ଭାରତରେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଆଗ୍ରହୀ ପାକିସ୍ତାନୀ ଡାକ୍ତର, ସରକାରଙ୍କୁ ମାଗିଲେ ଅନୁମତି

Published By : Prameya-News7 Bureau | April 19, 2020 IST

ନୂଆଦିଲ୍ଲୀ, ୧୯|୦୪:  ପାକିସ୍ତାନର ବିଭିନ୍ନ ମେଡିକାଲ କଲେଜରେ ଏମବିବିଏସ ପାସ୍ କରିଥିବା ପ୍ରବାସୀ ହିନ୍ଦୁ ଚିକିତ୍ସକଙ୍କ ଏକ ଟିମ୍ ଭାରତ ସରକାରଙ୍କୁ ଏଠାରେ କରୋନା ସଂକ୍ରମିତଙ୍କ ଚିକିତ୍ସା କରିବାକୁ ଅନୁମତି ମାଗିଛି । କିନ୍ତୁ ଭାରତ ସରକାର ଏବେସୁଦ୍ଧା ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି ।

ଏଥିପାଇଁ ମିଳୁନି ଅନୁମତି

ଏହି ଡାକ୍ତରମାନେ ମେଡିକାଲ କାଉନସିଲ୍ ଅଫ ଇଣ୍ଡିଆ ଦ୍ୱାରା ନିର୍ଧାରିତ ପରୀକ୍ଷା ପାସ୍ ନକରିବା ଯାଏଁ ଅନୁମତି ମିଳିବ ନାହିଁ । ବିଦେଶରେ ପାଠ ପଢିଥିବା ଚିକିତ୍ସକଙ୍କୁ ଭାରତରେ କାର୍ଯ୍ୟ କରିବାକୁ ହେଲେ ଏହି ପରୀକ୍ଷାରେ ପାସ୍ କରିବା ବାଧ୍ୟତାମୂଳକ ।

ପାକିସ୍ତାନର ଏହି ଚିକିତ୍ସକମାନେ ଭାରତ ସରକାରଙ୍କୁ ପରୀକ୍ଷାରେ କୋହଳ ଓ ଚିକିତ୍ସା ପ୍ରଦାନ ପାଇଁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି । ଏହି ଟିମରେ ଏମ୍ ଏଲ୍ ଜାଙ୍ଗିଡ୍ ନାମକ ଜଣେ ଡାକ୍ତର ଅଛନ୍ତି । ସେ ୨୦ ବର୍ଷ ପୂର୍ବରୁ ଭାରତ ଆସିଥିଲେ । ତାଙ୍କ ପାଖରେ କରାଚୀ ମେଡିକାଲ କଲେଜର ଏମବିବିଏସ ଡିଗ୍ରୀ ଥିଲା । ଆଇସିଏମଆର ପରୀକ୍ଷା ପାଇଁ ଅନୁମତି ନମିଲିବାରୁ ତାଙ୍କ ଭଳି ୩୦୦ ଡାକ୍ତର ଭାରତରେ ପ୍ରାକ୍ଟିସ୍ କରିପାରିଲେ ନାହିଁ ବୋଲି ସେ କହିଛନ୍ତି । କାରଣ ବିଦେଶରେ ଏମବିବିଏସ କରିଥିବା କେବଳ ଭାରତୀୟ ଡାକ୍ତର ହିଁ ଏହି ପରୀକ୍ଷା ପାଇଁ ଯୋଗ୍ୟ ହୋଇପାରିବେ ।  ତେବେ ଭାରତ ସରକାର ଏବେ ସେମାନଙ୍କ ମାମଲାକୁ ଗମ୍ଭୀରତାର ସହ ନେବେ ବୋଲି ସେ ଆଶା କରୁଛନ୍ତି ।

ଆଉ ଜଣେ ପାକିସ୍ତାନୀ ହିନ୍ଦୁ ଡାକ୍ତର ଅନିଲା ସାରଦା କହିଛନ୍ତି ଯେ, ସେ ୨୦୦୭ରେ ଭାରତ ଆସିଥିଲେ । ତାଙ୍କ ପାଖରେ ପାକ୍ ହାଇଦ୍ରାବାଦ ମେଡିକାଲ କଲଜର ସାର୍ଟିଫିକେଟ୍ ଥିଲା । ତାଙ୍କୁ ଭାରତୀୟ ନାଗରିକତା ହାସଲ କରିବା ପାଇଁ ୧୧ ବର୍ଷ ଲାଗିଥିଲା । ଏଥିପାଇଁ ସେ ଆଉ ପରୀକ୍ଷା ଦେଇପାରି ନଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.