ମ୍ୟାଚ୍ ଫିକ୍ସିଂ: କ୍ରିକେଟ୍ରୁ ୩ ବର୍ଷ ବାସନ୍ଦ ହେଲେ ପାକିସ୍ତାନ କ୍ରିକେଟର ଉମର ଆକମଲ
27/04/2020 at 7:40 PM

ନୂଆଦିଲ୍ଲୀ ୨୭।୦୪: ପାକିସ୍ତାନ କ୍ରିକେଟ୍ ବୋର୍ଡ(PCB) ସୋମବାର କ୍ରିକେଟର ଉମର ଆକମଲଙ୍କୁ ଦୁର୍ନୀତି ନିବାରଣ କୋଡ୍ ଉଲ୍ଲଂଘନ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ କ୍ରିକେଟରରୁ ତିନି ବର୍ଷ ବାସନ୍ଦ କରିଛି। ଆକଲମଙ୍କ ବିରୋଧରେ ପିସିବିର ଅନୁଶାସନାତ୍ମକ କମିଟି ମ୍ୟାଚ୍ ଫିକ୍ସିଂର ଯାଞ୍ଚ କରୁଥିଲେ।
ପିସିବି ଟୁଇଟ୍ କରି କହିଛି ଯେ, ଉମର ଆକମଲଙ୍କୁ ଅନୁଶାସନାତ୍ମକ କମିଟିର ସଭାପତି ଅବସର ପ୍ରାପ୍ତ ଜଜ ଫଜଲ ଏ ମିରନ ଚୌହାନ କ୍ରିକେଟ୍ର ସମସ୍ତ ଫର୍ମାଟରୁ ତିନି ବର୍ଷ ଲାଗି ବାସନ୍ଦ କରିଛନ୍ତି।
ଏହା ପୂର୍ବରୁ ୨୯ ବର୍ଷୀୟ ଉମର ଆକମଲ ଏକ ସାକ୍ଷାତକାରରେ କହିଥିଲେ ଯେ, ତାଙ୍କୁ ଏକ ମ୍ୟାଚରେ ୨ଟି ବଲ୍ ଛାଡିବାକୁ ବୁକିଙ୍କ ପକ୍ଷରୁ ୨ ଲକ୍ଷ ଆମେରିକୀୟ ଡଲାର ଅଫର ମିଳିଥିଲା। ସେ ଏହା ମଧ୍ୟ ଦୃଢତାର ସହ କହିଥିଲେ ଯେ, ତାଙ୍କୁ ଭାରତ ବିପକ୍ଷ ମ୍ୟାଚ୍ରେ କ୍ୟାଚ୍ ଛାଡିବାକୁ ଅଫର କରାଯାଇଥିଲା।

ପାକିସ୍ତାନର ଏହି ବ୍ୟାଟସମ୍ୟାନ ଏହା ମଧ୍ୟ କହିଥିଲେ ଯେ, ତାଙ୍କୁ ବୁକି ୨୦୧୫ରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଦ୍ଵାରା ଆୟୋଜିତ ଆଇସିସି ବିଶ୍ଵ କପ୍ ସମୟରେ ଯୋଗାଯୋଗ କରିଥିଲେ।
ଉଲ୍ଲେଖଯୋଗ୍ୟ, ଆକମଲ ପାକିସ୍ତାନ ପକ୍ଷରୁ ଏ ପର୍ଯ୍ୟନ୍ତ ୧୬ଟି ଟେଷ୍ଟ, ୧୨୧ଟି ଦିନିକିଆ ଓ ୮୪ଟି ଟି-୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳିଛନ୍ତି। ତାଙ୍କ ନାମରେ ଟେଷ୍ଟରେ ୧୦୦୩ ରନ, ଦିନିକିଆରେ ୩୧୯୪ ରନ ଏବଂ ଟି-୨୦ରେ ୧୬୯୦ ରହିଛି। ସେ ୨୦୦୯ରେ ପାକିସ୍ତାନ ପକ୍ଷରୁ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ରେ ପଦାର୍ପଣ କରିଥିଲେ।