ଏସସିଓ ବୈଠକରେ ପାକିସ୍ତାନ ଦେଖାଇଲା ନକଲି ନକ୍ସା,ବିରୋଧରେ ବୈଠକରୁ ଉଠି ଆସିଲେ ଏନଏସଏ ଅଜିତ୍ ଡୋଭାଲ

Published By : Prameya-News7 Bureau | September 15, 2020 IST

ନୂଆଦିଲ୍ଲୀ ୧୫।୦୯: ପାକିସ୍ତାନ କ୍ରମାଗତ ଦୁନିଆକୁ ଭ୍ରମିତ କରିବା ଉଦ୍ୟମରେ ଲାଗି ରହିଛି। ମଙ୍ଗଳବାର ମଧ୍ୟ ସାଙ୍ଘାଇ ସହଯୋଗ ସଂଗଠନ(ଏସସିଓ)ର ସଦସ୍ୟ ଦେଶଙ୍କ ରାଷ୍ଟ୍ରୀୟ ପରାମର୍ଶଦାତାଙ୍କ ବୈଠକ ସମୟରେ ପୁଣି ଥରେ ପାକିସ୍ତାନ ନୂତନ ମିଥ୍ୟାକୁ ପ୍ରସାରିତ କରିବାକୁ ହୀନ ଉଦ୍ୟମ କରିଛି। ବୈଠକରେ ପାକିସ୍ତାନ ଏକ କାଳ୍ପନିକ ନକ୍ସା ଉପସ୍ଥାପନ କରିଥିଲା, ଯାହା ପରେ ଭାରତୀୟ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ କ୍ଷୁବ୍ଧ ହୋଇ ବୈଠକରୁ ଉଠି ଆସିଛନ୍ତି।

ପୂରା ମାମଲାକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି ବୈଠକରେ ପାକିସ୍ତାନର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଜାଣିଶୁଣି କାଳ୍ପନିକ ନକ୍ସା ଉପସ୍ଥାପନ କରିଥିଲେ। ଏହି ନକ୍ସାକୁ ପାକିସ୍ତାନ ନିରନ୍ତର ପ୍ରଚାର ପ୍ରସାର କରୁଛି। ପାକିସ୍ତାନର ଏହି ହୀନ କାର୍ଯ୍ୟକୁ ବିରୋଧ କରି ଭାରତ ବୈଠକ ଛାଡି ଦେଇଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ରୁଷ ବୈଠକର ଅଧ୍ୟକ୍ଷତା କରୁଥିଲା।

ଶ୍ରୀବାସ୍ତବ କହିଛନ୍ତି ପାକିସ୍ତାନର ଏହି କାର୍ଯ୍ୟ ଆୟୋଜକ ରୁଷର ଆଡଭାଇଜରିର ଘୋର ଉପେକ୍ଷା ଥିଲା ଓ ବୈଠକର ମାନଦଣ୍ଡର ଉଲ୍ଲଂଘନ ଥିଲା। ଆୟୋଜକ ରୁଷ ସହିତ ଆଲୋଚନା ପରେ ଭାରତୀୟ ପକ୍ଷ ସେହି ସମୟରେ ହିଁ  ବୈଠକ ଛାଡି ପାକିସ୍ତାନର କାର୍ଯ୍ୟକୁ ବିରୋଧ କରିଛି।

ଉଲ୍ଲେଖଯୋଗ୍ୟ, ପାକିସ୍ତାନର ଇମ୍ରାନ ସରକାର ଗତ ମାସରେ ଏକ ନୂତନ ନକ୍ସା ଜାରି କରି ଲଦାଖ, ସିଆଚେନ ଓ ଗୁଜରାଟର ଜୁନାଗଢକୁ ପାକିସ୍ତାନର ଅଂଶ ଦର୍ଶାଇଥିଲା। ପାକିସ୍ତାନ ତେବେଠୁ କ୍ରମାଗତ ଏହି ନକ୍ସାକୁ ପ୍ରଚାରିତ କରି ଆସୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.