ପାକିସ୍ତାନ-ତାଲିବାନ ସମ୍ପର୍କରେ ଫାଟ, କାବୁଲକୁ ବିମାନ ଉଡ଼ାଣ ବାତିଲ କଲା ପିଆଇଏ

Published By : Prameya-News7 Bureau | October 14, 2021 IST

ଇସ୍ଲାମାବାଦ ୧୪/୧୦: ପାକିସ୍ତାନ ଇଣ୍ଟରନ୍ୟାସନାଲ୍‌ ଏୟାରଲାଇନ୍ସ (ପିଆଇଏ) ଗୁରୁବାର ଆଫଗାନିସ୍ତାନର ରାଜଧାନୀ କାବୁଲକୁ ଉଡ଼ାଣ ବାତିଲ କରିଛି । ତାଲିବାନ ଅଧିକାରୀଙ୍କ ଦ୍ବାରା ବିମାନ ଭଡ଼ାଣକୁ ନେଇ ବିରୋଧ କରାଯିବା ପ​‌ରେ ପିଆଇଏ ଏହି ନିଷ୍ପତ୍ତି ନେଇଛି। କାବୁଲରୁ ନିୟମିତ ଉଡ଼ାଣ କରୁଥିବା ଏକମାତ୍ର ଅନ୍ତର୍ଜାତୀୟ କମ୍ପାନୀ ପିଆଇଏକୁ ଭଡ଼ା କମ୍‌ କରିବାକୁ ତାଲିବାନ ସରକାର କହିଥିଲେ।

ତାଲିବାନ ଅଧିକାରୀଙ୍କ ଦ୍ବାରା ବିରୋଧ ପରେ ଆଜିଠୁ କାବୁଲ୍‌କୁ ବିମାନ ଉଡ଼ାଣ ବାତିଲ ହେଲା ବୋଲି ପିଆଇଏ ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ଆଫଗାନିସ୍ତାନ କମ୍ପାନୀ କାମ ଏୟାର ଏବଂ ପିଆଇଏକୁ ତାଲିବାନ ସରକାର ଚେତାବନୀ ଦେଇଥିଲେ ଯେ, ବିମାନ ଭଡ଼ା କମ୍‌ ନକଲେ ଉଡ଼ାଣ ବାତିଲ କରାଯିବ। ତାଲିବାନ କବଜା ପରଠୁ ଅଧିକାଂଶ ଅନ୍ତର୍ଜାତୀୟ ଏୟାରଲାଇନ୍ସ ଆଫଗାନିସ୍ତାନକୁ ବିମାନ ଉଡ଼ାଣ ବନ୍ଦ କରିଦେଇଛନ୍ତି ।

ମିଳିଥିବା ରିପୋର୍ଟ ଅନୁସାରେ, କାବୁଲରୁ ଇସ୍ଲାମାବାଦ ଫ୍ଲାଇଟ୍‌ର ଟିକେଟ୍‌ ଦାମ ୨୫୦୦ ଡଲାର । କିନ୍ତୁ ଏହା ପୂର୍ବରୁ ୧୨୦-୧୫୦ ଡଲାର ଥିଲା। ପୂର୍ବ ଭଳି ଟିକେଟ୍‌ ଦାମ ନହେଲେ ଉଡ଼ାଣ ବନ୍ଦ କରାଯିବ ବୋଲି ଆଫଗାନିସ୍ତାନ ପରିବହନ ମନ୍ତ୍ରାଳୟ ତାଗିଦ ମଧ୍ୟ କରିଥିଲା ।

ଅନ୍ୟପଟେ ତାଲିବାନ ଅଧିକାରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛି ପିଆଇଏ। କାବୁଲରେ ଏୟାରଲାଇନ୍ସ କର୍ମଚାରୀଙ୍କୁ ଧମକାଇବା ସହ ଶେଷ ମୁହୂର୍ତ୍ତରେ ଉଡ଼ାଣ ବାତିଲ କରିବାକୁ ତାଲିବାନ ସରକାର ବାଧ୍ୟ କରୁଥିଲେ ବୋଲି ପିଆଇଏ ଅଭିଯୋଗ କରିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.