ଭାରତରେ କମିଲା, ପାକିସ୍ତାନରେ ବଢ଼ିଲା: ପଡ଼ୋଶୀ ଦେଶରେ ପେଟ୍ରୋଲ-ଡିଜେଲ୍‌ ଦାମରେ ଐତିହାସିକ ବୃଦ୍ଧି

Published By : Prameya-News7 Bureau | November 05, 2021 IST

ଇସ୍ଲାମାବାଦ ୦୫/୧୧: ଭାରତରେ ପେଟ୍ରୋଲ ଏବଂ ଡିଜେଲ୍‌ ଉପରେ ସରକାର ଉତ୍ପାଦ ଶୁଳ୍କ କମ୍‌ କରିଛନ୍ତି । ପେଟ୍ରୋଲ ଉପରେ ୫ ଏବଂ ଡିଜେଲ୍‌ ଉପରେ ୧୦ ଟଙ୍କା କମ୍‌ ହେବା ପରେ ଲୋକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ସେପଟେ ପଡ଼ୋଶୀ ପାକିସ୍ତାନରେ ପେଟ୍ରୋଲିୟମ ଉତ୍ପାଦର ଦାମରେ ଐତିହାସିକ ବୃଦ୍ଧି ହୋଇଥିବା ଜଣାପଡ଼ିଛି। ପେଟ୍ରୋଲିୟମ ପ୍ରଡକ୍ଟ ଉପରେ ୮.୧୦ ଟଙ୍କା ବଢ଼ାଇଛନ୍ତି ଇମ୍ରାନ ଖାନଙ୍କ ସରକାର।

ଇତିହାସରେ ପ୍ରଥମ ଥର ଦେଶରେ ସମସ୍ତ ପେଟ୍ରୋଲିୟଢ଼ ଉତ୍ପାଦର ଦାମ ୧୧୦ ଟଙ୍କା ପାର ହୋଇଛି। ଏବେ ପାକିସ୍ତାନରେ ପେଟ୍ରୋଲ ଦାମ ୧୩୭.୭୯ ଟଙ୍କା ପ୍ରତି ଲିଟରରୁ ବଢ଼ି ୧୪୫.୮୨ ଟଙ୍କାରେ ପହଞ୍ଚିଛି। ଏଥିରୁ ପେଟ୍ରୋଲ୍‌ ଉପରେ ୮.୦୩ ଟଙ୍କା ବୃଦ୍ଧି ହୋଇଥିବା ଜଣାପଡ଼ିଛି । ସେହିଭଳି ହାଇସ୍ପିଡ୍‌ ଡିଜେଲ୍‌ର ଦାମ୍‌ ପ୍ରତି ଲିଟର ପିଛା  ୮.୧୪ ଟଙ୍କା ବୃଦ୍ଧି ପାଇଛି।

କିରୋସିନ ଏବଂ ଲାଇଟ୍‌ ଡିଜେଲ୍ ଉପରେ ଯଥାକ୍ରମେ ୬.୨୭ ଟଙ୍କା ଏବଂ ୫.୭୨ ଟଙ୍କା ବଢ଼ିଛି। ପାକିସ୍ତାନରେ କିରୋସିନ୍‌ ଏବେ ୧୧୪.୦୭ ଟଙ୍କା ପ୍ରତି ଲିଟର ବିକ୍ରି ହେଉଛି। ବିରୋଧୀ ଦଳଙ୍କ ବାରମ୍ବାର ବିରୋଧ ପରେ ପାକିସ୍ତାନରେ ତୈଳ ଦରରେ ବୃଦ୍ଧି ହୋଇନଥିଲା। ଏବେ ପୁଣି ଥରେ ଇମ୍ରାନ ସରକାର ତୈଳ ଦର ବଢ଼ାଇଥିବା ଜଣାପଡ଼ିଛି। ଅନ୍ୟପଟେ ଭାରତରେ ପେଟ୍ରୋଲ ଏବଂ ଡିଜେଲ୍‌ ଦର ହ୍ରାସ ହେବା ପରେ ଏବେ ଦିଲ୍ଲୀରେ ପେଟ୍ରୋଲ୍‌ ୧୦୩.୯୭ ଟଙ୍କା ପ୍ରତି ଲିଟର ଥିବା ବେଳେ ଡିଜେଲ୍‌ ୮୬.୬୭ ଟଙ୍କାରେ ମିଳୁଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.