ଲଣ୍ଡନରେ ପାକିସ୍ତାନୀ ଆତଙ୍କବାଦୀ – ଭାରତୀୟ ପୁଲିସ ଅଧିକାରୀଙ୍କ ଗୁଳିରେ ନିହତ, ପଢନ୍ତୁ ପୁରା ଘଟଣା
1/12/2019 at 9:23 PM

ନୂଆଦିଲ୍ଲୀ୧/୧୨: ଗତ ଶୁକ୍ରବାର ଲଣ୍ଡନ ବ୍ରିଜରେ ହୋଇଥିବା ଛୁରିମାଡ ଘଟଣାର ତଦନ୍ତ ଯେତିକି ଆଗକୁ ବଢୁଛି ସେତିକି ନୂଆନୂଆ ରହସ୍ୟ ଖୋଲିବାରେ ଲାଗିଛି । ଏହି ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା, ୩ ଜଣ ଗୁରୁତର ଆହତ ହୋଇଥିଲେ। ଆକ୍ରମଣକାରୀ ଏକ ନକଲି ବିସ୍ଫୋରକ ଜ୍ୟାକେଟ୍ ପିନ୍ଧିଥିଲା ଓ ସମସ୍ତଙ୍କୁ ବିସ୍ଫୋରଣର ଧମକ ଦେଉଥିଲା । ଏଣୁ ତାକୁ ଜୀବନ୍ତ ଧରିବାକୁ ଯାଇଥିବା ପୋଲିସ ଗୁଳି କରିଥିଲା। ଫଳରେ ଘଟଣା ସ୍ଥଳରେ ଆକ୍ରମଣକାରୀ ପ୍ରାଣ ହରାଇଥିଲ। ପୋଲିସ ଏବେ ଆକ୍ରମଣକାରୀଙ୍କ ପରିଚୟ ଜାଣିବାକୁ ପାଇଛି। ତା ନାମ ଉଷ୍ମାନ ଖାନ ଓ ବୟସ ୨୮ ବର୍ଷ । ତାର ସମ୍ପର୍କ ପାକିସ୍ତାନ ସହ ଥିବା ପୋଲିସ କହିଛି । ଏହି ଆତଙ୍କବାଦୀ ବିରୋଧରେ ଚାଲିଥିବା ଅପରେସନର ଭାରତୀୟ ବଂଶୋଦ୍ଭବ ନୀଲ ବସୁ ନେତୃତ୍ବ ନେଇଥିଲେ।
ଉଷ୍ମାନ ଆତଙ୍କବାଦ ସଙ୍ଗଠନ ଅଲ-କାଏଦା ଓ ଇସ୍ଲାମିକ ଷ୍ଟେଟ ଦ୍ୱାରା ପ୍ରଭାବିତ ଥିଲା। ଏଣୁ ପ୍ରାୟତଃ ଆତଙ୍କବାଦ ଗତିବିଧି ସହ ସମ୍ପୃକ୍ତ ରହିଥିଲା। ପୂର୍ବରୁ ଏଥିଲାଗି ସେ ଗିରଫ ହୋଇଥିବା ବେଳେ ଜେଲରେ ବି ଥିଲା। ଗତ ୨୦୧୨ ମସିହାରେ କୋର୍ଟ ତାକୁ ବିପଦଜନକ ଜିହାଦୀ ବୋଲି କହିଥିଲେ। ତାକୁ ସେ ପର୍ଯ୍ୟନ୍ତ ଜେଲରୁ ମୁକ୍ତ କରାଯିବା ଉଚିତ ନୁହେଁ ଯେ ପର୍ଯ୍ୟନ୍ତ ସେ ନ ସୁଧୁରିଛି ବୋଲି କହିଥିଲେ। ତେବେ ସେ ଜେଲରୁ ପାରୋଲରେ ମୁକୁଳିଥିବା ବେଳେ ଲଣ୍ଡନବ୍ରିଜରେ ଆତଙ୍କ ସୃଷ୍ଟି କରି ପ୍ରାଣ ହରାଇଛି। ୨୦୦୮ରେ ଉଷ୍ମାନ ବିବିସିର ଏକ ଇଣ୍ଟରଭ୍ୟୁରେ କହିଥିଲା ସେ ଆତଙ୍କବାଦୀ ନୁହେଁ।