ପାକିସ୍ତାନରେ କରୋନାର ଚତୁର୍ଥ ଲହର ! ମେ' ପରେ ତିନିଗୁଣ ବଢିଛି ମାମଲା, ଲକଡାଉନ ଲଗାଇବାକୁ ଅପିଲ

Published By : Prameya-News7 Bureau | July 12, 2021 IST

ନୂଆଦିଲ୍ଲୀ ୧୨/୦୭ : କରୋନା ମାମଲାରେ ସବୁବେଳେ ଭାରତକୁ ଟାର୍ଗେଟ କରୁଥିବା ଇମ୍ରାନ ଖାନଙ୍କ ଦେଶ ପାକିସ୍ତାନରେ କରୋନାର ଚତୁର୍ଥ ଲହର ଆରମ୍ଭ ହୋଇଛି। ଗତ ୨୪ ଘଣ୍ଟାରେ ମେ' ମାସ ପରେ ସଂକ୍ରମଣର ସର୍ବାଧିକ ମାମଲା ସାମ୍ନାକୁ ଆସିଛି। ପାକିସ୍ତାନରେ ଗତ ୩ ସପ୍ତାହରେ ସଂକ୍ରମଣ ମାମଲା ତିନିଗୁଣ ବୃଦ୍ଧି ପାଇଛି। ବିଶେଷଜ୍ଞ କହିଛନ୍ତି ଯେ ପାକିସ୍ତାନରେ କରୋନାର ଚତୁର୍ଥ ଲହର ଦ୍ରୁତ ଗତିରେ ବଢିବ। ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ଚତୁର୍ଥ ଲହର ପାଇଁ ଜନତାଙ୍କ ଅବହେଳା ଦାୟୀ। ତାଛଡା ବ୍ୟବସାୟ ଓ ପର୍ଯ୍ୟଟନ ସ୍ଥାନ ଖୋଲିବା ଯୋଗୁଁ ସଂକ୍ରମଣ ମାମଲା ବୃଦ୍ଧି ପାଇଛି ବୋଲି କୁହାଯାଉଛି । ସ୍ୱାସ୍ଥ୍ୟ ଅଧିକାରୀ ସରକାରଙ୍କୁ ଲକଡାଉନ ଲାଗୁ କରିବାକୁ ଅପିଲ କରିଛନ୍ତି। ଅଧିକାରୀ କହିଛନ୍ତି ଇଦ-ଉଲ-ଜୁହା କଠୋର ନିୟମ ସହ ପାଳନ କରାଯାଉ।

ତଥ୍ୟ ଅନୁଯାୟୀ, ପାକିସ୍ତାନରେ କରୋନା ସଂକ୍ରମଣ ହାର ୪ ପ୍ରତିଶତରୁ ଅଧିକ ଥିବା ଏହା ପ୍ରଥମ ମାମଲା। ମେ' ୩୦ରେ ସଂକ୍ରମଣ ହାର ୪.୦୫ ରେକର୍ଡ କରାଯାଇଥିଲା। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ତିନିଗୁଣ ବୃଦ୍ଧି ପାଉଛି। ରବିବାର ଦିନ ଜାରି ହୋଇଥିବା ଅଫିସିଆଲ ତଥ୍ୟ ଅନୁସାରେ, ପାକିସ୍ତାନରେ ଗତ ୨୪ ଘଣ୍ଟାରେ ୧୯୮୦ ନୂଆ ମାମଲା ସାମ୍ନାକୁ ଆସିଛି ଏବଂ ସଂକ୍ରମଣ ହାର ୪.୦୯ ପ୍ରତିଶତ ରହିଛି। ଜୁନ ୨୧ ରେ ସଂକ୍ରମଣ ମାମଲା ୬୬୩ ଥିଲା। ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସେବା ମନ୍ତ୍ରାଳୟ କହିଛି ଯେ ମେ' ୩୦ ପରେ ସଂକ୍ରମଣ ହାର ୪ ପ୍ରତିଶତ ପାର କରିଥିବା ଏହା ପ୍ରଥମ ମାମଲା।

ୱାର୍ଲଡମିଟର ତଥ୍ୟ ଅନୁଯାୟୀ, ପାକିସ୍ତାନରେ କରୋନାରେ ସଂକ୍ରମିତ ହୋଇଥିବା ଲୋକଙ୍କ ସଂଖ୍ୟା ୯ ଲକ୍ଷ ୭୫ ହଜାର ୯୨ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୨୭ ଜଣଙ୍କର ମୃତ୍ୟୁ ହୋଇଛି। ଏହାପରେ ମୃତକଙ୍କ ସଂଖ୍ୟା ୨୨ ହଜାର ୫୯୭ରେ ପହଞ୍ଚିଛି। ୯ ଲକ୍ଷ ୧୩ ହଜାର ୨୦୩ ଜଣ ସୁସ୍ଥ ହୋଇସାରିଛନ୍ତି ଏବଂ ୨ ହଜାର ୧୧୯ ଜଣଙ୍କ ଅବସ୍ଥା ଗମ୍ଭୀର ରହିଛି। ସରକାର ଟୀକାକରଣ ଉପରେ ଜୋର ଦେଉଛନ୍ତି। ଏବେ ସୁଦ୍ଧା ୧.୯୦ କୋଟିରୁ ଅଧିକ ଡୋଜ ଡିଆସରିଛି। ବିରୋଧୀ ଦଳର ଚେତାବନୀ ଏବଂ ଛାତ୍ରଙ୍କ ପ୍ରଦର୍ଶନ ସତ୍ତ୍ୱେ ସରକାର ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବୋର୍ଡ ପରୀକ୍ଷା କରାଉଛନ୍ତି ଯେଉଁଥିପାଇଁ ସଂକ୍ରମଣ ମାମଲା ଆହୁରି ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.