ଡାବାଡୋଲ ପାକିସ୍ତାନ , ପଇସା ନାହିଁ : ସବୁ ଉଦ୍ୟମ ମାରିଲାଣି ଫେଲ୍, ମୌଳବାଦୀଙ୍କ ଚାପରେ ଇମ୍ରାନ
11/09/2018 at 6:38 PM

ଇସଲମାବାଦ ୧୧/୯ : ଇମ୍ରାନଙ୍କ ନୂଆ ପାକିସ୍ତାନ ଏବେ ଆର୍ଥିକ ସଙ୍କଟରେ । ଦେଶର ଅର୍ଥନୀତି ଏବେ ପୂରା ବିପର୍ଯ୍ୟସ୍ତ। ବୈଦେଶିକ ମୁଦ୍ରା ଭଣ୍ଡାର ଖାଲି। ନିଜର ଖର୍ଚ୍ଚ ତୁଲାଇବାକୁ ଏବେ ପାକିସ୍ତାନ ପାଖରେ ପଇସା ନାହିଁ। ଗଡଗଡା ପରିସ୍ଥିତି ଯୋଗୁ ପାକସ୍ତାନକୁ ଦୁର୍ଦ୍ଦିନକୁ ଭିତରକୁ ଠେଲି ହୋଇଯାଉଛି। ଋଣ ବୋଝରେ ବୁଡି ରହିଥିବା ପାକିସ୍ତାନ ଅର୍ଥନୀତି ପୁଣି ଥରେ କେମିତି ଅଣ୍ଟା ସଳଖି ଛିଡା ହେବ ତାହା ଏବେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଇଁ ବଡ ଆହ୍ବାନ। ଦେଶ ପାଇଁ ଏବେ ପ୍ରଥମ ଆହ୍ବାନ ହେଉଛି କେମିତି ଆୟ ତୁଳନାରେ ଖର୍ଚ୍ଚକୁ କମ କରାଯିବ। ଆୟ ଓ ବ୍ୟୟ ଭିତରେ ରହିଥିବା ୧୦ ବିଲିୟନ ଡଲାରରର ଦୂରତାକୁ କେମିତି କମ କରାଯିବ । ପାକିସ୍ତାନରେ ଏବେ ଚଳନ୍ତି ଖାତା ନିଅଣ୍ଟ ୧୫.୮ ବିଲିୟନ ଡଲାରକୁ ଛୁଇଁଲାଣି । ସେପଟେ ଦେଶରେ ବୈଦେଶିକ ମୁଦ୍ରା ଗଚ୍ଛିତର ପରିମାଣ ମାତ୍ର ୧୦ ବିଲିୟନ ଡଲାରୁ କିଛି ଅଧିକ ରହିଛି । ଯାହାକି ଦେଶର ଦୁଇମାସର ଆମଦାନୀ ଖର୍ଚ୍ଚ ମେଣ୍ଟାଇପାରିବ। ଆର୍ଥିକ ସଙ୍କଟର ମୁକାବିଲା କରିବାପାଇଁ ଏବେ ଇମ୍ରାନଙ୍କ ସରକାରଙ୍କ ପାଖରେ ଦୁଇଟି ବିକଳ୍ପ ରହିଛି। ଆଇଏମଏଫକୁ ଆର୍ଥିକ ସହାୟତା ମାଗିବେ ନା ଚୀନ ଆଗରେ ଭିକ୍ଷା ଥାଳି ନେଇ ଯିବେ।
ଦେଶର ବିଗିଡିଯାଇଥିବା ଅର୍ଥନୀତିକୁ ସୁଧାରିବା ପାଇଁ ଇମ୍ରାନ ନେଇଛନ୍ତି ଠୋସ୍ ପଦକ୍ଷେପ। ଏଥିପାଇଁ ସେ ଗଠନ କରିଛନ୍ତି ଅର୍ଥନୈତିକି ପରାମର୍ଶଦାତ ପରିଷଦ। ଦେଶ ବିଦେଶରୁ ବଛା ବଛା ଅର୍ଥନୀତିଜ୍ଞଙ୍କୁ ଏଥିରେ ସାମଲି କରାଯାଇଛି। ଦେଶକୁ କେମିତି ବିପର୍ଯ୍ୟସ୍ତ ଅର୍ଥବ୍ୟବସ୍ଥାରୁ ମୁକୁଳାଯିବ ପରିଷଦର ପରାମର୍ଶ ଅନୁଯାୟୀ ଆର୍ଥିକ ସଂସ୍କାର ପ୍ରକ୍ରିୟା ତ୍ବରାନ୍ବିତ ହେବ।
କ୍ରିକେଟ ମଇଦାନରେ ବେଶ୍ ଆକ୍ରମଣାତ୍କମ ଖେଳ ପାଇଁ ବେଶ୍ ଜଣାଶୁଣା ଇମ୍ରାନଙ୍କୁ ରାଜନୈତିକ ୱିକେଟରେ ଏବେ ଘାତକ ବାଉନସରର ସମ୍ମୁଖୀନ ହୋଇଛନ୍ତି। ଇମ୍ରାନଙ୍କ ଆର୍ଥିକ ସଂସ୍କାର ରଥ ଆଗେଇବା ପୂର୍ବରୁ ମୌଳବାଦୀ ଲଗାଇଛନ୍ତି ବ୍ରେକ୍ । ମୌଳବାଦୀ ତଥା ଉଗ୍ରବାଦୀମାନଙ୍କ ଚାପ ଆଗରେ ଇମ୍ରାନଙ୍କୁ ମୁଣ୍ଡ ନୁଆଁଇବାକୁ ପଡିଛି । ମୌଳବାଦୀଙ୍କ ଚାପ ଯୋଗୁ ପାକିସ୍ତାନ ସରକାରଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ(ଇଏସି)ରୁ ଦୁଇ ଦିନ ମଧ୍ୟରେ ଦ୍ୱିତୀୟ ଅର୍ଥନୀତିଜ୍ଞ ପଦତ୍ୟାଗ କରିଛନ୍ତି। ଅତିଫ ଆର ମିଆଁ ପଦ ତ୍ୟାଗକରିଥିବାବେଳେ ଏହାର ଦିନକ ପରେ ଇମ୍ରାନ୍ ରସୁଲ ପରିଷଦରୁ ଇସ୍ତଫା ଦେଇଛନ୍ତି।