ବିଚଳିତ ପାକିସ୍ତାନ ; ଏଲଓସିରେ ପାକିସ୍ତାନ ପଟୁ ଗୁଳିମାଡ, ୭ ଯବାନ ଆହତ

Published By : Prameya-News7 Bureau | February 27, 2019 IST

ନୂଆଦିଲ୍ଲୀ ୨୭|୨: ଭାରତୀୟ ବାୟୁସେନା ଦ୍ବାରା ଏୟାର ଷ୍ଟ୍ରାଇକ୍ କରାଯିବା ପରେ ପାକିସ୍ତାନ ବିଚଳିତ ହୋଇଯାଇଛି । ଭାରତର ପ୍ରତି ଜବାବ ପରେ ବିଳବିଳେଇ ଯାଇଛି ପାକିସ୍ତାନ । ଫଳରେ ଅସ୍ତ୍ର ବିରତି ଉଲଂଘନ କରିଛି ପାକିସ୍ତାନ । ଲାଇନ୍ ଅଫ୍ କଣ୍ଟ୍ରୋଲରେ ଅସ୍ତ୍ର ବିରତି ଉଲଂଘନ କରିଛି ପାକ୍ । ରାତି ତମାମ ପାକ୍ ପକ୍ଷରୁ ଗୁଳିମାଡ କରାଯାଇଛି । ଭାରତୀୟ ସୈନ୍ୟ ଏବଂ ପାକ୍ ସେନାଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଛି । ଏଥିରେ ୭ଜଣ ଭାରତୀୟ ଯବାନ ଆହତ ହୋଇଛନ୍ତି । ପାକିସ୍ତାନ ଭାରତର ବଙ୍କର ସହ ସ୍ଥାନୀୟ ଲୋକଙ୍କ ଘରକୁ ମଧ୍ୟ ଟାର୍ଗେଟ୍ କରିଛି ।

ଏନଆଇର ସୂଚନା ଅନୁସାରେ ଅଖନୁର ସେକ୍ଟରରେ ପାକିସ୍ତାନ ପଟୁ କରାଯାଇଥିବା ଗୁଳିମାଡରେ ୭ଜଣ ଯବାନ ଆହତ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ୨ଜଣ ଗୁରୁତର ହୋଇଥିବା ବେଳେ ୫ଜଣ ସାମାନ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପାକିସ୍ତାନ ପଟୁ କରାଯାଉଥିବା ଗୁଳିମାଡରେ ପୁଞ୍ଚ ସେକ୍ଟରରେ କେତେକ ଘର କ୍ଷତିଗ୍ରସ୍ତ ହୋଇଛି ।

ସୀମାରେ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଥିବାରୁ ନିକଟବର୍ତ୍ତୀ ସ୍କୁଲ ଗୁଡିକ ଛୁଟି ଘୋଷଣା ପାଇଁ ନିଷ୍ପତ୍ତି ନିଆଯାଇଛି । ରାଜୌରୀ ଜିଲ୍ଲା ପ୍ରଶାସନ ୨୭ଫେବୃଆରୀରେ ଏଲଓସିରୁ ୫କିଲୋମିଟର ମଧ୍ୟରେ ଅବସ୍ଥିତ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ପାକିସ୍ତାନ ପଟୁ ଲଗାତର କରାଯାଉଥିବା ଗୁଳିମାଡ ଯୋଗୁଁ ଏଭଳି ନିର୍ଦ୍ଦେଶ ଦିଆଯାଇଛି । ଡେପୁଟି କମିଶନର କହିଛନ୍ତି ଆଜି ହେବାକୁ ଥିବା ୫ମ, ୬ଷ୍ଠ ଏବଂ ୭ମ ଶ୍ରେଣୀର ପରୀକ୍ଷାଗୁଡିକୁ ବାତିଲ କରାଯାଇଛି ।

ସେହିପରି ସୋଫିଆନରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଏବେବି ଗୁଳି ବିନିମୟ ଜାରି ରହିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.