ସଫଳ ହେଲା ଭାରତର କୂଟନୀତି, ଆଜି ଫେରିବେ ବୀର ଅଭିନନ୍ଦନ
1/03/2019 at 8:10 AM

ନୂଆଦିଲ୍ଲୀ ୧|୩: ଆଜି ଭାରତ ଫେରିବେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ । ପୁଲୱାମା ଆଟାକ୍ ଓ ଭାରତର ବାହାବଲପୁରରେ ଆକ୍ରମଣକୁ ନେଇ ଗତ କିଛି ଦିନ ହେବ ଦୁଇ ଦେଶ ମଧ୍ୟରେ ଲାଗିରହିଥିଲା ଉତ୍ତେଜନା । ସୀମାରେ ଅସ୍ତ୍ର ବିରତି ଉଲଂଘନଠାରୁ ଆରମ୍ଭ କରି ବାକଯୁଦ୍ଧ ହୋଇଥିଲା ।
ତେବେ ଗତ ବୁଧବାର ପାକିସ୍ତାନ ଫାଇଟର ପ୍ଲେନ୍ ଏଫ୍-୧୬ ଭାରତର ବାୟୁସୀମା ମଧ୍ୟକୁ ପ୍ରବେଶ କରିଥିବା ବେଳେ ପାକ୍ ସୈନ୍ୟଙ୍କୁ କଡା ଜବାବ ଦେଇଥିଲେ ଭାରତୀୟ ବାୟୁସେନା । ଏହି ସମୟରେ ଭାରତୀୟ ମିଗ୍-୨୧ ବିମାନ ଦୁର୍ଘଟଣାର ଶିକାର ହୋଇ ପାକିସ୍ତାନର ପରିସୀମା ମଧ୍ୟରେ ପଡିଥିଲା। ସଂପୃକ୍ତ ବିମାନ ଚଳାଉଥିବା ପାଇଲଟ୍ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ହେପାଜତକୁ ନେଇଥିଲା ପାକ୍ ଯାହାକୁ ନେଇ ବୁଧବାର ଦିନ ତମାମ ଉଭୟ ଦେଶ ମଧ୍ୟରେ ଚାଲିଥିଲା ବୟାନବାଜି ।
ତେବେ ଭାରତୀୟ କୂଟନୀତି ଓ ଅନ୍ତର୍ଜାତୀୟ ଚାପ ଆଗରେ ଶେଷରେ ବଦଳିଲା ପାକିସ୍ତାନର ମୁହଁ ଫୁଟାଣି । ଅଭିନନ୍ଦନଙ୍କୁ ହେଫାଜତରେ ନେବାର ୨୪ ଘଣ୍ଟା ମଧ୍ୟରେ ବଦଳିଗଲା ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଙ୍କ ମୁହଁର ଭାଷା । ପାକିସ୍ତାନରେ ବନ୍ଦୀ ଭାରତୀୟ ପାଇଲଟଙ୍କୁ ନେଇ ପାକ୍ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସି ବଡ ବୟାନ ଦେଇଥିଲେ । ଭାରତକୁ କେତେକ ପ୍ରସ୍ତାବ ଦେଇଥିଲା ପାକିସ୍ତାନ ।
ଭାରତ-ପାକିସ୍ତାନରେ ଲାଗିଥିବା ଉତ୍ତେଜନା ଓ ପାଇଲଟଙ୍କ ବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନରେ କଥା ହେବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ପ୍ରସ୍ତୁତ ବୋଲି ପାକ୍ କହିଥିଲା । ଏହାସହ ଉତ୍ତେଜନା କମିବା ପରେ କେତେକ ସର୍ତ୍ତ ସହ ବନ୍ଧକ ପାଇଲଟଙ୍କୁ ଛାଡିବାକୁ ପ୍ରସ୍ତୁତ ବୋଲି ମଧ୍ୟ ପାକ୍ କହିଥିଲା। ଯାହାକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରାଳୟ କହିଥିଲା ପାଇଲଟଙ୍କୁ ନେଇ କୌଣସି ପ୍ରକାର ଚୁକ୍ତି ହୋଇପାରିବ ନାହିଁ ।
ପାଇଲଟ ଅଭିନନ୍ଦନଙ୍କୁ ତୁରନ୍ତ ସୁରକ୍ଷିତ ପାକିସ୍ତାନ ଛାଡ଼ିବା ଉଚିତ। ନଚେତ୍ ପାଇଲଟଙ୍କର କୌଣସି କ୍ଷତି ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ସମୟ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଥିଲେ ଭାରତ ଓ ପାକିସ୍ତାନରୁ ଭଲ ଖବର ଆସୁଛି । ଦୀର୍ଘ ଦଶନ୍ଧି ଦଶନ୍ଧି ଧରି ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ବିବାଦ ଶେଷ ହେବାର ସମୟ ଆସୁଛି । ଠିକ୍ ଟ୍ରମ୍ପ ମନ୍ତବ୍ୟ ପରେ ପରେ ଅଭିନନ୍ଦନଙ୍କୁ ଛାଡ଼ିବା ନେଇ ଘୋଷଣା କରିଥିଲା ପାକିସ୍ତାନ।
ଏନେଇ ପାକିସ୍ତାନ ସଂସଦର ମିଳିତ ଅଧିବେଶନରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଘୋଷଣା କରିଛନ୍ତି। ଆମେ ଶାନ୍ତି ଚାହୁଁଛୁ, ତେଣୁ ଭାରତୀୟ ପାଇଲଟକୁ ଛାଡ଼ିବୁ । ଶାନ୍ତିର ପ୍ରତୀକ ଭାବେ ଆମେ ଏପରି ପଦକ୍ଷେପ ନେଇଛୁ ବୋଲି ପାକ୍ ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତୀୟ ପାଇଲଟକୁ ଅନ୍ତର୍ଜାତୀୟ ରେଡ଼କ୍ରସ୍ ସଂସ୍ଥାକୁ ଆଜି ହସ୍ତାନ୍ତର କରିବ ପାକିସ୍ତାନ ।