FATFର ବ୍ଲାକ୍ ଲିଷ୍ଟରେ ସାମିଲ ହେବାକୁ ଯାଉଛି ପାକିସ୍ତାନ ! ଚିହିଁକିଲା ଚୀନ୍‌

Published By : Prameya-News7 Bureau | September 11, 2020 IST

ଇସ୍ଲାମାବାଦ ୧୧/୦୯: ଫାଇନାନ୍ସିଆଲ୍‌ ଆକ୍ସନ ଟାସ୍କ ଫୋର୍ସ(FATF)ର ବ୍ଲାକ୍‌ ଲିଷ୍ଟରୁ ବର୍ତ୍ତିବା ପାଇଁ ପାକିସ୍ତାନ ପ୍ରାଣପଣେ ଉଦ୍ୟମ କରୁଛି । ଏଫଏଟିଏଫ୍‌କୁ ନେଇ ଦୁଇଟି ବିଧେୟକ ରାଜ୍ୟସଭାରେ ଖାରଜ ହୋଇଯିବା ପରେ ଇମ୍ରାନ ସରକାରଙ୍କ ଚିନ୍ତା ଦୁଇଗୁଣିତ ହୋଇଛି। ଆତଙ୍କବାଦୀଙ୍କୁ ସାହାରା ଦେଉଥିବା ପାକିସ୍ତାନ ବ୍ଲାକ୍‌ଲିଷ୍ଟ ହେବାର ଆଶଙ୍କା ବୃଦ୍ଧି ପାଉଥିବା ଦେଖି ଚୀନ ବ୍ୟସ୍ତ ହୋଇପଡ଼ିଛି ।

ଚୀନର ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଝାଓ ଲିଜିନ୍‌ଙ୍କ ମତରେ, ସବୁ ଦେଶରେ ଆତଙ୍କବାଦ କାର୍ଯ୍ୟକଳାପ ଚାଲିଛି । କିନ୍ତୁ ପାକିସ୍ତାନ ଆତଙ୍କବାଦ ବିରୋଧରେ ଲଢ଼େଇ କରି ଅଡ଼ୁଆରେ ପଡ଼ିଛି। ଅନ୍ତରାଷ୍ଟ୍ରୀୟ ସମୁଦାୟକୁ ପାକିସ୍ତାନର ସମ୍ମାନ କରିବା ଆବଶ୍ୟକ ବୋଲି ଲିଜିନ୍ କହିଛନ୍ତି।

ଆସନ୍ତା ମାସ ଏଫଏଟିଏଫ୍‌ର ବୈଠକ ହେବାର ଅଛି । ଏହି ବୈଠକରେ ପାକିସ୍ତାନକୁ ବ୍ଲାକ୍‌ ଲିଷ୍ଟ କରାଯିବ କି ନାହିଁ ନିଷ୍ପତ୍ତି ହେବ । କିନ୍ତୁ ବ୍ଲାକ୍ ଲିଷ୍ଟରୁ ବର୍ତ୍ତିବା ପାଇଁ ଇମ୍ରାନ ସରକାର ଚେଷ୍ଟା ଚଳାଉଥିବା ବେଳେ ଏହାକୁ ଭଂଡୁର କରୁଛନ୍ତି ବିରୋଧୀ ଦଳ । ଇମ୍ରାନ ସରକାର ଆଣିଥିବା ଦୁଇ ବିଧେୟକ ରାଜ୍ୟସଭାରେ ଖାରଜ ହୋଇଛି ।

ପାକିସ୍ତାନକୁ ପୂର୍ବରୁ ଗ୍ରେ ଲିଷ୍ଟରେ ସାମିଲ କରିଥିବା ଏଫଏଟିଏଫ୍‌ ଏବେ ଆର୍ଥିକ ପୋଷଣ ବନ୍ଦ ଓ ମନି ଲଣ୍ଡରିଂ ବିରୋଧରେ ପଦକ୍ଷେପ ନେବାକୁ ୨୭ଟି ଦିଗକୁ ନେଇ ଆକ୍ସନ ପ୍ଲାନ୍‌ ତିଆରି କରିଥିଲା । ଏ​‌ବେ ଏହି ପ୍ଲାନ୍‌ ଜରିଆରେ ପାକିସ୍ତାନକୁ ବ୍ଳାକ ଲିଷ୍ଟ କରିବାକୁ ଯୋଜନା ଥିଲା । କିନ୍ତୁ କରୋନା ମହାମାରୀ ପାଇଁ ଏହାକୁ ସ୍ଥଗିତ ରଖାଯାଇଛି । ଗ୍ରେଲିଷ୍ଟରେ ଥିବା ଦେଶଗୁଡ଼ିକୁ ପୁଣିଥରେ ସେହି ଲିଷ୍ଟରେ ରଖାଯାଇଥିବା ବେଳେ ଅକ୍ଟୋବର ୨୦୨୦ ପରେ ନୂଆ ଲିଷ୍ଟ ପ୍ରସ୍ତୁତ ନେଇ ଏଫଏଟିଏଫ୍‌ ପକ୍ଷରୁ ସୂଚନା ମିଳିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.