ଆଫଗାନିସ୍ତାନରେ ଭାରତର ଦବଦବାକୁ ପାକିସ୍ତାନର ଡର, କହିଲା କାବୁଲ ସହ ଦିଲ୍ଲୀର ପ୍ରତିରକ୍ଷା ସମ୍ପର୍କକୁ କରିବୁ ବିରୋଧ

Published By : Prameya-News7 Bureau | March 06, 2020 IST

ଇସଲାମାବାଦ ୬।୩: ଆଫଗାନିସ୍ତାନରେ ଭାରତର ଦବଦବାକୁ ଡରୁଛି ପାକିସ୍ତାନ । କାବୁଲ ସହ ଦିଲ୍ଲୀର ପ୍ରରିରକ୍ଷା ସଂପର୍କକୁ ବିରୋଧ କରିବ ବୋଲି କହିଛି ପାକିସ୍ତାନ । ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କୁରେଶି କହିଛନ୍ତି ଯେ, ଆଫଗାନିସ୍ତାନର ସୁରକ୍ଷା ପ୍ରସଙ୍ଗରେ ଭାରତର କୌଣସି ଭୂମିକାକୁ ପାକିସ୍ତାନ ବିରୋଧ କରିବ। ପାକିସ୍ତାନର ସଂସଦରେ କୁରେଶି କହିଛନ୍ତି ଯେ, ପାକିସ୍ତାନ ଆଫଗାନିସ୍ତାନରେ ଭାରତର କୌଣସି ସୁରକ୍ଷା ଭୂମିକା ଚାହୁଁ ନାହିଁ କିମ୍ବା ଅଲ-କାଏଦା ଏବଂ ଆଇଏସଆଇଏସ ଭଳି ଆତଙ୍କବାଦୀ ସଂଗଠନର ଉପସ୍ଥିତି ମଧ୍ୟ ଚାହୁଁନାହିଁ।

ଆଫଗାନିସ୍ତାନରେ ଭାରତର ଭୂମିକା ଏକ ବିଘ୍ନକର୍ତ୍ତା ଭଳି । ଆଫଗାନିସ୍ତାନରେ ଭାରତର ଉପସ୍ଥିତି ସମ୍ପର୍କରେ ସେ କହିଛନ୍ତି ଯେ, ସେ ମଧ୍ୟ ଅତୀତରେ ବିଘ୍ନକର୍ତ୍ତା ଭୂମିକାରେ ଥିଲେ ଏବଂ ଆଫଗାନିସ୍ତାନ ଭିତରେ ତଥା ବାହାରେ ମଧ୍ୟ ସମାନ ଭୂମିକାରେ ଆଜି ବି ଅଛନ୍ତି, ଯିଏ ନିଜର ଲକ୍ଷ୍ୟ ପୂରଣ କରିବାକୁ ଚାହୁଁଛନ୍ତି।

ଆଫଗାନିସ୍ତାନ ସହ ଦ୍ବିପାକ୍ଷିକ ଭାବରେ ସମସ୍ତ ସମସ୍ୟାର ସମାଧାନ କରିବାକୁ ପାକିସ୍ତାନ ଆଗ୍ରହୀ ଥିଲା । ମୁଁ ଅନୁରୋଧ କରୁଛି ଯେ, ତୃତୀୟ ପକ୍ଷର ହସ୍ତକ୍ଷେପ ସହିତ ଦୁଇ ଦେଶ ପାଇଁ କୌ ଣସି ବାଟ ମିଳିବ ନାହିଁ। ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଭୁଲ ବୁଝାମଣାର ସମାଧାନ ପାଇଁ ଆମେରିକାର ହସ୍ତକ୍ଷେପ ସମ୍ପର୍କରେ କୁରେଶି କହିଛନ୍ତି ଯେ, କୌ ଣସି ତୃତୀୟ ପକ୍ଷ ଆମ ପାଇଁ ବାଟ ଖୋଜି ପାରିବେ ନାହିଁ।

ଆଫଗାନିସ୍ତାନରେ ସାମଗ୍ରିକ ଶାନ୍ତି ଏବଂ ସମାଧାନ ପ୍ରକ୍ରିୟାରେ ପାକିସ୍ତାନର ଭୂମିକା ଏକ ସହାୟକ ଭଳି ରହିଛି । ତେବେ ଆଫଗାନିସ୍ତାନରେ ଶାନ୍ତି ଭରଷା ପାକିସ୍ତାନ ଦେଇପାରିବ ନାହିଁ । ସେ କହିଛନ୍ତି, ‘ଏହା ଏକ ଚୁକ୍ତି ଦାୟିତ୍ବ ଏବଂ ସମସ୍ତ ହିତାଧିକାରୀଙ୍କୁ ସେମାନଙ୍କର ଭୂମିକା ନିର୍ବାହ କରିବାକୁ ପଡିବ | ଏଥିରେ ଅନେକ ଶକ୍ତି, ସେମାନଙ୍କର ନିଜର ସ୍ବାର୍ଥ ଏବଂ ସେମାନଙ୍କର ଉଦ୍ଦେଶ୍ୟ ସାମିଲ ରହିଛି |

ଦୋହାରେ ଆମେରିକା ଏବଂ ଆଫଗାନିସ୍ତାନ ତାଲିବାନ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତି ବିଷୟରେ କୁରେଶି କହିଛନ୍ତି ଯେ, ଆଫଗାନିସ୍ତାନ ନେତୃତ୍ବ ପାଇଁ ଏହା ଏକ ପ୍ରକୃତ ପରୀକ୍ଷା ହେବ। ସେ କହିଛନ୍ତି, ‘ସେମାନେ ଏହି ସୁଯୋଗର ଫାଇଦା ନେଇ ଶାନ୍ତିପୂର୍ଣ୍ଣ ଢଙ୍ଗରେ ଆଗକୁ ଆଗକୁ ବଢିପାରିବେ କି ନାହିଁ, ଏହା କେବଳ ସମୟ କହିବ।’

କୁରେଶି ଆହୁରି ସ୍ପଷ୍ଟ କରିଛନ୍ତି ଯେ, ଯଦି ଆଫଗାନିସ୍ତାନରେ ଅସ୍ଥିରତା ଉପୁଜେ ତେବେ ପାକିସ୍ତାନ ଏବେ ଅଧିକ ଶରଣାର୍ଥୀଙ୍କୁ ଏଠାକୁ ଆସିବାକୁ ଦେବ ନାହିଁ। ଭବିଷ୍ୟତରେ ଇସଲାମାବାଦ ଆଫଗାନିସ୍ତାନ ଶରଣାର୍ଥୀମାନଙ୍କ ପାଇଁ ଦ୍ବାର ଖୋଲିବ ନାହିଁ। କୁରେଶି ଏହା ମଧ୍ୟ କହିଛନ୍ତି ଯେ, ଆଫଗାନିସ୍ତାନ ଶରଣାର୍ଥୀଙ୍କ ସୁରକ୍ଷିତ ତଥା ସମ୍ମାନଜନକ ପ୍ରତ୍ୟାବର୍ତ୍ତନ ଦେଖିବାକୁ ଚାହୁଁଛି ପାକିସ୍ତାନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.