ସାମ୍ବାଦିକଙ୍କ ପାଇଁ ବିପଦପୂର୍ଣ୍ଣ ଦେଶ ମଧ୍ୟରେ ପାକିସ୍ତାନ ସାମିଲ, ଜାଣନ୍ତୁ କେଉଁ ଦେଶ ଶୀର୍ଷରେ

Published By : Prameya-News7 Bureau | October 30, 2021 IST

ଇସ୍ଲାମାବାଦ ୩୦/୧୦: ଆମେରିକୀୟ ସଙ୍ଗଠନ କମିଟି ଟୁ ପ୍ରୋଟେକ୍ଟ ଜର୍ଣ୍ଣାଲିଷ୍ଟ (ସିପିଜେ) ଚଳିତବର୍ଷ ଗ୍ଲୋବାଲ ଇମ୍ପ୍ୟୁନିଟି ଇଣ୍ଡେକ୍ସ (ଜିଆଇଆଇ)ରେ ପାକିସ୍ତାନକୁ ନବମ ସ୍ଥାନରେ ରଖିଛି। ଏହି ସର୍ଭେ ଦ୍ବାରା  ଯେଉଁ ସବୁ  ଦେଶରେ ସାମ୍ବାଦିକଙ୍କୁ ହତ୍ୟା କିମ୍ବା ଅତ୍ୟାଚାର କରିଥିବା ଅଭିଯୁକ୍ତ ନିର୍ଭୟରେ ବିଚରଣ କରୁଛନ୍ତି ସେସବୁ ଦେଶକୁ ସୂଚୀରେ ସ୍ଥାନୀତ କରାଯାଏ । ଜିଓ ନ୍ୟୁଜ ଅନୁସାରେ, ଏହି ଲିଷ୍ଟରେ ୨୦୦୮ରୁ ପାକିସ୍ତାନ ରହିଆସିଛି । ସିପିଜେର ବୈଶ୍ବିକ ରିପୋର୍ଟରୁ ଜଣାପଡ଼ିଛି ଯେ ସୋମାଲିଆ ସାମ୍ବାଦିକଙ୍କ ହତ୍ୟାକାରୀଙ୍କୁ ଦଣ୍ଡ ଦେବାରେ ବିଫଳ ହୋଇଛି । ସୋମାଲିଆ ଏହି ଲିଷ୍ଟରେ ଶୀର୍ଷରେ ରହିଛି।

ଗତବର୍ଷ ତୁଳନା​‌ରେ ଏଥର ସୂଚୀରେ ସିରିଆ, ଇରାକ ଏବଂ ଦକ୍ଷିଣ ସୁଡାନର କ୍ରମରେ ପରିବର୍ତ୍ତନ ହୋଇଛି ସତ କିନ୍ତୁ ଏହି ଦେଶ ସାମ୍ବାଦିକଙ୍କ ପାଇଁ ଜମା ଅନୁକୂଳ ନୁହେଁ। ଏହି ସବୁ ଦେଶରେ ପାରଷ୍ପରିକ ସଙ୍ଘର୍ଷ, ରାଜନୈତିକ ଅସ୍ଥିରତା ଏବଂ କମଜୋର ଆଇନ ପ୍ରଣାଳୀ ଯୋଗୁଁ ସବୁ କ୍ଷେତ୍ରରେ ସାମ୍ବାଦିକମାନଙ୍କୁ ଟାର୍ଗେଟ କରାଯାଏ । କିନ୍ତୁ ସେପ୍ଟେମ୍ବର ୧, ୨୦୧୧ରୁ ଅଗଷ୍ଟ ୩୧, ୨୦୨୧ ଯାଏଁ ମିଳିଥିବା ଡାଟାରେ ଆଫଗାନିସ୍ତାନକୁ ନେଇ ସେମିତି କିଛି ସଠିକ୍‌ ସୂଚନା ନାହିଁ ।

ଆଫଗାନିସ୍ତାନରେ ସାମ୍ବାଦିକଙ୍କ ପାଇଁ ବିପଦ ବଢ଼ିଥିବା ବେଳେ ରାଙ୍କରେ କିଛି ପରିବର୍ତ୍ତନ ହୋଇନାହିଁ। ସିପିଜେ ଲିଷ୍ଟରେ ଦୁଇ ବର୍ଷ ପରେ ବି ଆଫଗାନିସ୍ତାନ ସେମିତି ୫ ନମ୍ବର ସ୍ଥାନରେ ରହିଛି । ସେହିଭଳି ୧୦ ବର୍ଷର ଡାଟାକୁ ବିଶ୍ଳେଷଣ ପରେ ଜଣାପଡ଼ିଛି, ବିଶ୍ବରେ ୨୭୮ ଜଣଙ୍କୁ ଏହି ସମୟ ଭିତରେ ହତ୍ୟା କରାଯାଇଛି ।

ସେମାନଙ୍କ ମଧ୍ୟରୁ ୨୨୬ ଜଣଙ୍କୁ ସିପିଜେ କମ୍ପ୍ଲିଟ ଇମ୍ପ୍ୟୁନିଟି ଲିଷ୍ଟରେ ସାମିଲ କରିଛି। ଏହାର ଅର୍ଥ ୨୨୬ ଜଣ ସାମ୍ବାଦିକଙ୍କ ହତ୍ୟା ମାମଲାରେ କେହି ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି । ସେହିଭଳି ଡିସେମ୍ବର ୧, ୨୦୧୦ ରୁ ୩୧ ଅଗଷ୍ଟ ୨୦୨୦ ମଧ୍ୟରେ ୮୩ ପ୍ରତିଶତ ସାମ୍ବାଦିକଙ୍କ ହତ୍ୟକାଣ୍ଡ ମାମଲା ଏବେ ବି ବିଚାରଧୀନ ରହିଛି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.