ଦିଲୀପ କୁମାର ଏବଂ ରାଜ କପୁରଙ୍କ ପୈତୃକ ଘର ହେବ ମ୍ୟୁଜିୟମ୍, ସରକାର ଘୋଷଣା କଲେ ୨.୩୦ କୋଟି ଟଙ୍କା

Published By : Prameya-News7 Bureau | May 22, 2021 IST

ନୂଆଦିଲ୍ଲୀ ୨୨/୦୫: ପାକିସ୍ତାନରେ ଅବସ୍ଥିତ ଖାଇବର ପଖ୍ତୁନଖ୍ୱା ପ୍ରଦେଶ ସରକାର ବଲିଉଡର ମହାନ ଅଭିନେତା ରାଜ କପୁର ଏବଂ ଦିଲୀପ କୁମାରଙ୍କ ପେଶୱାରରେ ଥିବା ପୈତୃକ ବଙ୍ଗଳାକୁ କିଣି ଏହାକୁ ସଂଗ୍ରହାଳୟରେ ପରିଣତ କରିବା ପାଇଁ ୨.୩୦ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ଏହି ପରିମାଣ ପ୍ରତ୍ନତତ୍ତ୍ୱ ବିଭାଗ ପେଶୱାରର ଡେପୁଟି କମିଶନରଙ୍କୁ ହସ୍ତାନ୍ତର କରିଛି। ବଙ୍ଗଳାର ଉଭୟ ମାଲିକମାନଙ୍କୁ କ୍ରୟ ପାଇଁ ଅନ୍ତିମ ନୋଟିସ୍ ପ୍ରକାଶ କରିବା ପରେ ଏହି ପଦକ୍ଷେପ ନିଆଯାଇଛି ।
ପ୍ରତ୍ନତତ୍ତ୍ୱ ବିଭାଗର ଖାଇବର ପଖ୍ତୁନଖ୍ୱା ନିର୍ଦ୍ଦେଶକ ଅବ୍ଦୁସ ସମାଦ କହିଛନ୍ତି ଯେ ସରକାର ଉଭୟ ଗୃହକୁ ଅଧିକାର କରିବେ ଏବଂ ଢାଞ୍ଚାର ପୁରୁଣା ରୂପକୁ ଫେରାଇ ଆଣିବା କାର୍ଯ୍ୟ ଆରମ୍ଭ କରିବେ। ସେ କହିଛନ୍ତି ଯେ ସରକାର ଉଭୟ କୋଠାକୁ ସଂରକ୍ଷଣ କରିବେ ଯାହା ଦ୍ୱାରା ଲୋକମାନେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଦିଲୀପ କୁମାର ଏବଂ ରାଜ କପୁରଙ୍କ ଅବଦାନ ବିଷୟରେ ଜାଣିପାରିବେ। ଖାଇବର ପଖ୍ତୁନଖ୍ୱା ସରକାର ଯଥାକ୍ରମେ ୬.୨୫ ମାର୍ଲାରେ ନିର୍ମିତ ରାଜପୁରଙ୍କ ଘର ଏବଂ ଚାର୍ ମାର୍ଲାରେ ନିର୍ମିତ ଦିଲୀପ କୁମାରଙ୍କ ଘର ପାଇଁ ୧.୫୦ କୋଟି ଟଙ୍କା ଏବଂ ୮୦ ଲକ୍ଷ ଟଙ୍କା ସ୍ଥିର କରିଛନ୍ତି।
ମାର୍ଲା ହେଉଛି ଭାରତ, ପାକିସ୍ଥାନ ଏବଂ ବାଂଲାଦେଶରେ ଜମି ମାପର ପୁରୁଣା ମାପ ଏବଂ ଗୋଟିଏ ମାର୍ଲା ୨୭୨.୨୫ ବର୍ଗଫୁଟ ସହିତ ସମାନ । କପୁରଙ୍କ ମହଲାର ବର୍ତ୍ତମାନର ମାଲିକ ଅଲି କାଦିର ୨୦ କୋଟି ଟଙ୍କା ମାଗିଥିବାବେଳେ ଦିଲୀପଙ୍କ ଘରର ମାଲିକ ଗୁଲ ରହମାନ ମହମ୍ମଦ କହିଛନ୍ତି ଯେ ସରକାର ବଜାର ମୂଲ୍ୟରେ ୩.୨୫ କୋଟି ଟଙ୍କାରେ କିଣିବା ଉଚିତ୍।
ରାଜ କପୁରଙ୍କ ପୈତୃକ ବାସସ୍ଥାନ ପେଶୱାରର କିସା ଖୱାନି ବଜାରରେ ଅଛି, ଯାହା ତାଙ୍କ ଜେଜେ ଦିୱାନ ବଶ୍ୱେଶ୍ୱରନାଥ କପୁରଙ୍କ ଦ୍ୱାରା ୧୯୧୮ ରୁ ୧୯୨୨ ମଧ୍ୟରେ ନିର୍ମିତ ହୋଇଥିଲା। ଦିଲୀପ କୁମାରଙ୍କ ପୈତୃକ ଘର ମଧ୍ୟ ଏହି ଅଞ୍ଚଳରେ ଅଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.