ମୁଦ୍ରାସ୍ପିତି ବୃଦ୍ଧି ଯୋଗୁ ପାକ୍ ସାଂସଦଙ୍କ ୪୦୦ ପ୍ରତିଶତ ବେତନ ବୃଦ୍ଧି ଦାବି

Published By : Prameya-News7 Bureau | February 02, 2020 IST

ଇସ୍ଲାମାବାଦ ୨।୨: ପାକିସ୍ତାନରେ ମୁଦ୍ରାସ୍ପିତି ହାର ଦିନକୁ ଦିନ ବଢିଚାଲିଛି । ଡଲାର ତୁଳନାରେ ପାକିସ୍ତାନ ଟଙ୍କା ଏବେ ମାଟି ସାଉଣ୍ଟୁଛି। ବର୍ତ୍ତମାନ ୧ଡଲାରର ପାକିସ୍ତାନୀ ଟଙ୍କାରେ ବିନିମୟ ଦର ୧୫୬ ଟଙ୍କାରେ ପହଞ୍ଚିଛି। ଏବେ ଦେଶର ମୁଦ୍ରାସ୍ପିତି ୧୩.୨୫ ପ୍ରତିଶତରେ ପହଞ୍ଚିଛି। ଏଣୁ ପାକ୍ ସାଂସଦମାନେ ଏକ ପ୍ରସ୍ତାବ ସଂସଦରେ ଆଗତ କରିବାକୁ ଯାଉଛନ୍ତି । ଏଥିରେ ସେମାନଙ୍କ ଦରମାରେ ୪୦୦ପ୍ରତିଶତ ବୃଦ୍ଧି ଲାଗି ଦାବି କରିବେ। କେବେଳ ଦରମା ନୁହେଁ ସାଂସଦଙ୍କ ପରିବାର ସଦସ୍ୟଙ୍କ ମାଗଣା ବିମାନ ଯାତ୍ରା ସୁବିଧା ଲାଗି ମଧ୍ୟ ଦାବି କରାଯିବ।

ପାକିସ୍ତାନର ଏକ ଦୈନିକ ଖବର କାଗଜ ଅନୁଯାୟୀ, କିଛି ସାଂସଦ ସିନେଟ ସଚ୍ଚିବାଳୟରେ ଏକ ପ୍ରସ୍ତାବ ଜମା କରିଛନ୍ତି। ପ୍ରସ୍ତାବରେ ସିନେଟ ଚେୟାରମ୍ୟାନ ଓ ଡେପୁଟି ଚେୟାରମ୍ୟାନଙ୍କ ବ୍ୟତୀତ ଜାତୀୟ ବିଧାନସଭାର ସ୍ପିକର ଓ ଡେପୁଟି ସ୍ପିକରଙ୍କ ୪୦୦ପ୍ରତିଶତ ଓ ସମସ୍ତ ସାଂସଦଙ୍କ ବେତନ ୧୦୦ପ୍ରତିଶତ ବା ଦୁଇଗଣା ବେତନ ବୃଦ୍ଧି ଲାଗି ପ୍ରସ୍ତାବ ରହିଛି। ସାଂସଦମାନଙ୍କ ପରିବାର ସଦସ୍ୟଙ୍କୁ ବାଣିଜ୍ୟ ଶ୍ରେଣୀରେ ବିମାନ ଯାତ୍ରା ସୁବିଧା ମିଳିବା ଉଚିତ ବୋଲି ମଧ୍ୟ କୁହାଯାଇଛି । ଦେଶରେ ମୁଦ୍ରାସ୍ପୀତି ଓ ଟଙ୍କାର ମୁଲ୍ୟ କମୁଥିବାରୁ ସେମାନେ ଏପରି ଦାବି କରୁଥିବା ସାଂସଦମାନେ ପ୍ରସ୍ତାବରେ ଉଲ୍ଲେଖ କରିଛନ୍ତି ।

ସାଂସଦଙ୍କ ପ୍ରସ୍ତାବଟି ବର୍ତ୍ତମାନ ସିନେଟ ସଚ୍ଚିବାଳୟ ଅଧିନରେ ରହିଛି । ପ୍ରସ୍ତାବକୁ ବିଚାର କରିବା ପାଇଁ ସଂସଦୀୟ କାର୍ଯ୍ୟ ବିଭାଗ ଓ ଅର୍ଥ ବିଭାଗ ନିକଟକୁ ପଠାଯିବ। ଦୁଇ ବିଭାଗ ଏହି ପ୍ରସ୍ତାବ ଉପରେ ବିଚାର କରିବା ପରେ ସ୍ପିକରଙ୍କୁ ହସ୍ତାନ୍ତର କରିବେ। ସିନେଟ୍ ଚେୟାରମ୍ୟାନ ଓ ଜାତୀୟ ବିଧାନସଭା ସ୍ପିକରଙ୍କ ବେତନ ପାଖାପାଖି ୨.୫ଲକ୍ଷ ପାକିସ୍ତାନୀ ଟଙ୍କା ରହିଛି । ଏହି ଦରମାକୁ ୮ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ଦାବି କରାଯାଇଛି । ଯାହାକି ସୁପ୍ରିମକୋର୍ଟ ବିଚାରପତିଙ୍କ ଦରମା ସହ ସମାନ। ସେହିପରି ସିନେଟର ଡେପୁଟି ଚେୟାରମ୍ୟାନ ଓ ଜାତୀୟ ବିଧାନସଭା ଡେପୁଟି ସ୍ପିକରଙ୍କ ବେତନ ବର୍ତ୍ତମାନ ପାଖାପାଖି ୧.୮୪ ଲକ୍ଷ ପାକିସ୍ତାନୀ ଟଙ୍କା ରହିଛି । ଏହାକୁ ମଧ୍ୟ ୪୦୦ ପ୍ରତିଶତ ବୃଦ୍ଧି କରିବା ପାଇଁ ଦାବି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.