ଭାରତର ସମବେଦନା ଉପରେ ଲଜ୍ଜିତ ହେଲା ପାକିସ୍ତାନ, ୩ ଦିନ ପରେ ବାତ୍ୟା ଅମ୍ଫାନରେ ହୋଇଥିବା କ୍ଷତି ନେଇ କଲା ଦୁଃଖ ପ୍ରକାଶ

Published By : Prameya-News7 Bureau | May 23, 2020 IST

ନୂଆଦିଲ୍ଲୀ ୨୩।୦୫: ପାକିସ୍ତାନ ଓ ସେଠାକାର ଇମ୍ରାନ ସରକାର ଏତେ ନିକ୍କମା ଏବଂ ବେପରୁଆ ଆପଣ ଏଥିରୁ ଅନ୍ଦାଜ ଲଗାଇ ପାରିବେ। କିଛି ଦିନ ତଳେ ଭାରତରେ ସାମୁଦ୍ରିକ ଝଡ ବାତ୍ୟା ଅମ୍ଫାନ ଆସିଥିଲା ଏବଂ ଏଥିରେ ବ୍ୟାପକ କ୍ଷତି ଘଟିଛି। ଏହି ବାତ୍ୟା ମେ ୨୦ ଅପରାହ୍ନ ପ୍ରାୟ ୩ଟାରେ ପଶ୍ଚିମବଙ୍ଗର ଦିଘା ଓ ବାଂଲାଦେଶର ହାତଆ ଦ୍ଵୀପ ମଧ୍ୟରେ ସ୍ଥଳଭାଗ ଛୁଇଁଥିଲା। ଏହି ବାତ୍ୟା ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ପ୍ରାୟ ୮୫ ଜଣଙ୍କ ପ୍ରାଣହାନୀ ଘଟିଛି। ଏହି ବାତ୍ୟା ହେବାର ତିନି ଦିନ ପରେ ଶନିବାର ପାକିସ୍ତାନକୁ ଦୁଃଖ ପ୍ରକଟ୍‌ କଥା ମନେ ପଡିଛି।  ଅନ୍ୟପଟେ ଆସନ୍ତକାଲି ପାକିସ୍ତାନରେ ଏକ ଭୟାନକ ବିମାନ ଦୁର୍ଘଟଣା ଘଟିଛି। ଏହାର କିଛି ଘଣ୍ଟା ମଧ୍ୟରେ ଜଣେ ପରେ ଜଣେ ଭାରତୀୟ ନେତା ସମେତ ସାଧାରଣ ଲୋକ ମଧ୍ୟ ନିଜର ସମବେଦନା ଜଣାଇଥିଲେ। ଲାଗୁଛି ପାକିସ୍ତାନ ଲଜ୍ଜିତ ହୋଇ ଏବେ ଏହି ପ୍ରତିକ୍ରିୟା ଦେଇଛି, ନଚେତ୍‌ ତିନି ଦିନ ପରେ ଶୋକ ପ୍ରକଟ୍‌ କରିବାର କଣ କାରଣ ରହିଛି।

କଣ କହିଲା ପାକିସ୍ତାନ ?

ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି, ବାତ୍ୟା ଅମ୍ଫାନ କାରଣରୁ ବାଂଲାଦେଶ ଓ ଭାରତରେ ମୃତ୍ୟୁ ଓ ବ୍ୟାପକ କ୍ଷତି ଉପରେ ପାକିସ୍ତାନ ସରକାର ଓ ପାକିସ୍ତାନୀ ଜନତା ଦୁଃଖୀ। ନିଜର ପ୍ରିୟଜନକୁ ହରାଇଥିବା ପରିବାର ପ୍ରତି ସମବେଦନା ପ୍ରକଟ କରୁଛୁ ଏବଂ ପ୍ରଭାବିତ ଅଞ୍ଚଳରେ ସ୍ଥିତି ଶୀଘ୍ର ଠିକ୍ ହେବାକୁ ପ୍ରାର୍ଥନା କରୁଛୁ।

ଉଲ୍ଲେଖନୀୟ ଶୁକ୍ରବାର ଲାହୋରରୁ କରାଚି ଯାଉଥିବା ପାକିସ୍ତାନର ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ବିମାନ କରାଚି ବିମାନ ବନ୍ଦରରେ ଅବତରଣ କରିବାର ଠିକ୍ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ, କଂଗ୍ରେସ ନେତା ରାହୁଲ ଗାନ୍ଧୀ  ପର୍ଯ୍ୟନ୍ତ ସମସ୍ତ ନେତା ଦୁଃଖ ପ୍ରକଟ୍ କରି ପାକିସ୍ତାନ ପ୍ରତି ସମବେଦନା ଜଣାଇଥିଲେ।

ବୋଧହୁଏ ଏହା ଦେଖି ପାକିସ୍ତାନ ଲଜ୍ଜିତ ହୋଇଛି ଯେ, ନିଜର ଏଠାରେ ହୋଇଥିବା ଦୁର୍ଘଟଣାରେ ଭାରତ ଆମ ପାଇଁ ଦୁଃଖ ପ୍ରକଟ୍ କରୁଛି ଏବଂ ନିଜର ସମବେଦନା ବ୍ୟକ୍ତ କରୁଛି। କିନ୍ତୁ ବାତ୍ୟା ଅମ୍ଫାନରେ ଭାରତରେ ହୋଇଥିବା ବ୍ୟାପକ କ୍ଷୟକ୍ଷତି ଉପରେ ନିଜର ମୁହଁ ଖୋଲିନଥିଲା। ଅନ୍ତରାଷ୍ଟ୍ରୀୟ ସ୍ତରରେ ଏହାକୁ ନେଇ ଲଜ୍ଜିତ ହେବା ପୂର୍ବରୁ ଏଥିପାଇଁ ପାକିସ୍ତାନର  ବୈଦେଶିକ ମନ୍ତ୍ରଣାଳୟ ବିବୃତି ଜାରି କରି ଭାରତ ଓ ବାଂଲାଦେଶ ପ୍ରତି ସମବେଦନା ଜଣାଇଛି।

ଉଲ୍ଲେଖଯୋଗ୍ୟ, ବାତ୍ୟା ଅମ୍ଫାନରେ ଭାରତରେ ୮୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ପ୍ରାୟ ଦେଢ କୋଟି ପ୍ରଭାବିତ ହୋଇଛନ୍ତି। ୧୦ ଲକ୍ଷରୁ ଅଧିକ ଘର ନଷ୍ଟ ହୋଇ ଯାଇଛି। ବାଂଲାଦେଶରେ ଅମ୍ଫାନ କାରଣରୁ ଅତି କମରେ ୨୨ ଜଣଙ୍କ ମୃତ୍ୟୁ ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.