କୁଳଭୂଷଣ ଯାଦବ ମାମଲାରେ ନରମୁଛି ପାକିସ୍ତାନ, ଆଇସିଜେ ଅର୍ଡିନାନ୍ସ ୨୦୨୦ ବିଲକୁ ଦେଲା ମଞ୍ଜୁରୀ

Published By : Prameya-News7 Bureau | June 11, 2021 IST

ଲାହୋର, ୧୧/୦୬ : ବହୁଚର୍ଚ୍ଚିତ କୁଳଭୂଷଣ ଯାଦବ ମାମଲାରେ ପାକିସ୍ତାନର ଅଭିମୁଖ୍ୟ ଧୀରେ ଧୀରେ ନରମ ହେଉଥିବା ଦେଖିବାକୁ ମିଳିଛି l ପାକିସ୍ତାନର ନାଶନାଲ ବିଧାନସଭା ଇଣ୍ଟରନେଶନାଲ କୋର୍ଟ ଅଫ ଜଷ୍ଟିସ ଅର୍ଡିନାନ୍ସ ୨୦୨୦ ବିଲକୁ ମଞ୍ଜୁରୀ ଦେଇଛନ୍ତି l ଫଳରେ ଯାଦବଙ୍କୁ ଦିଆଯାଇଥିବା ସଜା ଏ ମୌତ ଅର୍ଥାତ ଫାଶୀ ଦଣ୍ଡଦେଶ ବିରୋଧରେ ଅପିଲ କରିବା ଏବେ ଆହୁରି ସହଜ ହୋଇଯାଇଛି l

ଏହି ବିଲ ଅନୁସାରେ, ପାକିସ୍ତାନ ଜେଲରେ ସଜା କାଟୁଥିବା ବିଦେଶୀ କଏଦୀଙ୍କ ଉପରେ ଅଦାଲତ ରେ ଅପିଲ କରାଯାଇ ପାରିବ l ପାକିସ୍ତାନ ଅନ୍ତଃରାଷ୍ଟ୍ରୀୟ ନ୍ୟାୟାଳୟର ବିଚାର ସମ୍ବନ୍ଧରେ ଏହି ବିଧେୟକ ପାସ କରିଛି l ସୂଚନା ଥାଉ କି, ଇଣ୍ଟରନେଶନାଲ କୋର୍ଟ ଅଫ ଜଷ୍ଟିସ କୁଳଭୂଷଣ ଯାଦବ ମାମଲାରେ ନିୟମ ସୁଧାର କରିବାକୁ ପାକିସ୍ତାନକୁ କହିଥିଲେ l ଯାହାଫଳରେ ଅନ୍ୟ ଦେଶର କଏଦୀମାନଙ୍କୁ ନ୍ୟାୟ ମିଳିପାରିବ l ୨୦୨୦ରେ ଇମ୍ରାନ ଖାନ ସରକାର ବିପକ୍ଷ ଦଳର ବିରୋଧ ସତ୍ତ୍ୱେ କୁଳଭୂଷଣ ଯାଦବ ମାମଲାରେ ଆଇସିଜେର ବିଚାରକୁ ନଜରରେ ରଖି ନାଶନାଲ ବିଧାନସଭାରେ ଏକ ଅଧ୍ୟାଦେଶ ଆଗତ କରିଥିଲେ l

ସୂଚନା ଥାଉ କି, ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ଏପ୍ରିଲ ୨୦୧୭ରେ ଏକ ପାକିସ୍ତାନ ସେନା ଅଦାଲତ ଗୁପ୍ତଚର ଏବଂ ଆତଙ୍କବାଦୀ ଅଭିଯୋଗ ଲଗାଇ ଫାଶୀ ଦଣ୍ଡାଦେଶ ଶୁଣାଇଥିଲା l ଭାରତ ଏହି ମାମଲାରେ ଆଇସିଜେର ଦ୍ୱାରସ୍ଥ ହୋଇଥିଲା l ଆଇସିଜେ ପାକିସ୍ତାନକୁ ଏହି ମାମଲାର ସମୀକ୍ଷା ଏବଂ ପୁନର୍ବିଚାର କରିବାକୁ କହିଥିଲେ l ଏଥିସହିତ ଡେରି ନ କରି ଭାରକୁ କାଉଁସେଲାର ଆକ୍ସେସ ଦେବାକୁ ନିର୍ଦ୍ଦେଶ ଦେଇଥିଲେ l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.