ପାକିସ୍ତାନରେ ଏମିତି ପାଳନ ହେଉଛି ଲକଡାଉନ: ମସଜିଦ ଖୋଲା, ସ୍କୁଲ ବନ୍ଦ
23/04/2020 at 7:37 PM

ଲାହୋର, ୨୩|୦୪: କରୋନା ଭାଇରସ ପାଇଁ ୨୦୦ରୁ ଅଧିକ ଦେଶ ଲକଡାଉନ ହୋଇ ରହିଛି । ଲୋକଙ୍କୁ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପରାମର୍ଶ ଦିଆଯାଉଛି । ଭାରତ ସମେତ ଅନେକ ଦେଶରେ ସମସ୍ତ ଧର୍ମାନୁଷ୍ଠାନ, ସ୍କୁଲ, କଲେଜ, ପର୍ଯ୍ୟଟନସ୍ଥଳୀ ବନ୍ଦ ରହିଛି । ଆସନ୍ତୁ ଜାଣିବା ପାକିସ୍ତାନରେ କିପରି ଲକଡାଉନ ପାଳନ ହେଉଛି ।
ବର୍ତ୍ତମାନର ତଥ୍ୟାନୁସାରେ, ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦,୦୦୦ରୁ ଅଧିକ । ଏଠାରେ ୨୦୦ରୁ ଅଧିକ ପ୍ରାଣ ହରାଇଛନ୍ତି । ୨୩୦୦ରୁ ଅଧିକ ସୁସ୍ଥ ହୋଇଛନ୍ତି । ରାଷ୍ଟ୍ରପତି ଆରିଫ ଅଲବୀ ଗତ ୧୮ ତାରିଖରେ ରମଜାନ ପାଇଁ ସମସ୍ତ ମସଜିଦ ଖୋଲା ରହିବ ବୋଲି କହିଥିଲେ । ତେବେ ୫୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଓ ଶିଶୁଙ୍କୁ ମସଜିଦରେ ପ୍ରବେଶ ଅନୁମତି ଦିଆଯିବ ନାହିଁ ।

ପାକିସ୍ତାନରେ ରମଜାନ ପାଇଁ ମସଜିଦରେ ସମୂହ ନମାଜପାଠ ଅନୁମତି ଦିଆଯିବା ପରେ ଅନେକ ଦେଶ ଚିନ୍ତା ବ୍ୟକ୍ତ କରିଥିଲେ । ତେବେ ଲୋକଙ୍କୁ ମସଜିଦକୁ ଆସିବା ପାଇଁ କେହି ରୋକି ପାରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଇମରାନ ଖାନ କହିଥିଲେ । ସେ କହିଛନ୍ତି ଯେ, ପାକିସ୍ତାନ ଏକ ସ୍ୱାଧିନ ଦେଶ । ଏଠାରେ ଲୋକଙ୍କୁ ଧର୍ମାନୁଷ୍ଠାନ ଯିବାକୁ କେହି ରୋକିପାରିବେ ନାହିଁ । ମସଜିଦରେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଲୋକଙ୍କୁ କୁହାଯିବ । ଜଣେ ବ୍ୟକ୍ତି ଏହି ରମଜାନ ମାସରେ ସମଜିଦ ଯିବାକୁ ଚାହୁଁଥିଲେ କିନ୍ତୁ ପୋଲିସ ମନା କରିଥିଲା । ଯାହା ଦୁଃଖଦାୟକ ।
ସେ ଆହୁରି କହିଛନ୍ତି ଯେ, ପାକିସ୍ତାନୀଙ୍କ ପାଇଁ କରୋନା ଭାଇରସକୁ ନଜରରେ ରଖି ୨୦ଟି ନିର୍ଦ୍ଦେଶନାମା ପାଳନ କରିବାକୁ କୁହାଯାଇଛି । ତେବେ ଯଦି କରୋନା ଭାଇରସ କୌଣସି ମସଜିଦ ଦ୍ୱାରା ବ୍ୟାପେ ତେବେ ଏହାକୁ ବନ୍ଦ କରିଦିଆଯିବ । ଏହାସହ ସମସ୍ତ ସ୍କୁଲକୁ ମେ ୩୧ ଯାଏଁ ବନ୍ଦ କରିଦିଆଯାଇଥିବା ସେ କହିଥିଲେ ।