‘ଦିନ ଆସିବ ସାରା ବିଶ୍ବର କ୍ରିକେଟ ଟିମ ପାକିସ୍ତାନରେ ଖେଳିବାକୁ ବ୍ୟଗ୍ର ହୋଇଯିବେ' : ପାକ୍‌ ଗୃହମନ୍ତ୍ରୀଙ୍କ ଶେଖ୍‌ ରଶୀଦ

Published By : Prameya-News7 Bureau | September 23, 2021 IST

ନୂଆଦିଲ୍ଲୀ ୨୩/୦୯ : ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ କ୍ରିକେଟ ଟିମ ପାକିସ୍ତାନ ମାଟିରେ ଖେଳିବାକୁ ମନା କରିଦେବା ପରେ ଏବେ ବିଳିବଳଉଛି ପାକିସ୍ତାନ । ସୁରକ୍ଷା ଦୃଷ୍ଟିରୁ ଗୋଟିଏ ପରେ ଗୋଟିଏ ଟିମ ପାକିସ୍ତାନରେ ଖେଳିବା ପାଇଁ ନାରାଜ । ଏହାକୁ ନେଇ ପାକିସ୍ତାନ ରାଜନୀତି ମଧ୍ୟ ସରଗରମ ହୋଇଯାଇଛି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଠାରୁ ଆରମ୍ଭ କରି ଗୃହମନ୍ତ୍ରୀ ଶେଖ୍‌ ରଶୀଦ ଏବଂ ସୋଏବ ଅଖତାରଙ୍କ ଠାରୁ ରମୀଜ ରାଜା ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ସଫେଇ ଦେବା​‌ରେ ଲାଗିପଡିଛନ୍ତି।

ପାକିସ୍ତାନ ଗୃହମନ୍ତ୍ରୀ ଶେଖ୍‌ ରଶୀଦ କହିଛନ୍ତି, ନ୍ୟୁଜିଲାଣ୍ଡ ସରକାରରେ ବି ଏତେ ଯବାନ ନାହାନ୍ତି ଯେତିକି ଯବାନ ତାଙ୍କ ଖେଳାଳିଙ୍କ ସୁରକ୍ଷା ପାଇଁ ପାକିସ୍ତାନ ଯୋଗାଇଦେଇଥିଲା । ଏବେ ଯେଉଁମାନେ କହୁଛନ୍ତି ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ଟିମ ପାକିସ୍ତାନ ଗସ୍ତ ରଦ୍ଦ କରିଦେବା ପରେ ଅନ୍ୟ କୌଣସି ଟିମ ସେଠାକୁ ଯିବେ ନାହିଁ, ସେମାନଙ୍କ କଥାରେ ଆଦୌ ତର୍କ ନାହିଁ ।’

ପାକ୍‌ ଗୃହମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ‘ଯେଉଁ ଦିନ ନ୍ୟୁଜିଲାଣ୍ଡ ପାକିସ୍ତାନ ଗସ୍ତ ରଦ୍ଦ କରିଥିଲା ସେହିଦିନ ହିଁ ଜଣାପଡିଥିଲା ଯେ, ଇଂଲଣ୍ଡ ମଧ୍ୟ ପାକିସ୍ତାନ ଗସ୍ତ ରଦ୍ଦ କରିଦେବ । ଠିକ୍ ଏହାର ୩ ଦିନ ପରେ ପାକିସ୍ତାନ ଗସ୍ତ ରଦ୍ଦ କରିଥିଲା ଇଂଲଣ୍ଡ । କ୍ରିକେଟ ଆମର ରକ୍ତରେ ରହିଛି । ଏମିତି ବି ଦିନ ଆସିବ ଯେତେବେଳେ କି ବିଶ୍ବର ସମସ୍ତ ଟିମ୍‌ ପାକିସ୍ତାନ ଖେଳିବାକୁ ଆସିବେ । ବର୍ତ୍ତମାନ ଜାଣିଶୁଣି ଏହି ମୁଦ୍ଦାକୁ ବଡ କରାଯାଉଛି ।’

ପାକିସ୍ତାନ ନିଜ ଅପରାଗ ପଣିଆ ପାଇଁ ଭାରତକୁ ମଧ୍ୟ ଦୋଷ ଦେଉଛି । ପାକ୍‌ ସୂଚନା ମନ୍ତ୍ରୀ ଫଓ୍ବାଦ୍‌ ଚୌଧୁରୀ କହିଛନ୍ତି, ଏହି ସିରିଜ୍‌ ରଦ୍ଦ ହେବା ପଛରେ ଭାରତର ହାତ ରହିଛି । ସେ କହିଥିଲେ ଯେ, ଭାରତ ପକ୍ଷରୁ ହିଁ ନ୍ୟୁଜିଲାଣ୍ଡ ଟିମକୁ ଧମକପୂର୍ଣ୍ଣ ଇ-ମେଲ ଆସିଥିଲା ଯାହା ଦ୍ବାରାକି ପାକିସ୍ତାନ ବାଧ୍ୟ ହୋଇ ନ୍ୟୁଜିଲାଣ୍ଡ ଗସ୍ତ ବାତିଲ କରିଥିଲା । । ପାକ୍‌ ସୂଚନା ମନ୍ତ୍ରୀ ଫଓ୍ବାଦ୍‌ ଚୌଧୁରୀ କହିଛନ୍ତି ଏହି ଧମକପୂର୍ଣ୍ଣ ଇ-ମେଲ୍‌ ଓମ ପ୍ରକାଶ ମିଶ୍ର ନାମକ ଜଣେ ବ୍ୟକ୍ତି ନ୍ୟୁଜିଲାଣ୍ଡ କ୍ରିକେଟର ମାର୍ଟିନ୍‌ ଗପ୍ଟିଲଙ୍କ ପତ୍ନୀଙ୍କୁ ପଠାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.