ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡୁଆ ବଢୁଛି : ଆର୍ଥିକ ସଙ୍କଟ ମଧ୍ୟରେ ଏବେ ମୁହଁ ମୋଡୁଛି ସେନା, କାଙ୍ଗାଳ ପାକିସ୍ତାନ କରିବ କ'ଣ ?

Published By : Prameya-News7 Bureau | June 16, 2021 IST

ଇସଲାମାବାଦ ୧୬/ ୦୬ : ପାକିସ୍ତାନ ସଂସଦ (PNA) ରେ ମଙ୍ଗଳବାର ବଜେଟ ଅଧିବେଶନ ଚାଲିଥିବା ବେଳେ ଶାସକ ଏବଂ ବିରୋଧୀ ଦଳ ମଧ୍ୟରେ ପ୍ରବଳ ହଙ୍ଗାମା ହୋଇଥିଲା । ପରିସ୍ଥିତି ଏପରି ହୋଇଥିଲଊା ଯେ, ପବିତ୍ର ସଂସଦ ମଧ୍ୟରେ ହାତିହାତି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ତେଣୁ ଏଥିରୁ ପ୍ରମାଣିତ ହେଉଛି ଯେ, ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସରକାର ଅକ୍ଷମ ହୋଇଯାଇଛି । ଇମ୍ରାନଙ୍କୁ ବିପକ୍ଷ ଦଳ ପିଡିଏମ ଏବଂ ପିଏମଏଲ-ଏନ୍‌ ଚିନ୍ତା କମ କିନ୍ତୁ ଗୃହ ଶତ୍ରୁ ବିଭୀଷଣ ଭଳି ନିଜ ଦଳର ହିଁ ନେତାମାନଙ୍କ ଚିନ୍ତା ଅଧିକ ହୋଇଯାଇଛି ।

ଭ୍ରଷ୍ଟାଚାର ଏବଂ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ପାଇଁ କ୍ଷମତାରେ ଥିବା ଇମ୍ରାନ ସରକାରଙ୍କ ଦଳ ଭିତରେ ହିଁ ନେତାମାନେ ଜଣେ ଅନ୍ୟ ଜଣଙ୍କ ବିପକ୍ଷରେ ହୋଇଯାଇଛନ୍ତି । କେବଳ ସେତିକି ନୁହେଁ ପାକିସ୍ତାନର ଛାୟା ସରକାର କୁହାଯାଉଥିବା ସେନା ସହିତ ମଧ୍ୟ ଇମ୍ରାନଙ୍କ ସମ୍ପର୍କ ସେତେଟା ଭଲ ନାହିଁ ବୋଲି ଚର୍ଚ୍ଚା ହେଉଛି ।

ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଏତେ ବଢିଗଲାଣି ଯେ, କ୍ଷମତାରେ ଥିବା ନିଜ ଦଳର ନେତାମାନେ ମଧ୍ୟ ଇସ୍ତଫା ଦେଉଛନ୍ତି । ଗତ ମେ ମାସରେ ପାକିସ୍ତାନର ପଞ୍ଜାବ ଅଞ୍ଚଳର ବରିଷ୍ଠ ନେତା ଜାହାଙ୍ଗିର ତରୀନ ଦଳ ଛାଡିଥିଲେ । ତାଙ୍କ ସହିତ ଦଳର ପ୍ରାୟ ୩୫ ଜଣ ନେତା ମଧ୍ୟ ଦଳ ଛାଡି ଅନ୍ୟ ଏକ ପାର୍ଟି ଗଠନ କରିଥିଲେ । ଭ୍ରଷ୍ଟାଚାର ଅଭିଯୋଗ ଥିବା ଜାହାଙ୍ଗିରଙ୍କ ପାକିସ୍ତାନ ସେନା ସହିତ ବେଶ ଭଲ ସମ୍ପର୍କ ଥିଲା । ତେବେ ଅପରାଧୀକ କାର୍ଯ୍ୟକଳାପ ନେଇ ଅଭିଯେଗା ଆସିବା ପରେ ଏଥିରେ କ୍ଷୁବ୍ଧ ଜାହାଙ୍ଗିର ତରୀନ ଦଳରୁ ଇସ୍ତଫା ଦେଇ ନୂଆ ଦଳ ଗଠନ କରିଥିଲେ ।

କେବଳ ସେତିକି ନୁହେଁ ରା‌ଓ୍ବଲପିଣ୍ଡି ଘୋଟାଲାରେ କ୍ଷମତାସୀନ ପିଟିଆଇର ନେତାମାନଙ୍କ ନାଁ ଆସିବା ପରେ ଇମ୍ରାନଙ୍କ ଟେନସନ ଆହୁରି ବଢିଯାଇଛି । ୨୦୧୭ରେ ରାଓ୍ବଲପିଣ୍ଡି ପ୍ରୋଜେକ୍ଟ ଆସିବା ପରେ ଏଥିରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଜଣାପଡିଥିଲା । ଦୁର୍ନୀତିରେ ଖୋଦ କ୍ଷମତାସୀନ ଇମ୍ରାନଙ୍କ ନେତାମାନେ ଲିପ୍ତ ଥିବା ଜଣାପଡିବା ପରେ ରାଜନୈତିକ ଉଷ୍ମତା ଆହୁରି ବଢିଯାଇଥିଲା ।

ଏହି ସବୁ ସ୍ଥିତି ଉପୁଜିବା ସହିତ ଇମ୍ରାନଙ୍କ ପାଇଁ ଚିନ୍ତା ବଢାଇଛି ପାକିସ୍ତାନ ସେନାରେ ଅସ୍ତିରତା । ପାକ ସେନା ମୁଖ୍ୟ ଜାଭେଦ ବାଜଓ୍ବା ଇମ୍ରାନ ସରକାରଙ୍କ ଠାରୁ ମୁହଁ ମୋଡୁଥିବା ଦେଖିବାକୁ ମିଳିଛି । ଶୁଣିବାକୁ ମିଳୁଛି ଯେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଗତ କିଛି ଦିନ ହେଲା ଜାରି ରହିଥିବା ବୁଝାମଣାକୁ ନେଇ ବାଜଓ୍ବା ଏବଂ ଇମ୍ରାନଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି । ସେଥିପାଇଁ ପାକ ସେନା ମଧ୍ୟ ଇମ୍ରାନଙ୍କ ଉପରେ ଅସନ୍ତୁଷ୍ଟ । ଏହାରି ମଧ୍ୟରେ ଆଗାମୀ ଦିନରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଆଭିମୁଖ୍ୟ କଣ ହେବ ତାହା ଦେଖିବା ବାକି ରହିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.