ପାକିସ୍ତାନରୁ ଲୁଚି ଲୁଚି ଆମେରିକା ଚାଲିଯାଇଥିବା ଯୁବତୀ ଖୋଲିଲେ ପୋଲ : କହିଲେ ପାକିସ୍ତାନରେ ଏମିତି ହେଉଛି ମହିଳାଙ୍କ ଉପରେ ଅତ୍ୟାଚାର

Published By : Prameya-News7 Bureau | September 20, 2019 IST

 ଓ୍ବାଶିଙ୍ଗଟନ୍ ୨୦/୯: ପାକିସ୍ତାନରେ ମହିଳା ଏବଂ ଛୋଟ ପିଲାଙ୍କ ସହ ହେଉଥିବା ଅତ୍ୟାଚାର ବିରୋଧରେ ସ୍ବର ଉତ୍ତୋଳନ କରିଥିବା ଜଣେ ମାନବାଧିକାର କର୍ମୀ ହେଉଛନ୍ତି ଗୁଲାଲାଇ ଇସ୍ମାଇଲ୍ । ମହିଳାଙ୍କ ବିରୋଧରେ ହେଉଥିବା ଅତ୍ୟାଚାରକୁ ସେ ଖାଲାଖୋଲି ବିରୋଧ କରୁଥିବାରୁ ନିଜ ଦେଶ ପାକିସ୍ତାନରେ ହିଁ ତାଙ୍କୁ  ଲୁଚି ଲୁଚି ବଞ୍ଚିବାକୁ ହେଉଥିଲା। ତେବେ ସେ ଲୁଚୁ ଲୁଚି ଦେଶ ଛାଡିବା ସହ ବର୍ତ୍ତମାନ ଆମେରିକାରେ ଆଶ୍ରୟ ନେଇଛନ୍ତି। ପାକିସ୍ତାନ କିଭଳି ମାନବାଧିକାର ଉଲ୍ଲଙ୍ଘନ କରୁଛି ଏହା ହେଉଛି ତାର ଏକ ଜ୍ବଳନ୍ତ ଉଦାହରଣ । ନାରୀ ନିର୍ଯ୍ୟତନା ବିରୋଧରେ ସ୍ବରତ୍ତୋଳନ କରିଥିବାରୁ ଇସ୍ମାଇଲଙ୍କ ବିରୋଧରେ ରାଜଦ୍ରୋହ ଭଳି ମାମଲା ହୋଇଥିଲା ।  ସେଥିପାଇଁ ସେ ଲୁଚି ଲୁଚି ପାକିସ୍ତାନ ଛାଡ଼ି ଆମେରିକା ଚାଲି ଯାଇଥିଲେ।

{"id":160124}

ସୂଚନାଯୋଗ୍ୟ ଯେ, ପାକିସ୍ତାନୀ ସୁରକ୍ଷା କର୍ମଚାରୀ ଯୌନ ନିର୍ଯ୍ୟାତନା ଦେଉଥବା ଘଟଣାକୁ ଇସ୍ମାଇଲ୍ ପର୍ଦ୍ଦାଫାଶ କରିବାକୁ ଉଦ୍ୟମ କରିଥିଲେ। ଦେଶରେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ ଇସ୍ମାଏଲ୍ ସ୍ବର ଉତ୍ତୋଳନ କରିଥିବାରୁ ତାଙ୍କ ବିରୋଧରେ ଦେଶଦ୍ରୋହର ଅଭିଯୋଗ ହୋଇଥିଲା। ମହିଳା ମାନବାଧିକାର କର୍ମୀଙ୍କ ଏକ ଗୋଷ୍ଠୀ ଇମରାନ ଖାନଙ୍କୁ ଚିଠି ଲେଖି ଇସ୍ମାଇଲଙ୍କ ସୁରକ୍ଷା ପ୍ରଦାନ କରିବାକୁ ଆବେଦନ କରିଥିଲେ। ହେଲେ କୌଣସି ସୁଫଳ ମିଳିନଥିଲା ।

{"id":160125}

ନ୍ୟୁୟର୍କ ଟାଇମ୍ସ ଅନୁସାରେ ୩୨ବର୍ଷ ବୟସ୍କା ଇସ୍ମାଇଲ୍ ଗତ ମାସରେ ସେଠାରୁ ପଳାୟନ କରିବାରେ ସଫଳ ହୋଇଥିଲେ । ଏବେ ସେ ନିଜ ଭଉଣୀ ସହ ବ୍ରୃକଲିନରେ ରହୁଛନ୍ତି। ଇସ୍ମାଇଲ୍ ଆମେରିକାରେ ରାଜନୈତିକ ଆଶ୍ରୟ ପାଇଁ ଆବେଦନ କରିଛନ୍ତି। ସେ ପାକିସ୍ତାନରୁ ପଳାୟନ କରିଛନ୍ତି ବୋଲି ଜଣାପଡିବାପରେ ପାକିସ୍ତାନରେ ଆହୁରି ବହୁ ଲୋକଙ୍କ ଜୀବନ ବିପନ୍ନ ହୋଇଛି । ସେମାନଙ୍କ ସହ ଯେକୌଣସି ମୁହୂର୍ତ୍ତରେ ଯାହା ବି ଘଟିପାରେ । ତାଙ୍କ ବିରୋଧରେ ଲାଗାଯାଇଥିବା ରାଜଦ୍ରୋହ ଅଭିଯୋଗକୁ ଭିତ୍ତିହୀନ ବୋଲି ଇସ୍ମାଇଲ୍ କହିଛନ୍ତି । ମହିଳାଙ୍କୁ ପାକିସ୍ତାନ ସେନା ଦେଉଥିବା ଯୌନ ନିର୍ଯ୍ୟାତନା ଘଟଣାର ପର୍ଦ୍ଦାଫାଶ କରିଥିବାରୁ ତାଙ୍କୁ ଟାର୍ଗେଟ କରାଯାଉଥିବା ସେ କହିଛନ୍ତି ।

{"id":160126}

 

ଇମରାନ ଖାନ୍ ସରକାର କ୍ଷମତାକୁ ଆସିବାର ବର୍ଷେ ପରେ ଇସ୍ମାଇଲଙ୍କ ସମସ୍ୟା ଆରମ୍ଭ ହୋଇଥିଲା। ପଶତୁନ ତହଫ୍ଫୁଜ ଆନ୍ଦୋଳନରେ ଇସ୍ମାଇଲ ଭାଗ ନେଉଥିଲେ । ସେଥିପାଇଁ ତାଙ୍କ ବିରୋଧରେ ଆତଙ୍କବାଦ ନିରୋଧୀ ଆଇନ୍ ଅନୁସାରେ ଦେଶଦ୍ରୋହ ଅଭିଯୋଗ ମାମଲା ହୋଇଛି ।  ଫରିସ୍ତା ମହମ୍ମଦ ନାମକ ଜଣେ ମହିଳାଙ୍କୁ ପାକିସ୍ତାନୀ ସେନା ଦୁଷ୍କର୍ମ କରିବା ସହ ହତ୍ୟା କରିଥିଲା । ଏହାକୁ ବିରୋଧ କରି ହୋଇଥିବା ବିକ୍ଷୋଭ ପ୍ରଦର୍ଶନରେ ଇସ୍ମାଇଲ ଭାଗ ନେଇଥିଲେ। ଫରିସ୍ତା ମହମ୍ମଦ ଫରିସ୍ତାଙ୍କ ମୃତଦେହ ଇସଲାମାବାଦର ଉଡଲାଣ୍ଡରୁ ଉଦ୍ଧାର ହୋଇଥିଲା। ସେହିଭଳି ମଇ ୨୭ତାରିଖରେ ଦେଶ ବିରୋଧୀ ଭାଷଣ ଯୋଗୁଁ ଇମରାନ ସରକାର ଇସ୍ମାଇଲଙ୍କୁ ବ୍ଲାକଲିଷ୍ଟ କରିଥିଲା।  

{"id":160128}

ଇସ୍ମାଇଲ୍ ୩ମାସ ପାକିସ୍ତାନର ଭିନ୍ନ ଭିନ୍ନ ସହରରେ ନିଜ ବନ୍ଧୁଙ୍କ ଘରେ ରହିଥିଲେ। ଏହି ସମୟରେ ସେ ଅଧିକାଂଶ ସମୟ ଘର ଭିତରେ ଲୁଚି ଲୁଚୁ ଜୀବନ ବିତାଉଥିଲେ। ଏବେ ସେ ଆମେରିକାରେ ଅଛନ୍ତି, କିନ୍ତୁ ସେ ଏବେବି ତାଙ୍କ ପରିବାର ଲୋକ ଏବଂ  ପାକିସ୍ତାନରେ ଆତ୍ମଗୋପନ କରିବାକୁ  ସାହାଯ୍ୟ କରିଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠନ ହେବା ଭୟରେ ସେ ଅଛନ୍ତି ବୋଲି କହିଛନ୍ତି ।

{"id":160129}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.