ଦିଲ୍ଲୀରେ ପାକିସ୍ତାନର ବଡ ଧରଣର ଆକ୍ରମଣ ଯୋଜନା ପଣ୍ଡ, ବିପୁଳ ଅସ୍ତ୍ରଶସ୍ତ୍ର ସହ ୬ ଆତଙ୍କବାଦୀଙ୍କୁ କାବୁକଲା ସ୍ପେଶାଲ ସ୍କ୍ବାଡ୍‌

Published By : Prameya-News7 Bureau | September 14, 2021 IST

ନୂଆଦିଲ୍ଲୀ ୧୪/୦୯ : ଭାରତର ହାର୍ଟ ଦିଲ୍ଲୀ ଉପରେ ବସି ବଡ ଧରଣର ଆକ୍ରମଣ ପାଇଁ ଷଡଯନ୍ତ୍ର କରୁଥିଲା ପାକିସ୍ତାନ । କିନ୍ତୁ ଏହାକୁ ପଣ୍ଡ କରିଦେଇଛି ସ୍ପେଶାଲ ସ୍କ୍ବାଡ୍‌ । ପାକିସ୍ତାନ ଦ୍ବାରା ବଡ ଧରଣର ଆତଙ୍କୀ ଆକ୍ରମଣ ପଣ୍ଡ ହୋଇଯାଇଛି । ଘଟଣାରେ ୨ ଜଣ ପାକିସ୍ତାନୀ ନାଗରିକଙ୍କ ସମେତ ମୋଟ ୬ ଜଣ ଆତଙ୍କବାଦୀଙ୍କୁ କାବୁ କରାଯାଇଛି । ଗିରଫ ହୋଇଥିବା ପାକିସ୍ତାନୀ ନାଗରିକ, ଭାରତରେ ଆତଙ୍କୀ ମଡ୍ୟୁଲ୍‌କୁ ପରିଚାଳନା କରୁଥିଲେ । ଏ ସମସ୍ତଙ୍କୁ ଗିରଫ କରାଯାଇ ପଚରାଉଚରା ଆରମ୍ଭ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ଗିରଫ ହୋଇଥିବା ଅଭିଯୁକ୍ତମାନେ ପାକିସ୍ତାନରେ ଟ୍ରେନିଂ ନେଇ ଭାରତରେ ପ୍ରବେଶ କରିଥିଲେ । ବଡ ଧରଣର ଆକ୍ରମଣ ପାଇଁ ଯୋଜନା କରୁଥିବା କୌଣସି ସୂତ୍ରରୁ ଖବର ମିଳିବା ପରେ ଚଢଉ କରି ୬ ଜଣଙ୍କୁ ଗିରଫ କରିଛି ସ୍ପେଶାଲ ସ୍କ୍ବାଡ୍‌ । ତେବେ ସବୁଠାରୁ ବଡ କଥା ହେଉଛି ଏମାନଙ୍କୁ ପାକିସ୍ତାନରୁ ଇସାରା ମିଳୁଥିଲା ଏବଂ ଏମାନେ ଦିଲ୍ଲୀରେ ରହି ସେହି ଅନୁସାରେ ଷଡଯନ୍ତ୍ର ଚଳାଉଥିଲେ ।

ଗୁଇନ୍ଦା ସଂସ୍ଥାକୁ ଏ ବାବଦରେ ଖବର ମିଳିବା ପରେ ଦେଶର ବିଭିନ୍ନ ରାଜ୍ୟରେ ଚଢଉ ଜାରି କରିଥିଲା । ସ୍ପେଶାଲ ସ୍କ୍ବାଡ୍‌ ପକ୍ଷରୁ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ଚଢଉ କରାଯାଇଥିଲା । ଦିଲ୍ଲୀରେ ଚଢଉ ବେଳେ ୬ ଜଣଙ୍କୁ ଗିରଫ କରିଥିଲା ସ୍ପେଶାଲ ସ୍କ୍ବାଡ୍‌ । ଗିରଫ ସନ୍ଧିଗ୍ଧଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି । ଆକ୍ରମଣ ପାଇଁ ବ୍ୟବହାର କରିବାକୁ ଥିବା ସାମଗ୍ରୀ ଜବତ କରାଯାଇଛି । ମୋଟ ୬ ଜଣ ଗିରଫ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରେ ୨ ପାକିସ୍ତାନୀ ହିଁ ମାଷ୍ଟରମାଇଣ୍ଡ ଅଛନ୍ତି । ଯେଉଁମାନେ କି ପାକିସ୍ତାନ ଇସାରାରେ କାମ କରୁଥିଲେ ଏବଂ ଭାରତରେ ବଡ ଧରଣର ବିସ୍ଫୋରଣ ପାଇଁ ଯୋଜନା କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.