ପାକିସ୍ତାନରେ ଶ୍ରୀଲଙ୍କା ନାଗରିକଙ୍କୁ ପିଟିପିଟି ହତ୍ୟା : ରାସ୍ତା ମଝିରେ ଜାଳିଦେଲେ ମୃତଦେହ, ରେକର୍ଡ କଲେ ଭିଡିଓ

Published By : Prameya-News7 Bureau | December 04, 2021 IST

ଲାହୋର, ୦୪/୧୨: ପାକିସ୍ତାନରେ ଶ୍ରୀଲଙ୍କା ନାଗରିକଙ୍କୁ ପିଟିପିଟି ହତ୍ୟା । ଇସଲାମକୁ ଅପମାନ ଅଭିଯୋଗରେ ବିଚ୍ ରାସ୍ତାରେ ବିଦେଶୀ ନାଗରିକଙ୍କୁ ନିର୍ମମ ଭାବେ ହତ୍ୟା କଲେ ପାକିସ୍ତାନୀ । କେବଳ ଏତିକି ନୁହେଁ, ରାସ୍ତା ଉପରେ ତାଙ୍କ ମୃତଦେହରେ ନିଆଁ ମଧ୍ୟ ଲଗାଇଦେଲେ । ପାକିସ୍ତାନର ସିଆଲକୋଟରେ ଏପରି ଘଟଣା ସାମ୍ନାକୁ ଆସିଛି । ଘଟଣା ପରେ ସରକାର ଘଟଣାସ୍ଥଳରେ ବ୍ୟାପକ ଫୋର୍ସ ମୁତୟନ କରିଛନ୍ତି ।

ସୂଚନାନୁସାରେ, ସିଆଲକୋଟର ଓ୍ୱାଜିରାବାଦ ରୋଡରେ ଏହି ଘଟଣା ଘଟିଛି । ଶୁକ୍ରବାର ଏଠାରେ ଏକ କମ୍ପାନୀରେ କାମ କରୁଥିବା ଶ୍ରମିକମାନେ ଜଣେ ମ୍ୟାନେଜରଙ୍କୁ ଆକ୍ରମଣ କରିଥିଲେ । ମ୍ୟାନେଜରଜଣଙ୍କ ଶ୍ରୀଲଙ୍କାର ଅଟନ୍ତି । ଏପରିକି ତାଙ୍କୁ ମାଡ ମାରି ରାସ୍ତାରେ ମୃତଦେହକୁ ପୋଡି ଦେଇଥିଲେ ।

ସୋସିଆଲ ମିଡିଆରେ ସେୟାର ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଶତାଧିକ ଲୋକେ କମ୍ପାନୀ ସାମ୍ନାରେ ଏକତ୍ର ହୋଇଛନ୍ତି । ଶ୍ରୀଲଙ୍କା ନାଗରିକଙ୍କ ମୃତଦେହ ଜଳୁଥିବା ବେଳେ ସେମାନେ ଭିଡିଓ ରେକର୍ଡିଂ କରୁଥିଲେ ।

ପାକିସ୍ତାନ ସ୍ଥିତ ପଞ୍ଜାବ ମୁଖ୍ୟମନ୍ତ୍ରୀ ଉସମାନ ବୁଜଦାର କହିଛନ୍ତି ଯେ, ସିଆଲକୋଟରେ ଘଟିଥିବା ଭୟଙ୍କର ଘଟଣା ପାଇଁ ସେ ଦୁଃଖିତ । ଏନେଇ ସେ ଆଇଜିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଆଇନକୁ କେହି ହାତକୁ ନେବା ଅନୁଚିତ । ଅଭିଯୁକ୍ତଙ୍କୁ ଛଡାଯିବ ନାହିଁ ବୋଲି ସେ କହିଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.