ପାକିସ୍ତାନୀ ସମାଜସେବୀ କରୋନା ସଂକ୍ରମିତ, ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ମଧ୍ୟ କରିଥିଲେ ସାକ୍ଷାତ
21/04/2020 at 6:04 PM

ଲାହୋର,୨୧|୦୪: ପାକିସ୍ତାନରେ ଇଦି ଫାଉଣ୍ଡେସନର ଚେୟାରମ୍ୟାନ କରୋନା ସଂକ୍ରମିତ ହୋଇଛନ୍ତି ।ସେ ନିକଟରେ ପାକ୍ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ସାକ୍ଷାତ କରିଥିଲେ । ଏନେଇ ପାକିସ୍ତାନୀ ଖବର କାଗଜ ‘ଦି ଡନ’ ରେ ଖବର ପ୍ରକାଶ ପାଇଛି ।
‘ଦି ଡନ’ ଅନୁସାରେ, ସମାଜସେବୀ ଅବ୍ଦୁଲ ସତ୍ତାର ଇଦିଙ୍କ ପୁତ୍ର ଫୈଜଲ ଇଦି ଏପ୍ରିଲ ୧୫ରେ ପାକ୍ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ସାକ୍ଷାତ କରିଥିଲେ । ଏହାପରଠୁ ତାଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା । ଫୈଜଲଙ୍କ ପୁତ୍ର ସାଦ୍ କହିଛନ୍ତି ଯେ, ପିତାଙ୍କ ଠାରେ ୪ଦିନ ଯାଏଁ କରୋନା ଭାଇରସର ଲକ୍ଷଣ ଦେଖିବାକୁ ମିଳିଥିଲା । ଯାଂଚ ପରେ ସେ କରୋନା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଥିଲା । ଏବେ ତାଙ୍କୁ ଇସଲାମବାଦରେଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସେ କୌଣସି ମେଡିକାଲରେ ନୁହେଁ ବରଂ ଘରେ କ୍ୱାରେଣ୍ଟାଇନରେ ରହି ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ଫୈଜଲ ଇଦି ଫାଉଣ୍ଡେସନର ଚେୟାରମ୍ୟାନ ରହିଛନ୍ତି ।
ଫୈଜଲ ଗତ ସପ୍ତାହରେ ପାକ୍ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ସାକ୍ଷାତ କରିଥିଲେ । ଏହାସହ କରୋନା ମୁକାବିଲା ପାଇଁ ଆର୍ଥିକ ସାହାଯ୍ୟ ମଧ୍ୟ କରିଥିଲେ । ସେ ଏକ କୋଟି ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ସେ ସଂକ୍ରମିତ ହେବା ପରେ ଇମରାନଙ୍କ ଉପରେ ବିପଦ ଆସିଛି । ଇମରାନ ଟେଷ୍ଟ କରିବେ ନା ନାହିଁ ସେନେଇ କୌଣସି ସୂଚନା ମିଳିପାରି ନାହିଁ ।
ସୂଚନାଯୋଗ୍ୟ, ପାକିସ୍ତାନରେ ଏବେସୁଦ୍ଧା ୯୫୦୫ଜଣ କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୯୭ଜଣଙ୍କର ମୃତ୍ୟୁ ହୋଇସାରିଛି ।