ପୁଅ ସହ ଇଂଲଣ୍ଡର ଏକ ମଲ୍ରେ ବୁଲୁଥିବା ପାକିସ୍ତାନ ଟିମର କ୍ୟାପଟେନ ସରଫରାଜଙ୍କ ସହ ଅଶାଳୀନ ବ୍ୟବହାର କଲେ ପ୍ରଶଂସକ
22/06/2019 at 3:56 PM

ଲଣ୍ଡନ୨୨|୬: ଭାରତ ବିପକ୍ଷରେ ପାକିସ୍ତାନ ୱାର୍ଲଡକପ ମ୍ୟାଚ ହାରିବା ପରେ ଚାରିଆଡେ ପାକିସ୍ତାନ ଟିମର ସମାଲୋଚନା । ପାକିସ୍ତାନର ଖେଳାଳି, ନେତାଙ୍କ ଠାରୁ ଆରମ୍ଭ କରି ପ୍ରଶଂସକ ମଧ୍ୟ ରାଗି ଯାଇଛନ୍ତି । ପାକିସ୍ତାନ କ୍ୟାପଟେନ ସରଫରାଜ ଅହମଦଙ୍କୁ ଏଥିପାଇଁ ଦାୟୀ କରାଯାଇଛି । ନିକଟରେ ବ୍ରିଟେନର ଏକ ମଲରେ ବୁଲୁଥିଲେ ସରଫରାଜ । ସରଫରାଜ ନିଜ ପୁଅକୁ ନେଇ ବୁଲିବାକୁ ଯାଇଥିଲେ । ଜଣେ ପ୍ରଶଂସକ ଲାଇଭ ଭିଡିଓରେ ସରଫରାଜଙ୍କୁ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଭିଡିଓ ଭାଇରାଲ ହେବାପରେ କ୍ରିକେଟ ପ୍ରଶଂସକ ପାକିସ୍ତାନି ଖେଳାଳିଙ୍କ ଏବଂ ତାଙ୍କ ସମର୍ଥକଙ୍କୁ ପରିହାସ କରିଛନ୍ତି ।

ପାକିସ୍ତାନର ସାମ୍ବାଦିକ ସୈୟଦ ରଜା ମେହଦୀ ଏହି ଭିଡିଓ ସେୟାର କରି ଘଟଣାକୁ ନିନ୍ଦା କରିଛନ୍ତି । ସେ ଲେଖିଛନ୍ତି ଆମେ ଆମର ନ୍ୟାଶନାଲ ହିରୋଙ୍କ ସହ ଏହିଭଳି ବ୍ୟବବାହାର କରୁଛୁ, ଏହା ଅତ୍ୟନ୍ତ ନିନ୍ଦନୀୟ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପତ୍ନୀ ରେହମ ଖାନ ଏହାକୁ ଲଜ୍ଜାଜନକ ବୋଲି କହିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ, ସରଫରାଜ କେବଳ ଗୋଟିଏ ମ୍ୟାଚ୍ ହାରିଛନ୍ତି, କିନ୍ତୁ ସାମାଜିକ ଭାବେ ଆମେ ଶାଳୀନତା ମଧ୍ୟ ହରାଇଦେଇଛୁ ।

ଭିଡିଓକୁ ବଲିଉଡ ତାରକା ରିତେଶ ଦେଶମୁଖ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ପ୍ରତ୍ୟେକ କ୍ୟାପଟେନ କ୍ରିକେଟ ଇତିହାସ କୌଣସି ନା କୌଣସି ମହତ୍ଵପୁର୍ଣ ମ୍ୟାଚରେ ପରାସ୍ତ ହୋଇଛନ୍ତି । କିନ୍ତୁ ସରଫରାଜଙ୍କ ସହିତ ଯାହା ହେଉଛି ତାହା ଉଚିତ ନୁହନ୍ତି । ଏହା ଏକ ପ୍ରକାର ସାମାଜିକ ଉତ୍ପୀଡ଼ନ ଏବଂ ନିହାତି ନିନ୍ଦନୀୟ ।
ଘଟଣାକୁ ନେଇ ଆଉ କିଛି ଭାରତୀୟ ମଧ୍ୟ କ୍ରୋଧ ପ୍ରକାଶ କରିଛନ୍ତି । ସିଦ୍ଧାର୍ଥ ଶୁକ୍ଳା ଟ୍ୱିଟ କରି କହିଛନ୍ତି ଯେ, ଜଣେ ଭାରତୀୟ ହିସାବରେ ମୁଁ କହୁଛି ସମର୍ଥକଙ୍କ ଏଭଳି ବ୍ୟବହାର ଅନୁଚିତ । ସମର୍ଥନ କରନ୍ତୁ କି ନିନ୍ଦା କରନ୍ତୁ କିନ୍ତୁ ଏତେ ତଳକୁ ଖସିଯିବା ଉଚିତ ନୁହେଁ ।
ଆଉ ଜଣେ ଭାରତୀୟ ସମର୍ଥକ ମଧ୍ୟ ଟ୍ୱିଟ କରି କହିଛନ୍ତି ଯେ, ପୁଅ ସହ ଥିବାବେଳେ ଏଭଳି ବ୍ୟବହାର କରିବା ଅନୁଚିତ । ତଥାପି ସରଫରାଜ କିଛି ନ କହି ଚୁପ ରହିବା ଯୋଗୁଁ ତାଙ୍କୁ ପ୍ରଶଂସା କରିଛନ୍ତି । ଭିଡିଓକୁ ନେଇ ସାରା ଦୁନିଆରୁ ନିନ୍ଦା ଶୁଣିବା ପରେ ଭିଡିଓ ରେକଡିଂ କରିଥିବା ଯୁବକ ଆଉ ଏକ ଭିଡିଓ ସେୟାର କରିଥିଲେ । ଏହି ଭିଡିଓରେ ସେ ନିଜ ଭୁଲ ପାଇଁ କ୍ଷମା ମାଗିଥିଲେ ।