଳେ କିଛି ନା କିଛି କାର୍ଯ୍ୟ ପାଇଁ ପାକିସ୍ତାନର ଚର୍ଚ୍ଚା ଚାଲେ। ନିକଟରେ ଫ୍ରାନ୍ସର ରାଷ୍ଟ୍ରପତି ଏମାନୁଏଲ୍‌ ମାକ୍ରୋନଙ୍କୁ ବିରୋଧ କରିବାକୁ ଯାଇ ପାକିସ୍ତାନ ସରକାର କରିଥିବା ନିଷ୍ପତ୍ତି ଚର୍ଚ୍ଚାର କେନ୍ଦ୍ରକୁ ଟାଣି ହୋଇଆସିଛି।  ଏମାନୁଏଲ୍‌ ମାକ୍ରୋନଙ୍କ ଦ୍ବାରା ଦିଆଯାଇଥିବା ଇସ୍‌ଲାମ୍‌ ବିରୋଧୀ ମନ୍ତବ୍ୟ ବିରୋଧରେ ପାକିସ୍ତାନ ଜାତୀୟ ପରିଷଦରେ ଏକ ପ୍ରସ୍ତାବ ପାରିତ ହୋଇଛି।

ଏହାସହ ଏହି ସମୟରେ ଅନ୍ୟ ଏକ ପ୍ରସ୍ତାବ ପାରିତ ହୋଇଛି ଯେଉଁଥିରେ ଫ୍ରାନ୍ସରେ ଥିବା ପାକିସ୍ତାନ ରାଷ୍ଟ୍ରଦୂତଙ୍କୁ ଫେରାଇଆଣିବା ପାଇଁ ପ୍ରସ୍ତାବ ରହିଛି। କିନ୍ତୁ ମଜାଦାର କଥା ହେଉଛି, ୩ ମାସ ହେଲା ଫ୍ରାନ୍ସରେ ପାକିସ୍ତାନର କୌଣସି ରାଷ୍ଟ୍ରଦୂତ ନାହାନ୍ତି। ଶେଷ ରାଷ୍ଟ୍ରଦୂତ ମୋଇନ ଉଲ ହକ୍‌ଙ୍କୁ ଚୀନ୍‌ ରାଷ୍ଟ୍ରଦୂତ ଭାବେ ବଦଳି କରିଦିଆଯାଇଛି।

ତେବେ ପାକିସ୍ତାନ ଜାତୀୟ ପରିଷଦରେ ଦିଆଯାଇଥିବା ପ୍ରସ୍ତାବକୁ ନେଇ ଇମ୍ରାନ ସରକାର ଓ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମୁଦ କ୍ୟୁରେଶୀଙ୍କୁ ସୋସିଆଲ୍‌ ମିଡିଆରେ ଟାର୍ଗେଟ କରୁଛନ୍ତି ୟୁଜର୍ସ। କାରଣ ଫ୍ରାନ୍ସ ନିଜର ରାଷ୍ଟ୍ରଦୂତ ଫେରାଇଆଣିବା ପ୍ରସ୍ତାବ ଉପରେ ସହମତି ପ୍ରକାଶ କରିଥିଲେ ଖୋଦ କ୍ୟୁରେଶୀ। ଗୋଟିଏ ଦେଶର ବୈଦେଶିକ ମନ୍ତ୍ରୀ ହୋଇ ମଧ୍ୟ କ୍ୟୁରେଶୀ କେମିତି ଜାଣିପାରିଲେନି ପ୍ୟାରିସ୍‌ରେ କେହି ରାଷ୍ଟ୍ରଦୂତ ନାହାନ୍ତି। ଏଭଳି ପ୍ରଶ୍ନ କ୍ୟୁରେଶୀଙ୍କୁ ଲୋକେ ପଚାରୁଥିବା ବେଳେ ପାକ୍‌ ସରକାର ସଫେଇ ଦେଇ କହିଛନ୍ତି ଏକଥା ଜାଣିଥିଲେ ବି ଜାତୀୟ ପରିଷଦରେ ଉତ୍ତେଜନାକୁ ଦେଖି କ୍ୟୁରେଶୀ ଚୁପ ରହିଥିଲେ।

ପାକିସ୍ତାନ ସମେତ ବହୁ ମୁସ୍‌ଲିମ୍‌ ଦେଶ ଏବେ ଏମାନୁଏଲ୍‌ ମାକ୍ରୋନଙ୍କ ମନ୍ତବ୍ୟକୁ ଜୋରଦାର ବିରୋଧ କରୁଛନ୍ତି। ପାକିସ୍ତାନର ଅଭିଯୋଗ କ୍ରମେ ମହମ୍ମଦ ପ୍ରୋଫେଟ୍‌ଙ୍କ କାର୍ଟୁନକୁ ନେଇ ଏମାନୁଏଲ୍‌ ମାକ୍ରୋନ ଟାର୍ଗେଟ କରିଛନ୍ତି। ଏଥିରେ ଜବାବ ଦେଇ ଏମାନୁଏଲ୍‌ ମାକ୍ରୋନ ଭଭୟ ଉର୍ଦ୍ଦୁ ଓ ଇଂରାଜୀ ଭାଷାରେ ଟ୍ବିଟ୍‌ କରି ପାକିସ୍ତାନକୁ ସମାଲୋଚନା କରିଥିଲେ। ସେ ଟ୍ବିଟ୍‌ କରି କହିଥିଲେ, ଆମେ ଏଭଳି କେବେ ବି କରିନାହୁଁ। ଆମେ ଶାନ୍ତି ଓ ସଦଭାବନାକୁ ସମ୍ମାନ କରୁ। ତେବେ ଏହିସବୁ ଘଟଣା ଅକ୍ଟୋବର ୧୬ରୁ ଆରମ୍ଭ ହୋଇଛି। ଏହି ଦିନ ଜଣେ ଫ୍ରାନ୍ସ ଶିକ୍ଷକ ସାମୁଏଲ ପେଟୀଙ୍କୁ ଗଳା କାଟି ହତ୍ୟା କରାଯାଇଛି। ସାମୁଏଲ କ୍ଲାସ୍‌ରେ ପ୍ରୋଫେଟ୍‌ ମହମ୍ମଦଙ୍କ କାର୍ଟୁନ ଦେଖାଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଜଣେ ୧୮ ବର୍ଷୀୟ ଛାତ୍ର ସାମୁଏଲଙ୍କ ଗଳା କାଟି ହତ୍ୟା କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.