ଆକ୍ସନ ମୁଡ଼ରେ ଭାରତ : ଭାରତକୁ ରୋକିବା ପାଇଁ ସଂଯୁକ୍ତ ରାଷ୍ଟ୍ରର ଦ୍ୱାରସ୍ଥ ହେଲା ଭୟଭୀତ ପାକିସ୍ତାନ
19/02/2019 at 9:25 AM

କାଶ୍ମୀର ୧୯/୨ : ଜାମ୍ମୁ କାଶ୍ମୀର ପୁଲୱାମାରେ ହୋଇଥିବା ଆତଙ୍କୀ ହମଲା ପରେ ଭାରତ ପାକିସ୍ତାନ ସମ୍ବନ୍ଧ ପୁଣି ଥରେ ତୀବ୍ର ହୋଇଯାଇଛି | ହମଲା ପରଠାରୁ ଭାରତ ଅନ୍ତରାଷ୍ଟ୍ରୀୟ ସ୍ଥରରେ ପାକିସ୍ତାନ ଉପରେ ଚାପ ପକାଇବା ଆରମ୍ଭ କରିଛି | ଫଳରେ ପାକିସ୍ତାନ ଭୟଭୀତ ଅବସ୍ଥାରେ ରହିଛି | ଭାରତର ଆକ୍ସନ ମୁଡ଼ ଦେଖି ଭୟଭୀତ ପାକିସ୍ତାନ ସଂଯୁକ୍ତ ରାଷ୍ଟ୍ରର ଶରଣ ନେଇଛି | ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମେହମୁଦ କୁରେସି ସଂଯୁକ୍ତ ରାଷ୍ଟ୍ର ମହାସଚିବଙ୍କୁ ଚିଠି ଲେଖି ଭାରତ ବିରୋଧରେ ଅଭିଯୋଗ କରିଛନ୍ତି |
ମେହମୁଦ କୁରେସି ଚିଠି ଲେଖି କହିଛନ୍ତି ଯେ, ପୁଲୱାମା ହମଲା ପରେ ପାକିସ୍ତାନ ଚିନ୍ତିତ ହୋଇପଡିଛି | ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପୂର୍ବରୁ ତିକ୍ତତା ବଢାଇବା ପାଇଁ ଚେଷ୍ଟା କରୁଛନ୍ତି | ସେ କହିଛନ୍ତି ଯେ, ଯଦି ପୁଲୱାମା ହମଲା ସହିତ ପାକିସ୍ତାନର କୌଣସି ସମ୍ବନ୍ଧ ଅଛି ତା’ହେଲେ ଭାରତକୁ ପ୍ରମାଣ ଦେବାକୁ ହେବ |
ହମଲା ପରେ ଆକ୍ସନ ମୋଡ଼କୁ ଆସିଯାଇଛି ଭାରତ | ପ୍ରଥମେ ଭାରତ ପାକିସ୍ତାନକୁ ଦେଇଥିବା ‘ମୋଷ୍ଟ ଫେବର୍ଡ ନେସନ’ର ଦର୍ଜା ଫେରାଇ ନେଇଥିଲା | ଏହାପରେ ଅନ୍ତରାଷ୍ଟ୍ରୀୟ ସ୍ଥରରେ ପାକିସ୍ତାନକୁ ଅଲଗା କରିବା ପାଇଁ ଅନ୍ୟ ସବୁ ଦେଶ ସହ କଥାବାର୍ତ୍ତା କରିଥିଲା | ଏହାଛଡା କାଶ୍ମୀରରେ ଲୁଚି ରହିଥିବା ପାକିସ୍ତାନୀ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିବା ଆରମ୍ଭ କରିଥିଲେ ଭାରତୀୟ ସୁରକ୍ଷାକର୍ମୀ |