କରୋନା ସଂକ୍ରମିତ ହେଲେ ପାକିସ୍ତାନ କ୍ରିକେଟ୍ର, ନିଜକୁ କଲେ ଆଇସୋଲେଟ୍
24/05/2020 at 7:04 PM

ନୂଆଦିଲ୍ଲୀ ୨୪।୦୫: ଘାତକ କରୋନା ଭୂତାଣୁର ପ୍ରଭାବ କ୍ରୀଡା ଜଗତ ଉପରେ ମଧ୍ୟ ପଡିଛି। ଏବେ ପାକିସ୍ତାନର ପୂର୍ବତନ କ୍ରିକେଟ୍ର ତୌଫିକ ଉମରଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। ମାତ୍ର ତାଙ୍କଠାରେ କୌଣସି ବଡ ଲକ୍ଷଣ ଦେଖାଯାଉ ନାହିଁ। ତୌଫିକ ଦେହ ବିଗିଡିବା ପରେ କରୋନା ପରୀକ୍ଷଣ କରାଇଥିଲେ। ରିପୋର୍ଟ ପଜିଟିଭ୍ ଆସିବା ପରେ ନିଜକୁ ଆଇସୋଲେସନ୍ରେ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।
ସେ ଏହି ଭୂତାଣୁରେ ସଂକ୍ରମିତ ହେବାରେ ଚତୁର୍ଥ କ୍ରିକେଟ୍ ଖେଳାଳି। ଏହା ପୂର୍ବରୁ ସ୍କଟଲାଣ୍ଡର ମାଜିଦ୍ ହକ, ପାକିସ୍ତାନର ଜଫର ସର୍ଫରାଜ ଓ ଦକ୍ଷିଣ ଆଫ୍ରିକାର ସୋଲୋ ଏନକ୍ଵେନୀ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ତୌଫିକ୍ ଜିଓ ନ୍ୟୁଜ୍ରେ କହିଛନ୍ତି, ଗତ ରାତିରେ ଅସୁସ୍ଥ ଅନୁଭବ କରିବା ପରେ କରୋନା ଟେଷ୍ଟ କଲି ଏବଂ ରିପୋର୍ଟ ପଜିଟିଭ୍ ଆସିଛି। ମାତ୍ର ମୋଠାରେ ଗମ୍ଭୀର ଲକ୍ଷଣ ଦେଖାଯାଉ ନାହିଁ। ମୁଁ ପ୍ରତିଷେଧକ ଭାବେ ନିଜକୁ ଆଇସୋଲେସନରେ ରଖିଛି। ମୁଁ ସମସ୍ତଙ୍କୁ ଅପିଲ୍ କରୁଛି ଯେ, ମୋର ଶୀଘ୍ର ସୁସ୍ଥତା ନିମନ୍ତେ କାମନା କରିବେ।
ତୌଫିକ ଉମର ପାକିସ୍ତାନ ପାଇଁ ୪୪ଟି ଟେଷ୍ଟ ଓ ୧୨ଟି ଦିନିକିଆ ଖେଳି କ୍ରମଶଃ ୨୯୬୩ ରନ ଓ ୫୦୪ କରିଛନ୍ତି। ସେ ପାକିସ୍ତାନ ପାଇଁ ନିଜର ଶେଷ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ୨୦୧୪ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ।