ନୱାଜ ସରିଫଙ୍କୁ ଶେଷ ସୁଯୋଗ ! ଅଗଷ୍ଟ ୧୭ରେ ହାଜର ନ ହେଲେ ଅପରାଧୀ ଘୋଷଣା କରିବ ପାକ୍ କୋର୍ଟ
14/07/2020 at 8:01 PM

ଇସ୍ଲାମାବାଦ ୧୪।୭: ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ତଥା ଏବେ ଲଣ୍ଡନରେ ରହି ଚିକିତ୍ସିତ ହେଉଥିବା ମିଆଁ ନୱାଜ ସରିଫଙ୍କୁ ହାଜର ହେବାକୁ ମଙ୍ଗଳବାର ତାରିଖ ଘୋଷଣା କରିଛନ୍ତି ପାକିସ୍ତାନ ଦୁର୍ନୀତି ନିବାରଣ କୋର୍ଟ। ଆଗାମୀ ଅଗଷ୍ଟ ୧୭ ତାରିଖରେ ତାଙ୍କୁ ବ୍ୟକ୍ତିଗତ ହାଜର ଲାଗି କୋର୍ଟ ଶେଷ ତାରିଖ ଧାର୍ଯ୍ୟ କରିଛନ୍ତି। ଯଦି ସେଦିନ ସରିଫ ହାଜର ନ ହୁଅନ୍ତି ତେବେ ହୁଏତ ତାଙ୍କୁ କୋର୍ଟ ଅପରାଧୀ ଘୋଷଣା କରିପାରେ ବୋଲି ଅନୁମାନ କରାଯାଉଛି।
୩ ଥର ଦେଶର ପ୍ରଧାନମନ୍ତ୍ରୀ ଥିବା ୭୦ ବର୍ଷ ବୟସ୍କ ନୱାଜ ସରିଫ ଏବେ ଚିକିତ୍ସା ଲାଗି ଲଣ୍ଡନରେ ଅବସ୍ଥାନ କରୁଛନ୍ତି। ଏଥିଲାଗି ପାକିସ୍ତାନ କୋର୍ଟ ଗତବର୍ଷ ନଭେମ୍ବର ମାସରେ ୪ ସପ୍ତାହ ଲାଗି ଜାମିନ ମଞ୍ଜୁର କରିଥିଲେ। ଏହା ପରେ ତାଙ୍କୁ ସ୍ୱତନ୍ତ୍ର ବିମାନ ଯୋଗେ ଲଣ୍ଡନ ନିଆଯାଇ ସେଠାରେ ଚିକିତ୍ସା କରାଯାଉଛି। ତେବେ କୋର୍ଟରେ ହାଜର ହେବା ନେଇ ଜାରି ନୋଟିସକୁ ତୋସଖାନା ପକ୍ଷରୁ ଲାହୋର ମଡେଲ ଟାଉନସ୍ଥିତ ନୱାଜଙ୍କ ବାସଭବନରେ ଲଗାଯାଇଥିଲା। ନୋଟିସ୍ ରଖିବାକୁ କେହି ନଥିବାରୁ ତାହା ଫେରିଯାଇଛି।
ପାକ୍ ଉତ୍ତରଦାୟୀ ଅଧିନିୟମ ଆଇନ ୧୯୯୯ର ଧାରା ୯ ଓ ୧୦ରେ ସମନ୍ ଗ୍ରହଣ ନ ହେବା ଦଣ୍ଡନୀୟ ଅପରାଧ। ଏଣୁ କୋର୍ଟଙ୍କ ୱାରେଣ୍ଟ ଫେରସ୍ତ ହୋଇଥିବାରୁ ଅଭିଯୁକ୍ତ ଫେରାର ବୋଲି କୋର୍ଟ ସ୍ପଷ୍ଟ ହୋଇଥିବା କହିଛନ୍ତି। ଦଣ୍ଡବିଧି ଆଇନ ଧାରା ୮୭ ଅନୁସାରେ କୋର୍ଟ ସରିଫଙ୍କୁ ଅଗଷ୍ଟ ୧୭ ତାରିଖରେ ହାଜର ହେବାକୁ ଶେଷ ସୁଯୋଗ ଦେଇଛନ୍ତି। ସେପଟେ କୋର୍ଟ ବୈଦେଶିକ ମନ୍ତ୍ରାଳୟଙ୍କୁ ବ୍ରିଟେନସ୍ଥିତ ଦୂତାବାସକୁ ୱାରେଣ୍ଟ ପଠାଇ ନୱାଜଙ୍କ ଗିରଫ ସୁନିଶ୍ଚିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।