ପାକିସ୍ତାନର ଦୋମୁହାଁ ନୀତି – ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଜେଡ୍‌ ପ୍ଲସ ସୁରକ୍ଷା ବଦଳରେ ଦେବ ଖୋଲା ଜିପ୍‌

Published By : Prameya-News7 Bureau | November 07, 2019 IST

ନୂଆଦିଲ୍ଲୀ ୦୭।୧୧  ଆସନ୍ତା ୯ ତାରିଖରେ କର୍ତ୍ତାରପୁର କରିଡରର ଉଦ୍ ଘାଟନ ହେବ। ଏଥିପାଇଁ ପାକିସ୍ତାନ ପକ୍ଷରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଅତିଥି ଭାବେ ଆମନ୍ତ୍ରଣ କରାଯାଇଛି। ତେଣୁ ଆଜି କର୍ତ୍ତାରପୁର ଯିବେ ମନମୋହନ ସିଂହ। ଏଥିପାଇଁ ମନମୋହନଙ୍କ ପାଇଁ ଜେଡ୍  ପ୍ଲସ୍  ସୁରକ୍ଷା ବ୍ୟବସ୍ଥାର ଆୟୋଜନ କରିବାକୁ ପାକିସ୍ତାନକୁ କୁହାଯାଇଥିଲା ।

 କିନ୍ତୁ ପାକିସ୍ତାନ ମନମୋହନଙ୍କ ପାଇଁ ଏକ ବ୍ୟାଟେରି ଚାଳିତ ଖୋଲା ଗାଡ଼ିର ବ୍ୟବସ୍ଥା କରିଛି। ଫଳରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।  କର୍ତ୍ତାରପୁରସ୍ଥିତ ଗୁରୁଦ୍ବାରା ପର୍ଯ୍ୟନ୍ତ ଯିବା ଲାଗି ନିର୍ମିତ ୪ କିଲୋମିଟର ଦୂରର କରିଡରର ଉଦଘାଟନ ହେବ । ଏହି ଉତ୍ସବରେ ଯୋଗ ଦେବା ପାଇଁ ଭାରତରୁ ୫୫୦ ଜଣ ସେଠାକୁ ଯିବା ଲାଗି ସ୍ଥିର ହୋଇଛି। ସେମାନଙ୍କ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ସାମିଲ ଅଛନ୍ତି ।

 ସେପଟେ କର୍ତ୍ତାରପୁର କରିଡରକୁ ନେଇ ପାକିସ୍ତାନୀ ସେନା ନିଜ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନିଷ୍ପତ୍ତିକୁ ବଦଳାଇ ଦେଇଛି। କର୍ତ୍ତାରପୁର ଗସ୍ତ ପାଇଁ ଭାରତୀୟମାନଙ୍କ ଲାଗି ପାସପୋର୍ଟର ଆବଶ୍ୟକତା ପଡ଼ିବ ନାହିଁ ବୋଲି ନିକଟରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଘୋଷଣା କରିଥିବା ବେଳେ , ପାକ୍  ସେନା ଏହାକୁ ପ୍ରତ୍ୟାଖ୍ୟାନ କରିଛି। ପାକ୍  ସେନା ମୁଖପାତ୍ର ମେଜର୍ ଜେନେରାଲ୍ ଆସିଫ ଗଫୁରଙ୍କ ଅନୁସାରେ ଶିଖ୍  ତୀର୍ଥଯାତ୍ରୀମାନଙ୍କୁ କର୍ତ୍ତାରପୁର କରିଡର୍ ଆସିବାକୁ ହେଲେ ଭାରତୀୟ ପାସପୋର୍ଟ ଜରୁରୀ। ପାକ୍  ସେନାର ଏପରି ଆଭିମୁଖ୍ୟ ଆଶ୍ଚର୍ଯ୍ୟର ବିଷୟ ପାଲଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.