ଲକଡାଉନକୁ ନେଇ ପାକିସ୍ତାନରେ ସେନା-ସରକାର ମୁହାଁମୁହିଁ, ବିପଦରେ ଇମରାନଙ୍କ ଆସନ

Published By : Prameya-News7 Bureau | April 26, 2020 IST

ନୂଆଦିଲ୍ଲୀ, ୨୬|୦୪: ସାରା ବିଶ୍ୱ କରୋନା ଭାଇରସ ବିରୋଧରେ ଲଢେଇ ଜାରି ରଖିଛନ୍ତି । ତେବେ ପାକିସ୍ତାନ ସରକାର କରୋନା ମୁକାବିଲା ତଥା ସଂକ୍ରମଣ ରୋକିବା ପାଇଁ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିନାହାଁନ୍ତି । ଏପରିକି ପ୍ରଧାନମନ୍ତ୍ରୀ ଇମରାନ ଖାନ ମଧ୍ୟ ଦେଶକୁ ଲକଡାଉନ୍ କରିବେ ନାହିଁ ବୋଲି ଘୋଷଣା କରିଥିଲେ । କିନ୍ତୁ ଏହି ଘୋଷଣା ପରେ ସେଠାରେ ସରକାର ଓ ସେନା ମୁହାଁମୁହିଁ ହୋଇଛନ୍ତି ।

ଇମରାନ ଖାନ ଦେଶରେ ଲକଡାଉନ ଜାରି କରିବେ ନାହିଁ କହିଥିଲେ । ତାଙ୍କର ଯୁକ୍ତି ଥିଲା ଥିଲା ଯେ ଲକଡାଉନ ପାଇଁ ଦେଶରେ ବୋରୋଜଗାର ବୃଦ୍ଧି ପାଇବ । ଅନେକ ଲୋକ ଖାଇବାକୁ ପାଇବେ ନାହିଁ ।  ଏନେଇ ସେ ମାର୍ଚ୍ଚ ୨୨ ତାରିଖରେ ଘୋଷଣା କରିଥିଲେ ।  କିନ୍ତୁ ପାକିସ୍ତାନୀ ସେନା ଏହି ନିଷ୍ପତ୍ତିକୁ ବିରୋଧ କରିଛି ।

{"id":260468,"width":689,"height":387,"sizeSlug":"large"}

ପାକିସ୍ତାନୀ ସେନା ପ୍ରବକ୍ତା ମେଜର ଜେନେରାଲ ବାବର୍ ହଫିତକାର କହିଛନ୍ତି ଯେ, ସେନା ଦେଶରେ ଲକଡାଉନକୁ ନିଜ ହାତକୁ ନେବ । ଏହାପରେ ସାରା ଦେଶରେ ସୈନିକଙ୍କୁ ମୁତୟନ କରାଯାଇଛି । ଏହାପରେ ଲୋକଙ୍କୁ ଲକଡାଉନ୍ ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ନେଇ ଇମରାନ ସରକାର ଓ ସେନା ମୁହାଁମୁହିଁ ହୋଇଛନ୍ତି । ଏପରିକି ଇମରାନଙ୍କ ଆସନ ମଧ୍ୟ ଟଳମଳ ସ୍ଥିତିରେ ରହିଛି । 

ଜଣେ ଅବସରପ୍ରାପ୍ତ ସୈନ୍ୟଅଧିକାରୀ କହିଛନ୍ତି ଯେ, ସରକାର କରୋନା ମୁକାବିଲା ଠିକସେ କରିପାରୁ ନାହାଁନ୍ତି । ତେଣୁ ସେନା ବାଧ୍ୟ ହୋଇ ଏହାକୁ ନିଜ ହାତକୁ ନେଇଛି । ତେବେ କରୋନା ମୁକାବିଲା ପାଇଁ ସେନା ଆଗକୁ ଆସିବା ସରକାରଙ୍କ ବିଫଳତା ବୋଲି କୁହାଯାଉଛି । ଯେଉଁ ସେନା ୨୦୧୮ରେ ଇମରାନଙ୍କୁ କ୍ଷମତା ଦେବା ପାଇଁ ସାହାଯ୍ୟ କରିଥିଲା ଏବେ ସେ ନିଜେ ତାଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଛି ।

ପାକ୍ ମନ୍ତ୍ରୀ ଅସଦ ଉମର କହିଛନ୍ତି ଯେ, ଦେଶରେ ଲାଗୁ ହୋଇଥିବା ବିଭିନ୍ନ ପ୍ରତିବନ୍ଧକ ମେ ୯ ଯାଏଁ ଜାରି ରହିବ । ଇମରାନଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ, ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨ହଜାର ଛୁଇଁଥିବା ବେଳେ ୨୫୩ଜଣ ପ୍ରାଣ ହରାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.