ଆଜୀବନ ବାସନ୍ଦ ହେବେ ଉମର ଆକମଲ ! ପାକ୍ କୋଚ ମଧ୍ୟ ଛାଡିଲେ ହାତ
1/04/2020 at 3:22 PM

ଲାହୋର, ୦୧|୦୪: ପାକିସ୍ତାନୀ କ୍ରିକେଟର ଉମର ଆକମଲ ଏବେ ଅନେକ ବିବାଦ ମଧ୍ୟରେ ଗତି କରୁଛନ୍ତି । ସେ ଏବେ ଫର୍ମରେ ମଧ୍ୟ ନାହାଁନ୍ତି । ସେ କୌଣସି ନା କୌଣସି ବିବାଦରେ ଫଶି ଚର୍ଚ୍ଚାର ପରିଧି ମଧ୍ୟକୁ ଆସିଯାଉଛନ୍ତି । ଫେବ୍ରୁଆରୀ ମାସରେ ଫିଟନେସ୍ ଟେଷ୍ଟ ବେଳେ ଦୁର୍ବ୍ୟବହାର ପ୍ରଦର୍ଶନ କାରଣରୁ ତାଙ୍କୁ ନିଲମ୍ବିତ କରାଯାଇଥିଲା । ଏହାପରେ ତାଙ୍କ ବିରୋଧରେ ମ୍ୟାଚ ଫିକ୍ସିଂ ଅଫର ଲୁଚାଇଥିବା ଅଭିଯୋଗ ଆସିଥିଲା । ତେବେ ପାକ୍ ଦଳର କୋଚ ଓ ମୁଖ୍ୟ ଚୟନକର୍ତ୍ତା ମିସବାହ-ଉଲ-ହକ ଏହାକୁ ନେଇ କିଛି କରିପାରିବେ ନାହିଁ ବୋଲି କହିଛନ୍ତି ।

ମିସବାହ କହିଛନ୍ତି ଯେ, ସେ ଆକମଲଙ୍କୁ ନେଇ କିଛି କରିପାରିବେ ନାହିଁ । ଆକମଲ ନିଜେ ଏହାର ବିଚାର କରିବା ଆବଶ୍ୟକ । ସେ ଅନୁଶାସନ ପାଳନ କରି କ୍ରିକେଟ ଉପରେ ଧ୍ୟାନ ଦେବା ଜରୁରୀ । ତାଙ୍କ ପାଖରେ ସମୟ ରହିଛି । ସେ ନିଜକୁ ସୁଧାରିବା ଆବଶ୍ୟକ । ସେ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ଫିଟନେସ୍ ଓ ଅନୁଶାସନ ଉପରେ ଧ୍ୟାନ ଦେବା ଆବଶ୍ୟକ ।
ଆକମଲଙ୍କ ଉପରେ ଲାଗିପାରେ ବ୍ୟାନ
ଉମର ଆକମଲ ପିଏସଏଲରେ ଖେଳିପାରି ନଥିଲେ । ତାଙ୍କୁ ଲିଗ୍ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ସସପେଣ୍ଡ୍ କରାଯାଇଥିଲା । ଫିକ୍ସିଂ ସହ ଜଡିତ ମାମଲାର ତଦନ୍ତ ନସରିବା ଯାଏ ତାଙ୍କୁ ଖେଳିବା ପାଇଁ ଅନୁମତି ଦିଆଯିବ ନାହିଁ । ଯଦି ସେ ଦୋଷୀ ପ୍ରମାଣିତ ହୁଅନ୍ତି ତେବେ ତାଙ୍କ ଉପରେ ବାସନ୍ଦାଦେଶ ଲାଗିପାରେ ।