ଦିଲ୍ଲୀ ହିଂସା ପଛରେ ପାକିସ୍ତାନର ହାତ: ଭାରତରେ ସାମ୍ପ୍ରଦାୟିକ ସଦଭାବନା ନଷ୍ଟ କରିବା ଥିଲା ଲକ୍ଷ୍ୟ
17/03/2020 at 12:10 PM

ନୂଆଦିଲ୍ଲୀ, ୧୭|୦୩: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବୃଦ୍ଧି ପାଉଥିବା ହିଂସା ପଛରେ ପାକିସ୍ତାନର ହାତ ଥିବା ପ୍ରମାଣ ମିଳିଛି। ପାକିସ୍ତାନର ରାଜଧାନୀ ଇସଲାମବାଦରେ ଅତି କମରେ ୨୦୦ ଟ୍ୱିଟର୍ ହାଣ୍ଡେଲ୍ ଜରିଆରେ ଭାରତୀୟ ମୁସଲିମଙ୍କୁ ପୋଲିସ ବିରୋଧରେ ଉସକାଯାଉଥିଲା। ଭାରତୀୟ ସୁରକ୍ଷା ଏଜେନ୍ସି ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏକ ରିପୋର୍ଟରେ ଏହା ସାମ୍ନାକୁ ଆସିଛି।

ରିପୋର୍ଟରେ କୁହାଯାଇଛି ଯେ, ଫେବ୍ରୁଆରୀ ୨୫ରୁ ମାର୍ଚ୍ଚ ୩ ମଧ୍ୟରେ #shameonpolice, #delhipolicetruth ଏବଂ #delhipolicemurder ଭଳି ହାସଟ୍ୟାଗ ଜରିଆରେ ଶତାଧିକ ଟ୍ୱିଟର ହାଣ୍ଡେଲ୍ ସାହାଯ୍ୟରେ ପୋଲିସକୁ ଟାର୍ଗେଟ କରାଯାଉଥିଲା। ପାକିସ୍ତାନ ସୋସିଆଲ ମିଡିଆର ଦୂରୁପଯୋଗ ଭାରତରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି ପାଇଁ କରୁଥିବା ପ୍ରମାଣ ମିଳିଛି।
ପାକିସ୍ତାନରେ ତିଆରି କରାଯାଇଥିବା ଟ୍ୱିଟର ହାଣ୍ଡେଲ୍ ମଧ୍ୟରୁ କିଛି ଭାରତରେ ଆରମ୍ଭ ହୋଇଥିଲା। ଆଉ ୭୦ଟି ଟ୍ୱିଟର ହାଣ୍ଡେଲସ୍ ଇସଲାମବାଦ, ରାଓ୍ୱଲପିଣ୍ଡୀ, କରାଚୀ, ଲାହୋରରୁ ସଂଚାଳିତ ହେଉଥିଲା। ଏଥିପାଇଁ #delhiriots2020 ହାସଟ୍ୟାଗ୍ ବ୍ୟବହାର କରାଯାଇଥିଲା।
ଦିଲ୍ଲୀ ପୋଲିସ ହିଂସା ସମୟରେ ମୁସଲମାନଙ୍କୁ ଟାର୍ଗେଟ୍ କରୁ ବୋଲି ପାକିସ୍ତାନ ଚାହୁଁଥିଲା। ଏହି ହିଂସାକାଣ୍ଡରେ ୫୩ଜଣ ପ୍ରାଣ ହରାଇଥିବା ବେଳେ ୫୦୦ଜଣ ଆହତ ହୋଇଥିଲା। ସଂସଦରେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଦିଲ୍ଲୀ ହିଂସା ପଛରେ ବିଦେଶୀ ଶକ୍ତିର ହାତ ଥିବା ଇସାରା କରିଥିଲେ।