ହିନ୍ଦୁସ୍ଥାନୀ ଯୁବକଙ୍କୁ ଫେସବୁକରେ ଭଲ ପାଇ ବସିଲେ ପାକିସ୍ତାନୀ ଯୁବତୀ, ବିବାହ ପାଇଁ ମୋଦୀ ସରକାରଙ୍କୁ କଲେ ଗୁହାରି

Published By : Prameya-News7 Bureau | June 26, 2021 IST

ନୂଆଦିଲ୍ଲୀ ୨୬।୦୬: ପାକିସ୍ତାନର ଜଣେ ଯୁବତୀଙ୍କ ହିନ୍ଦୁସ୍ଥାନୀ ପୁଅ ସହ ଫେସବୁକରେ ପ୍ରେମ ହେଲା। ମନ ନିଆ ଦିଆ ହେଲା। ସାମାଜିଜ ଗଣମାଧ୍ୟମ ଜରିଆରେ ଉଭୟଙ୍କ ମଧ୍ୟରେ ନିବିଡତା ହେଲା। ଦୁହେଁ ପରସ୍ପରକୁ ଏତେ ଭଲ ପାଇ ବସିଲେ ଯେ, ଜୀବନସାଥୀ ହେବାକୁ ନିଷ୍ପତ୍ତି ନେଲେ। ମାତ୍ର ଦୁଇ ଦେଶର ସୀମା ତାଙ୍କ ବିବାହରେ ବାଧକ ସାଜିଛି। ପାକିସ୍ତାନୀ ଯୁବତୀ ସୁମନ ରନତିଲାଲ ଭାରତ ଆସି ପ୍ରେମିକଙ୍କୁ ବିବାହ କରିବା ପାଇଁ ମୋଦୀ ସରକାରଙ୍କଠୁ ବିଶେଷ ଅନୁମତି ମାଗିଛନ୍ତି।

ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ସୁମନ ପାକିସ୍ତାନର କରାଚିରେ ଶିକ୍ଷକତା କରନ୍ତି। ୨୦୧୯ ସେପ୍ଟେମ୍ବରରେ ଫେସବୁକରେ ତାଙ୍କର ସାକ୍ଷାତ ଭାରତର ଗୁରୁଦାସପୁର ନିବାସୀ ଅମିତ୍ ଶର୍ମାଙ୍କ ସହ ହୋଇଥିଲା। ହେଲେ ସାମାଜିକ ଗଣାମଧ୍ୟମରେ ଦୁହେଁ ପରସ୍ପରର ଏତେ ନିକଟରତର ହେଲେ ଏବଂ ଉଭୟଙ୍କୁ ବେଶ୍ ଭଲ ଭାବେ ଜାଣିବା ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।  

ସୁମନ କରାଚିରୁ ଫୋନ୍ କରି କହିଛନ୍ତି, ମୁଁ ଭାରତ ଆସି ଅମିତ୍‌ଙ୍କୁ ବିବାହ କରିବାକୁ ଅପେକ୍ଷା କରି ରହିଛି। ୨୦୧୯ରେ ଫେସବୁକରେ ପ୍ରେମ ହେବା ପରେ ସୁମନ ଭାରତ ଆସିବାକୁ ଅନେକ ମାସ ଧରି ଅପେକ୍ଷା କରି ରହିଛନ୍ତି। ମାତ୍ର ଗତ ବର୍ଷ ମାର୍ଚ୍ଚଠୁ କରୋନା ମହାମାରୀ କାରଣରୁ ଦୁଇ ଦେଶ ମଧ୍ୟରେ ଯାତାୟାତ ବନ୍ଦ ରହିଛି। ଏଥିପାଇଁ ସୁମନଙ୍କୁ ଏ ପର୍ଯ୍ୟନ୍ତ ଭିସା ମିଳିନାହିଁ।

ଗୁରୁଦାସପୁରରେ ଏକ ଘରୋଇ କମ୍ପାନୀରେ ସେଲ୍ସ ମ୍ୟାନେଜର ଚାକିରି କରୁଥିବା ଅମିତ୍ କହିଛନ୍ତି, ସେ ଫେସବୁକରେ କରାଚିରେ ଜନ୍ମାଷ୍ଟମୀ ପାଳନର ଫଟୋ ଦେଖୁଥିଲେ। ଏହି ସମୟରେ ତାଙ୍କ ନଜର ସୁମନଙ୍କ ଫଟୋ ଉପରେ ପଡିଥିଲା। ସେ ସୁମନଙ୍କୁ ମେସେଜ୍ ପଠାଇଥିଲେ। କିଛି ଦିନ ପରେ ସୁମନ ଉତ୍ତର ଦେଇଥିଲେ। ଏହାର କିଛି ଦିନ ପରେ ଦୁହେଁ ପରସ୍ପରର ନମ୍ବର ଦିଆନିଆ ହୋଇଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢିବାରେ ଲାଗିଥିଲା। ଗତ ବର୍ଷ ନଭେମ୍ବରରେ ଅମିତ୍ ବିବାହ ପ୍ରସ୍ତାବ ଦେଇଥିଲେ, ଯାହାକୁ ସୁମନ ସ୍ଵୀକାର କରି ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.