Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ପାକିସ୍ତାନ ଉପରେ ବଢିଲା ଆନ୍ତର୍ଜାତିକ ଚାପ, ଆଚାର-ବିଚାର ନ ବଦଳାଇଲେ ପାକିସ୍ତାନକୁ କଳା ତାଲିକା ଭୁକ୍ତ କରାଯିବ FATF

22/02/2019 at 6:31 PM

ନୂଆଦିଲ୍ଲୀ ୨୨|୨: ପୁଲୱାମା ହମଲା ପରେ ଆକ୍ସନ ମୁଡ୍‌ରେ ଭାରତ । ପାକିସ୍ତାନକୁ ସବୁ ଦିଗକୁ ଘେରିବାକୁ ଚେଷ୍ଟା ହେଉଛି । ପାକିସ୍ତାନକୁ ପାଣି ନଦେବା ନେଇ ଭାରତର ବଡ ନିଷ୍ପତ୍ତି ନେବା ପରେ ଚାପରେ ପାକିସ୍ତାନ । ଆନ୍ତର୍ଜାତୀୟ ଚାପ ବି ବଢୁଛି । ଜାତିସଂଘ ପୁଲୱାମା ହମଲା ନେଇ ନିନ୍ଦା ପ୍ରସ୍ତାବ ଆଣିଥିବା ବେଳେ ଅନ୍ୟପଟେ ପାକିସ୍ତାନକୁ ଗ୍ରେ’ ଲିଷ୍ଟରେ ରଖିଛି ଫାଇନାନ୍‌ସିଆଲ ଆକ୍ସନ ଟାସ୍କ ଫୋର୍ସ । ଏଣେ ଭାରତର ଜବାବି ହମ୍‌ଲା ଭୟରେ ଛାନିଆ ପାକିସ୍ତାନ ।

ହାଫିଜ ସୟଦର ଜମାତ ଉଦ ଦାୱା ଉପରେ ବ୍ୟାନ ଲଗାଇ ଅନ୍ତର୍ଜାତୀୟ ଚାପକୁ ବାଲାନ୍ସ କରିବାକୁ ଚେଷ୍ଟା କରିଥିଲେ ଇମ୍ରାନ ଖାନ୍ । କିନ୍ତୁ କାମ ଦେଲାନି ପାକିସ୍ତାନର ଚତୁର ଚାଲ ।ଆତଙ୍କୀ ସଂଗଠନକୁ ଫଣ୍ଡିଙ୍ଗ ରୋକିବା ପାଇଁ କାମ କରୁଥିବା ସଂସ୍ଥା ଫାଇନାନ୍‌ସିଆଲ ଆକ୍ସନ ଟାସ୍କ ଫୋର୍ସ, ପାକିସ୍ତାନକୁ ଗ୍ରେ’ ତାଲିକାରେ ରଖିଛି । ତେବେ ଆସନ୍ତା ଅକ୍ଟୋବର ସୁଦ୍ଧା ଆଚାର-ବିଚାର ନବଦଳାଇଲେ ପାକିସ୍ତାନକୁ କଳା ତାଲିକା ଭୁକ୍ତ କରାଯିବ ବୋଲି FATF ନିଷ୍ପତ୍ତି ନେଇଛି ।

ସେପଟେ ପୁଲୱାମା ଆତଙ୍କୀ ହମଲାର ଦୃଢ଼ ନିନ୍ଦା କରିଛି ଜାତିସଂଘ । ଜାତିସଂଘ ସୁରକ୍ଷା ପରିଷଦରେ ଚୀନ୍ ସମେତ ୧୫ଟି ରାଷ୍ଟ୍ର ମିଳିତ ଭାବେ ନିନ୍ଦା କରିଛନ୍ତି। ଆକ୍ରମଣ ପଛରେ ପାକିସ୍ତାନରେ ସକ୍ରିୟ ଜୈସ୍-ଏ-ମହମ୍ମଦର ସଂପୃକ୍ତି ଥିବା ବିବୃତ୍ତି ଦିଆଯାଇଛି। ଦୋଷୀଙ୍କୁ ଦଣ୍ଡିତ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଛି। ଆଗରୁ ମାସୁଦ୍ ଆଝାରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପାଇଁ ଭାରତର ଉଦ୍ୟମକୁ ଚୀନ୍ ଭିଟୋ ପ୍ରୟୋଗ କରି ରୋକିଥିଲା। ଏଥର କିନ୍ତୁ ପୁଲୱାମା ନିନ୍ଦା ପ୍ରସ୍ତାବକୁ ଅଟକାଇ ପାରିନି ଚୀନ ।

କେବଳ ଅନ୍ତର୍ଜାତୀୟ ଚାପ ନୁହେଁ ଭାରତର ଚେତାବନୀ ପରେ ପାକିସ୍ତାନ ଯେମିତି ଛାନିଆ ହୋଇ ଯାଇଛି । ଯଦି ପାକିସ୍ତାନ ଯୁଦ୍ଧ ଲାଗି ପ୍ରସ୍ତୁତ, ଭାରତ ବି ପ୍ରସ୍ତୁତ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି ରାଜନାଥ। ଭୟରେ ଯୁଦ୍ଧ ସ୍ଥିତି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ପାକିସ୍ତାନ। ଯୁଦ୍ଧ ଆହତଙ୍କ ପାଇଁ ବିଭିନ୍ନ ଡାକ୍ତରଖାନାରେ ଅଧିକ ବେଡ୍ ଖାଲି ରଖିବାକୁ ନିର୍ଦ୍ଦେଶ ଦିଆ ଯାଇଛି। ଏଲ୍ ଓସି ପାଖରୁ ଆତଙ୍କୀ ଲଞ୍ଚ୍ ପ୍ୟାଡକୁ ହଟାଇ ନେଇଛି ପାକିସ୍ତାନ। ଏଲ୍ଓସି ନିକଟରେ ରହୁଥିବା ପାକିସ୍ତାନ ନାଗରିକଙ୍କୁ ରାତିରେ ଲାଇଟ୍  ନଜଳାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ପୁଲଓ୍ଵାମା ଜିଲ୍ଲାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣର ସପ୍ତାହେ ପରେ ଜୈସ୍‌-ଏ-ମହମ୍ମଦର ଦୁଇ ସନ୍ଦିଗ୍ଧଙ୍କୁ ଗିରଫ କରିଛି ଉତ୍ତରପ୍ରଦେଶ ଆଣ୍ଟି-ଟେରୋରିଜମ୍‌ ସ୍କ୍ଵାଡ୍‌ । ଗିରଫ ଦୁଇ ଆତଙ୍କବାଦୀଙ୍କୁ ଶହାନଓ୍ଵାଜ୍‌ ଏବଂ ଅକ୍ୱିବ୍‌ ବୋଲି ଚିହ୍ନଟ କରାଯାଇଛି । ସେମାନେ ଜମ୍ମ-କଶ୍ମୀରର କୁଲ୍‌ଗାମ୍‌ ଏବଂ ପୁଲଓ୍ଵାମାର ବାସିନ୍ଦା ବୋଲି ଜଣାପଡ଼ିଛି । ଏହି ଦୁଇ ଜଣଙ୍କର ପୁଲୱାମା ହମଲାରେ ଲିଙ୍କ ଅଛି କି ନାହିଁ ସେନେଇ ତନାଘନା ଚାଲିଛି ।

ଏପଟେ ୨୦୧୮ପାଇଁ  ସିଓଲ ଶାନ୍ତି ପୁରସ୍କାର ଗ୍ରହଣ କରିବା ଅବସରରେ, ଆତଙ୍କବାଦ ପ୍ରସଙ୍ଗରେ ପୁଣି ଥରେ ପାକିସ୍ତାନକୁ ଘେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚେତାଇ ଦେଇ କହିଛନ୍ତି, ବିଶ୍ବରେ ଶାନ୍ତି ସ୍ଥାପନ କରିବାକୁ ହେଲେ ମାନବିକତାରେ ବିଶ୍ବାସ କରୁଥିବା ଦେଶ ଏକାଠି ହୋଇ, ଆତଙ୍କୀଙ୍କୁ ପ୍ରୋତ୍ସାହନ କରୁଥିବା ଦେଶକୁ ଜବାବ ଦେବାକୁ ହେବ ।

ରାଜନୈତିକ ଏବଂ କୁଟନୈତିକ ସ୍ତର ସହ କ୍ରୀଡା ଜଗତରେ ମଧ୍ୟ ପାକିସ୍ତାନକୁ ଏକୁଟିଆ କରିବାକୁ ଚେଷ୍ଟା ଜୋର ଧରିଛି । ବିଶ୍ବ କପ କ୍ରିକେଟ୍ ରେ ପାକିସ୍ତାନ ସହ ନଖେଳିବା ନେଇ ବିସିସିଆଇ ମଧ୍ୟ ଆଇସିସିକୁ ଚିଠି ଲେଖିବ । ତେବେ ପାକିସ୍ତାନ ସହ ଖେଳିବା ନିଷ୍ପତ୍ତି ଭାରତ ସରକାରଙ୍କ ଉପରେ ଛାଡିଛି ବିସିସିଆଇ ।

   Related Posts