ଶ୍ରୀନଗର-ଶାରଜାହ ବିମାନ ସେବାକୁ ଝଟ୍‌କା, ପାକିସ୍ତାନ ନେଲା ଏମିତି ନିଷ୍ପତ୍ତି

Published By : Prameya-News7 Bureau | November 03, 2021 IST

ଇସ୍ଲାମାବାଦ ୦୩/୧୧: ପାକିସ୍ତାନ ପୁଣି ଥରେ ଭାରତ ପାଇଁ ଖରାପ ପଡ଼ୋଶୀ ବୋଲି ସାବ୍ୟସ୍ତ ହୋଇଛି । ପାକିସ୍ତାନ ଜାମ୍ମୁ କାଶ୍ମୀରର ଶ୍ରୀନଗରରୁ ୟୁଏଇର ଶାରଜାହ ବିମାନ ଉଡ଼ାଣ ଉପରେ ଆପତ୍ତି ଆଣିଛି । ଏହା ସହ ଶ୍ରୀନଗରରୁ ଶାରଜାହ ପାଇଁ ନିଜର ବାୟୁ ସୀମାରେ ଉଡ଼ାଣ ଉପରେ ରୋକ ମଧ୍ୟ ଲଗାଇଦେଇଛି ପଡ଼ୋଶୀ ପାକିସ୍ତାନ । ଏବେ ଶ୍ରୀନଗରରୁ ଉଡ଼ାଣ ଭରିବାକୁ ଥିବା ବିମାନ ଉଦୟପୁର, ଅହମଦାବାଦ ଏବଂ ଓମାନ ଦେଇ ଶାରଜାହ ଯିବ ।

ଏଥିପାଇଁ ଅଧିକ ସମୟ ଲାଗିବାକୁ ଥିବା ବେଳେ ଯାତ୍ରୀଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ଅକ୍ଟୋବରରେ ଆରମ୍ଭ ହୋଇଥିବା ଶ୍ରୀନଗର-ଶାରଜାହ ବିମାନ ସେବା ପାଇଁ  ନିଜର ଏୟାରସ୍ପେସ୍‌ ବ୍ୟବହାର କରିବାକୁ ମନା କରିଦେଇଛି ଇମ୍ରାନ ଖାନ ସରକାର । ପାକିସ୍ତାନର ଏହି ନିଷ୍ପତ୍ତି ଯୋଗୁଁ ଶ୍ରନଗରରୁ ଶାରଜାହ ଯାଉଥିବା ବିମାନକୁ ଏବେ ଅଧିକ ଏକ ଘଣ୍ଟା ସମୟ ଲାଗିବ ।

ପାକିସ୍ତାନର ଏହି ନିଷ୍ପତ୍ତିକୁ ଦୁଃଭାଗ୍ୟପୂର୍ଣ୍ଣ ଦର୍ଶାଇବା ସହ ଜାମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଟ୍ବିଟ୍‌ କରିଛନ୍ତି, ‘ପାକିସ୍ତାନ ୨୦୦୯-୧୦ରେ ଠିକ ଏମିତି ହିଁ କରିଥିଲା। ଏୟାର ଇଣ୍ଡିଆର ଏକ୍ସପ୍ରେସ୍‌କୁ ଶ୍ରୀନଗରରୁ ଦୁବାଇ ଯିବା ପାଇଁ ନିଜର ଏୟାରସ୍ପେସ୍‌ ବ୍ୟବହାର କରିବାକୁ ଦେଇନଥିଲା।’ ତେବେ​‌ ଅକ୍ଟୋବର ୨୩ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜାମ୍ମୁ-କାଶ୍ମୀର ଗସ୍ତ ସମୟରେ ଏହି ବିମାନ ସେବାର ଶୁଭାରମ୍ଭ କରିଥିଲେ। ଏୟାରସ୍ପେସ୍‌ ବ୍ୟବହାର କରିବାକୁ ନେଇ ଭାରତ ଅନୁମତି ନେଇନଥିଲା କହି ଆପତ୍ତି ଉଠାଇଥିଲା ପାକିସ୍ତାନ। ଏହା ସତ୍ବେ ବିମାନ ଚଳାଚଳ ଚାଲିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.