ପାକିସ୍ତାନ ଛାଡିବା ପୂର୍ବରୁ ଅଭିନନ୍ଦନଙ୍କ ନୂଆ ଭିଡିଓ ; ତାଙ୍କ ମୁହଁରେ ଅନେକ କଥା କୁହାଇଛି ପାକିସ୍ତାନ ଆର୍ମି

Published By : Prameya-News7 Bureau | March 02, 2019 IST

ନୂଆଦିଲ୍ଲୀ ୨|୩ : ଭାରତୀୟ ବାୟୁସେନା ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ପାକିସ୍ତାନ ଛାଡିବା ପୂର୍ବରୁ ତାଙ୍କର ନୂଆ ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ପାକିସ୍ତାନ ଆର୍ମି ତାଙ୍କ ମୁହଁରେ ଅନେକ କଥା କୁହାଇଛି । ଏହି ଭିଡିଓକୁ ବାରମ୍ବାର ଏଡିଟ୍ କରାଯାଇଛି । ପ୍ରାୟ ୧ ମିନିଟ୍ ୨୦ ସେକେଣ୍ଡର ଏହି ଭିଡିଓରେ ୧୭ଟି କଟ୍ ଥିବା ସୂଚନା ମିଳିଛି । ମୋଟାମୋଟି ଏକପ୍ରକାର ଅଭିନନ୍ଦନଙ୍କୁ ପାକିସ୍ତାନ ସେନା ଏସବୁ କଥା କହିବାକୁ ବାଧ୍ୟ କରୁଥିବା ଭଳି ଜଣା ପଡୁଛି । ଆସନ୍ତୁ ଶୁଣିବା କଣ କହୁଛନ୍ତି ଅଭିନନ୍ଦନ ।

wp:core-embed/youtube {"url":"https://www.youtube.com/watch?v=OYjuqaAl0WU","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=OYjuqaAl0WU
/wp:core-embed/youtube

ଅଭିନନ୍ଦନଙ୍କ ଫେରିବାରେ ବିଳମ୍ବ ନେଇ ପୁଣି ଥରେ ପଦାରେ ପଡିଛି ପାକିସ୍ତାନର ସନ୍ଦେହ ଜନକ କାର୍ଯ୍ୟ । ଅଭିନନ୍ଦନଙ୍କୁ ମୁକ୍ତ କରିବା ପାଇଁ ବାରମ୍ବାର ସମୟ ଗଡାଇ ଚାଲିଥିଲା ପାକ୍ ସରକାର । ପ୍ରଥମେ ସକାଳ ୧୦ଟା ୫୦ରେ ଛାଡିବାକୁ କହି ତାପରେ ସମୟ ଗଡାଇ ଚାଲିଥିଲା । ଆଉ ଶେଷରେ ରାତି ପ୍ରାୟ ୯ଟା ୨୫ରେ ଭାରତ ମାଟିରେ ପ୍ରବେଶ କରିଥିଲେ ବୀର ଅଭିନନ୍ଦନ । କିନ୍ତୁ ଏହାରି ଭିତରେ ନିଜର ପ୍ରଚାର କରିବା ପାଇଁ ଅଭିନନ୍ଦନଙ୍କୁ ଅଧାରାସ୍ତାରେ ଅଟକାଇ ପ୍ରଚାର ପାଇଁ ଭିଡିଓ ସୁଟ୍ କରିଥିଲା ପାକ୍ ଆର୍ମି । ଯାହାକୁ ନେଇ ପୁଣି ଥରେ ପାକିସ୍ତାନର କାର୍ଯ୍ୟକୁ ନେଇ ସନ୍ଦେହ ବଢ଼ିଛି । ଅଭିନନ୍ଦନଙ୍କୁ କରିବା ହସ୍ତାନ୍ତର ପୂର୍ବରୁ ରାତି ସାଢ଼େ ୮ଟାରେ ପାକିସ୍ତାନ ଉଦ୍ଦେଶ୍ୟକୁ ସୁହାଇଲା ଭଳି  ଭିଡିଓର ୧୯ କଟ୍ ସମ୍ବଳିତ ସମ୍ପାଦିତ କଳେବର ପ୍ରସାରିତ କରାଯାଇଥିଲା । ସେଥିରେ ଭାରତୀୟ ଗଣମାଧ୍ୟମକୁ ଅଭିନନ୍ଦନ ଭୀଷଣ ସମାଲୋଚନା କରିବା ସହ ପାକ୍ ସେନାକୁ ପ୍ରଶଂସାରେ ପୋତି ଦେଇଥିବା ଦେଖାଯାଇଥିଲା । ସେହିପରି ଭିଡିଓ ବାର୍ତ୍ତାରେ ଅଭିନନ୍ଦନ ପାକିସ୍ତାନ ଆକାଶ ସୀମାକୁ ପଶି ଆସି ଲକ୍ଷ୍ୟସ୍ଥଳ ଖୋଜୁଥିବା ବେଳେ ପାକ୍ ସେନା ତାଙ୍କ ବିମାନକୁ ଗୁଳି କରିଥିଲେ ବୋଲି କହିଛନ୍ତି । ଦୁର୍ଘଟଣାଗ୍ରସ୍ତ ବିମାନରୁ ବାହାରି ସେ ସ୍ଥାନୀୟ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣର ଶିକାର ହୋଇଥିବା ବେଳେ ଦୁଇ ଜଣ ପାକ୍ ସେନାଧିକାରୀ ଲୋକଙ୍କ କବଳରୁ ତାଙ୍କୁ ଉଦ୍ଧାର କରିଥିଲେ ବୋଲି କହିଛନ୍ତି । ପାକ୍ ସେନାର ଏଭଳି ସହଯୋଗ ମନବୃତ୍ତିକୁ ସେ ଖୁବ୍ ତାରିଫ କରିଥିବା ଭିଡିଓରେ ପ୍ରଦର୍ଶିତ ହୋଇଛି । ବିଶ୍ୱରେ ଏକଘରିକିଆ ହୋଇପଡିଥିବା ପାକିସ୍ତାନ ନିଜ ଛବି ବଦଳେଇବାକୁ ଏହି ଭିଡିଓ ଜରିଆରେ ନୂଆ ବାଟ ଖୋଜୁଛି ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ଯେତେବେଳେ ଆକାଶରେ ପାକିସ୍ତାନ ଓ ଭାରତର ବିମାନ ମୁହାଁମୁହିଁ ହୋଇଥିଲେ। ସେତେବେଳେ ଅଭିନନ୍ଦନ ଦେଖାଇଥିଲେ ଅପୂର୍ବ ସାହସିକତା। ମିଗ୍ ବିମାନରେ ପାକିସ୍ତାନର ଏଫ ସିକ୍ସଟିନ ବିମାନକୁ ଚ୍ୟାଲେଞ୍ଜ ଦେବା କିଛି ଛୋଟିଆ କଥା ନଥିଲା। ଆଉ ପାକିସ୍ତାନର ଏଫ ୧୬ ମଧ୍ୟ ଖସାଇଦେଇଥିଲେ। ତେବେ ନିଜ ବିମାନ କ୍ରାସ ହୋଇଯିବାରୁ ପାକିସ୍ତାନରେ ଖସିଯାଇଥିଲେ ସେ । ସେଠାରେ ମଧ୍ୟ ଅପୂର୍ବ ସାହସିକତା ଦେଖାଇଥିଲେ। ନିଜ ପାଖରେ ଥିବା ସବୁ ପ୍ରମାଣକୁ ନଷ୍ଟ କରିଦେଇଥିଲେ। ତେବେ ପରେ ପାକ୍ ସେନାଙ୍କ ହାତରେ ଧରାପଡିଯାଇଥିଲେ । ଚାରିଆଡୁ ଚାପ ପଡିବା ପରେ ଅଭିନନ୍ଦନଙ୍କୁ ଫେରାଇବାକୁ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଘୋଷଣା କରିଥିଲେ । ପାଖାପାଖି ୬୦ ଘଣ୍ଟା ପରେ ୱାଘା-ଅଟାରି ସୀମା ଦେଇ ଭାରତରେ ପହଞ୍ଚିଛନ୍ତି ବାୟୁବୀର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ । ରାତି  ୯ଟା ୨୧ରେ ସେ ଭାରତରେ ଏଣ୍ଟ୍ରି କରିଥିବା ବେଳେ ଦିଲ୍ଲୀ ଅଣାଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.