ଇମ୍ରାନ ଖାନଙ୍କ ମୁହଁରେ କଳା ବୋଳିଲେ ଅନ୍ତର୍ଜାତୀୟ ନ୍ୟାୟାଳୟର ଆଇନଜୀବୀ: ପାକିସ୍ତାନକୁ ନେଇ ଏମିତି କହିଲେ...

Published By : Prameya-News7 Bureau | September 03, 2019 IST

ନୂଆଦିଲ୍ଲୀ୩|୯:ଅନ୍ତର୍ଜାତୀୟ ନ୍ୟାୟାଳୟ(ଆଇସିଜେ)ର ଆଇନଜୀବୀ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମୁହଁରେ କଳା ବୋଳିଛନ୍ତି। ଜମ୍ମୁ-କାଶ୍ମୀରର ଲୋକମାନଙ୍କୁ ହତ୍ୟା କରାଯାଉଛି ବୋଲି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଦାବି କରୁଛନ୍ତି। ହେଲେ ଇମ୍ରାନ ଖାନଙ୍କ ଏହି ଦାବିକୁ ନେଇ କୋର୍ଟରେ ଲଢ଼ିବା ବହୁତ କଷ୍ଟ ହେବ ବୋଲି ଆଇସିଜେର ଆଇନଜୀବୀ କୁରେଶୀ କହିଛନ୍ତି। କୁରେଶୀ କହିଛନ୍ତି ଯେ, ଏ ସଂପର୍କରେ ପାକିସ୍ତାନ ପାଖରେ  କୌଣସି ବଳିଷ୍ଠ ପ୍ରମାଣ ନାହିଁ ଯେଉଁପାଇଁ ଭାରତ ବିରୋଧରେ ହୋଇଥିବା ଅଭିଯୋଗ ପ୍ରମାଣିତ ହୋଇପାରିବ।

ଆଇସିଜେ କୋର୍ଟର ଆଇନଜୀବୀ କୁରେଶୀ କହିଛନ୍ତି, ପାକିସ୍ତାନ ପାଖରେ ପ୍ରମାଣ ଭିତ୍ତିକ ତଥ୍ୟ ନଥିବାରୁ ଆଇସିଜେରେ ଏହି ମାମଲା ଉପସ୍ଥାପନା କରିବା ସମ୍ଭବ ନୁହେଁ। ପାକିସ୍ତାନ ପାଖରେ ଏମିତି କିଛି ବଳିଷ୍ଠ ପ୍ରମାଣ ନାହିଁ ଯେଉଁଥିପାଇଁ କାଶ୍ମୀର ପ୍ରସଙ୍ଗକୁ ଆଇସିଜେରେ ଉପସ୍ଥାପନ କରାଯାଇ ପାରିବ। ସବୁ ରାସ୍ତା ବନ୍ଦ ହେବା ପରେ କାଶ୍ମୀର ମାମଲାକୁ ଅନ୍ତର୍ଜାତୀୟ ନ୍ୟାୟାଳୟରେ ଉପସ୍ଥାପନା କରିବା ସହ ଭାରତକୁ ଅନ୍ତର୍ଜାତୀୟ ନ୍ୟାୟାଳୟକୁ ଟାଣିବ ବୋଲି ପାକିସ୍ତାନ ଧମକ ଦେଇଥିଲା।

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବିଶ୍ବର ପ୍ରଭାବଶାଳୀ ଦେଶଙ୍କ  ପାଖରେ ନ୍ୟାୟ ପାଇବା ପାଇଁ ପାକିସ୍ତାନ ପହଞ୍ଚିଥିଲା। ଏମିତି ବି ପାକିସ୍ତାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନା କରିଥିଲା। କାଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ଓ ପାକିସ୍ତାନ ଭିତରେ ମଧ୍ୟସ୍ଥି କରିବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ଇମ୍ରାନ ଖାନ ନିବେଦନ କରିଥିଲେ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ, କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସାହାଯ୍ୟ କରି ପାରିବ ନାହିଁ  । ଏହା ଭାରତର ଆଭ୍ୟନ୍ତରୀଣ ମାମଲା ବୋଲି ଡୋନାଲ୍ଡ ଟ୍ରମ୍ପ  ସ୍ପଷ୍ଟ କରିଥିଲେ । ଏହାପରେ ପାକିସ୍ତାନ ଏକ ପ୍ରକାର ବିଚଳିତ ହୋଇ ପଡିବା ସହ ପରମାଣୁ ଯୁଦ୍ଧର ଧମକ ଦେଇଥିଲା । ଏବେ ସବୁ ଦିଗରେ ପାକିସ୍ତାନ କାଶ୍ମୀର ପ୍ରସଙ୍ଗରେ ନିରାଶ ହେଉଥିବା ଦେଖିବାକୁ ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.