'ଦାଉଦକୁ ବିଷ ଦେଇ ମାରିଦେଇଛି ISI' : କରୋନାରେ ମୃତ୍ୟୁ ମିଛ ବୋଲି ଦାବି କଲା ଭାରତୀୟ ଗୁଇନ୍ଦା ସଂସ୍ଥା

Published By : Prameya-News7 Bureau | June 09, 2020 IST

ନୂଆଦିଲ୍ଲୀ ୦୯।୦୬: ନିକଟରେ କିଛି ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା ଯେ ୧୯୯୩ ମସିହା ମୁମ୍ୱାଇ ବିସ୍ଫୋରଣର ମାଷ୍ଟର ମାଇଣ୍ଡ ତଥା ଅଣ୍ଡରୱାଲର୍ଡ ଡନ୍‌ ଦାଉଦ ଇବ୍ରାହିମ ପାକିସ୍ତାନର ଏକ ହସ୍ପିଟାଲରେ କରୋନା ଯୋଗୁ ପ୍ରାଣ ହରାଇଛି । ତା’ର କିଛି ସୁରକ୍ଷାକର୍ମୀଙ୍କୁ ବି କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି । କିଛି ଲୋକ ଏହାକୁ ବିଶ୍ୱାସ କରୁଥିଲାବେଳେ ଆଉ କେତେକ ଏହାର ସତ୍ୟତା ଉପରେ ପ୍ରଶ୍ନ ଉଠାଇଥିଲେ । କାରଣ ଦାଉଦ ଇବ୍ରାହିମ ବିଭିନ୍ନ କାରଣରୁ ମୃତ୍ୟୁବରଣ କରିଥିବା ଖବର ପୂର୍ବରୁ ତିନି ଥର ବି ପ୍ରକାଶିତ ହୋଇସାରିଛି । ସବୁ ଥର ତାହା ମିଥ୍ୟା ପ୍ରମାଣିତ ହୋଇଛି । ହେଲେ ଏଥରକ ଖବରରେ କିଛି ସତ୍ୟତା ଥିବା କୁହାଯାଉଛି । ଭାରତୀୟ ଗୁଇନ୍ଦା ସଂସ୍ଥା ଦାବି କରିଛନ୍ତି ଯେ ଦାଉଦର ମୃତ୍ୟୁ ଖବର ସତ୍ୟ । ତେବେ ଦାଉଦ କରୋନା ଯୋଗୁ ମରିନାହିଁ । ବରଂ ତା’କୁ ଆଇଏସ୍‌ଆଇ ଏବଂ ପାକ୍‌ ସେନା ନିର୍ଦ୍ଦେଶରେ ହତ୍ୟା କରାଯାଇଛି । ପାକିସ୍ତାନର ସେନାରେ ଭଲ ନେଟୱର୍କ ରଖିଥିବା ଦୁଇଟି ଅନ୍ୟ ଦେଶର ଗୁଇନ୍ଦା ସଂସ୍ଥା ବି ସମାନ ଦାବି କରିଛନ୍ତି ।

ସେମାନଙ୍କ ଅନୁସାରେ, ଆଇଏସ୍‌ଆଇର କଡ଼ା ସୁରକ୍ଷା ଭିତରେ ରହୁଥିବା ଦାଉଦକୁ କରୋନା ହେବା କଥା ବିଶ୍ୱାସଯୋଗ୍ୟ ନୁହେଁ । ସେହିପରି ପାକ୍‌ ସେନା ସୁରକ୍ଷାରେ ରହୁଥିବା ଦାଉଦକୁ ଗୋଟିଏ ସାଧାରଣ ତଥା ବେସରକାରୀ ହସ୍ପିଟାଲକୁ କାହିଁକି ନିଆଯିବ? ବରଂ କରୋନା ବାହାନାରେ ତାକୁ ଏକ ସାମରିକ ହସ୍ପିଟାଲକୁ ନିଆଯାଇ ସେଠାରେ ବିଷ ଇଞ୍ଜେକସନ ଦେଇ ହତ୍ୟା କରାଯାଇଛି । ଏଥିପାଇଁ ଆଇଏସ୍‌ଆଇ କିଛି ଡାକ୍ତରଙ୍କ ସହାୟତା ନେଇଛି ।
ପ୍ରକୃତରେ ଆଇଏସ୍‌ଆଇ ଏବଂ ପାକ୍‌ ସେନା ଏବେ ପୂରା ଚାପରେ ଅଛନ୍ତି । କାରଣ ଦାଉଦକୁ ପ୍ରତ୍ୟର୍ପଣ କରିବା ପାଇଁ ଆମେରିକା ଘନଘନ ଚାପ ପକାଉଛି । ଦାଉଦ କିଛି ଆମେରିକୀୟ ନାଗରିକଙ୍କ ହତ୍ୟାରେ ବି ସାମିଲ ଅଛି । ତା’ଛଡ଼ା ଆମେରିକାର ଚାପ ପକାଇବା ପଛରେ ଭାରତର ବି ହାତ ରହିଛି । ଦାଉଦକୁ କୌଣସି ପ୍ରକାରେ ଭାରତ ଆଣିବା କିମ୍ୱା ମାରିବା ପାଇଁ ମୋଦି ସରକାର ଯୋଜନା କରିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶରେ ଏଥିପାଇଁ ଗୁଇନ୍ଦା ସଂସ୍ଥା “ର’ରେ ଗୋଟିଏ ସ୍ୱତନ୍ତ୍ର ଡେସ୍କ ଗଠନ କରାଯାଇଥିଲା । ଏହି ଡେସ୍କ ଦାଉଦ ସମ୍ପର୍କରେ ବିଭିନ୍ନ ସୂତ୍ରରୁ ଗୁଇନ୍ଦା ତଥ୍ୟ ଏକତ୍ର କରିବା ସହିତ ତା’ର ଗତିବିଧି ଉପରେ ନଜର ରଖୁଥିଲା । ଭାରତ ଦାଉଦ ସମ୍ପର୍କରେ ଅନେକ ତଥ୍ୟ ଆମେରିକା ଓ ବ୍ରିଟେନକୁ ବି ଯୋଗାଇଥିଲା । ଉଭୟ ଆମେରିକା ଓ ବ୍ରିଟେନ ସେସବୁ ତଥ୍ୟ ଆଧାରରେ କିଛି ପ୍ରମାଣ ସଂଗ୍ରହ କରି ପାକ୍‌ ସେନାକୁ ଦେଇଛନ୍ତି ଏବଂ ଦାଉଦ ପାକିସ୍ତାନରେ ରହୁଛି ବୋଲି ସେମାନେ ଜାଣିଥିବାର ଅକାଟ୍ୟ ପ୍ରମାଣ ବି ଦେଇଛନ୍ତି । ତେଣୁ ଦାଉଦକୁ ପ୍ରତ୍ୟର୍ପଣ ପାଇଁ ଆମେରିକା ଚାପ ପକାଉଥିଲା ।

ଆଇଏସ୍‌ଆଇ ଆଶଙ୍କା କରୁଥିଲା କି ଦାଉଦକୁ ପ୍ରତ୍ୟର୍ପଣ କରାଗଲେ ପାକ୍‌ ସେନାର ଅନେକ ରହସ୍ୟର ପର୍ଦ୍ଦାଫାସ ହୋଇଯିବ । ସେହିପରି ଭାରତ ଓ ଆମେରିକା ଯେକୌଣସି ସମୟରେ ପାକିସ୍ତାନ ଭିତରେ ତାକୁ ମାରିବାକୁ ଉଦ୍ୟମ କରିପାରନ୍ତି ବୋଲି ସିଏ ମନେ କରୁଥିଲା । ତେଣୁ ସେମାନେ ତା’କୁ ମାରିବା ପୂର୍ବରୁ ପାକିସ୍ତାନ ସେନା ତାକୁ ମାରି ଏସବୁ ସମସ୍ୟାରୁ ନିସ୍ତାର ଚାହୁଁଥିଲା । ଯୋଗକୁ କରୋନା ସଂକ୍ରମଣ ଯୋଗୁ ସେମାନଙ୍କୁ ଏହି କାମ କରିବା ସକାଶେ ଏକ ବାହାନା ମିଳିଗଲା । ତେଣୁ କରୋନା ହୋଇଛି ବୋଲି କହି ସେମାନେ ତାକୁ ସେନା ହସ୍ପିଟାଲ ନେଇଗଲେ ଏବଂ ସେଠାରେ ଡାକ୍ତରଙ୍କ ସହାୟତାରେ ବିଷ ଇଞ୍ଜେକ୍‌ସନ ଦେଇ ତାକୁ ହତ୍ୟା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.