ଭାରତ କରିବ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍, ପାକିସ୍ତାନ ବିଦେଶ ମନ୍ତ୍ରୀଙ୍କ ଦୃଢୋକ୍ତି

Published By : Prameya-News7 Bureau | December 19, 2020 IST

ନୂଆଦିଲ୍ଲୀ ୧୯।୧୨ : ପାକିସ୍ତାନକୁ ଘାରିଛି ସର୍ଜିକାଲ ଷ୍ଟ୍ରାଇକର ଭୟ । ପ୍ରତିଦିନ ପାକିସ୍ତାନ ସରକାରଙ୍କୁ ସର୍ଜିକାଲର ଷ୍ଟାଇକ୍‌ର ଭୟ ଦେଖାଦେଉଛି । ଯାହାକୁ ନେଇ ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଛି । ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମେହମୁଦ କୁରେଶୀଙ୍କୁ ମଧ୍ୟ ସର୍ଜିକାଲ ଷ୍ଟ୍ରାଇକ୍‌ର ଭୟ ଘାରିଲାଣି ।

ଶୁକ୍ରବାର ଦିନ ଦୁବାଇରେ ଏକ ପ୍ରେସ୍‌ମିଟ୍‌ରେ ଏହି କଥା ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରିଛି । ଏପିରକି ସର୍ଜିକାଲ ଷ୍ଟ୍ରାଇକ ମଧ୍ୟ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି । ଏହା ପ୍ରମାଣ ମଧ୍ୟ ରହିଛି । ଦେଶର ଗୁଇନ୍ଦା ଅଧିକାରୀମାନେ ଏହି ରିପୋର୍ଟ ଦେଇଛନ୍ତି । ତେବେ ମିଳିଥିବା ଗୁଇନ୍ଦ ସୁତ୍ର ଅନୁଯାୟୀ, ଭାରତ ପାକିସ୍ତାନ ବିରୋଧରେ ଏପରି ଆକ୍ରମଣ କରିବାକୁ ଯୋଜନା କରୁଛି । ଏହା ଏକ ଗମ୍ଭୀର ବିଷୟ । ଭାରତରେ ଚାଲିଥିବା ବିବାଦରୁ ଧ୍ୟାନ ହଟାଇବା ପାଇଁ ଭାରତ ଏପରି ଯୋଜନା କରୁଛି ବୋଲି ସେ କହିଛନ୍ତି । ଯାହାଦ୍ୱାର ସମସ୍ତଙ୍କ ଧ୍ୟାନ ବିବାଦରୁ ହଟି ଏ ପ୍ରସଙ୍ଗ ଉପରେ ଆସିଯିବ । ତେବେ ଗତବର୍ଷ ମଧ୍ୟ କୁରେଶୀ ଏପରି ଅଭିଯୋଗ ଆଣିଥିଲେ, କିନ୍ତୁ ଭାରତ ଏହାକୁ ଖାରଜ କରିଦେଇଥିଲା ।

ସେପଟେ ପ୍ରେସମିଟ୍‌ରେ ନିଜ ସରକାର ବିରୋଧରେ ଚାଲିଥିବା ଅଭିଯାନ ସଂପର୍କରେ କହିଥିଲେ । କୁରେଶୀ କହିଛନ୍ତି ଯେ, ପାକିସ୍ତାନରେ ଏବେ ଉତ୍ତେଜନାପୂର୍ଣ୍ଣ ମାହୋଲ ରହିଛି । ପାକିସ୍ତାନର ଡେମୋକ୍ରେଟିକ୍‌ ମୁଭମେଣ୍ଟର ନେତାମାନେ ପ୍ରଧାନମନ୍ତ୍ରୀ ଇମ୍‌ରାନ୍‌ ଖାନ୍‌ଙ୍କ ବିରୋଧରେ ଲଗାତର ରାଲି, ସଭା କରୁଛନ୍ତି । ସେହିପରି ପାକିସ୍ତାନ ବିଦେଶୀ ମନ୍ତ୍ରୀଙ୍କ ବୟାନରେ ଉତ୍ତର ଦେଇ ଭାରତର ବିଦେଶ ମନ୍ତ୍ରଣାଳୟ କହିଛି ଯେ, ତାଙ୍କ ବୟାନ ସ୍ଥାନୀୟ ଅଞ୍ଚଳରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିବ ।

ସୂଚନାଯୋଗ୍ୟ ଯେ, ୨୦୧୬ରେ ଭାରତୀୟ ସେନା ପିଓକେରେ ପ୍ରବେଶ କରି ସର୍ଜିକାଲ ଷ୍ଟ୍ରାଇକ୍ କହିଥିଲେ । ଏହି ଆକ୍ରମଣରେ ଅନେକ ଆତଙ୍କୀ ନିହତ ହେବା ସହ ଲଞ୍ଚ ପ୍ୟାଡ଼୍‌ ମଧ୍ୟ ନଷ୍ଟ କରାଯାଇଥିଲା । ଯାହାକୁ ନେଇ ପାକିସ୍ତାନରେ ଜୋରାଦାର ଚର୍ଚ୍ଚା ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.