ପାକିସ୍ତାନ କ୍ୟାପଟେନ ଇମ୍ରାନ
26/07/2018 at 12:56 PM

ତେହେରିକ-ଇ-ଇନସାଫର ଅଧ୍ୟକ୍ଷ ତଥା ପାକିସ୍ତାନର ପୂର୍ବତନ କ୍ରିକେଟ କ୍ୟାପଟେନ ଇମ୍ରାନ ଖାନ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ସମ୍ଭାବନ ଅଧିକ ରହିଛି |
ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ହେଲେ ଭାରତ ସହ ପାକିସ୍ତାନର ସମ୍ପର୍କ ଅଧିକ ତିକ୍ତ ହେବା ବିଶେଷଜ୍ଞମାନେ ଆକଳନ କରୁଛନ୍ତି | ଏହା ପଛରେ ଯୁକ୍ତି ହେଉଛି ଯେ, ପାକିସ୍ତାନ ସାମରୀକ ବାହିନୀର ଇମ୍ରାନଙ୍କ ପ୍ରତି ସମର୍ଥନ ରହିଛି | ଏପରିକି କୁହାଯାଉଛି ଯେ, ସାମରୀକ ବାହିନୀର ପରୋକ୍ଷ ସହଯୋଗରେ ଇମ୍ରାନଙ୍କ ଦଳ ଅଧିକ ଆସନ ଜିତିବାରେ ସଫଳ ହୋଇଛି |
ଇମ୍ରାନ ଖାନ ୧୯୫୨ ମସିହା ଅକ୍ଟୋବର ୫ ତାରିଖରେ ପାକିସ୍ତାନରେ ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ଲାହୋର ଠାରେ ଜନ୍ମ ଗ୍ରହଣ କରିଥିଲେ | ମୂଳତଃ ଜଣେ ଆଫଗାନୀ ପାକିସ୍ତାନୀ ଅର୍ଥାତ ‘ପସତୁନ’ ପରିବାରରେ ଜନ୍ମ ହୋଇଥିବା ଇମ୍ରାନ ଲାହୋରରେ ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ କେବଲେ ମହାବିଦ୍ୟାଳୟରୁ ଉଚ୍ଚ ଶିକ୍ଷା ହାସଲ କରିଥିଲେ |
ଇମ୍ରାନ ୧୩ ବର୍ଷ ବୟସରୁ କ୍ରିକେଟ ଓରସେଷ୍ଟରସାଇର କ୍ରିକେଟ କ୍ଲବ ପାଇଁ ଖେଳିବା ଆରମ୍ଭ କରିଥିଲେ | ପରେ ମାତ୍ର ୧୮ ବର୍ଷ ବୟସରେ ପାକିସ୍ତାନ କ୍ରିକେଟ ଦଳ ପାଇଁ ପ୍ରଥମ ଥର ପାଇଁ ବିରମିଂହମ ଠାରେ ୧୯୭୧ ମସିହାରେ ଖେଳାଯାଉଥିବା ଇଂଲିଶ ସିରିଜରେ ପାକିସ୍ତାନ ପକ୍ଷରୁ ଖେଳିଥିଲେ | ପରବର୍ତ୍ତୀ ସମୟରେ ୧୯୭୯ ମସିହାରେ ସେ ପାକିସ୍ତାନ ଜାତୀୟ କ୍ରିକେଟ ଦଳରେ ସାମିଲ ହୋଇଥିଲେ | ଜଣେ ଆଗଧାଡ଼ିର ଅଲରାଉଣ୍ଡର ଭାବେ କ୍ଷତି ଅର୍ଜନ କରିଥିବା ଇମ୍ରାନ ୧୯୮୨ରୁ ୧୯୯୨ ମସିହା ପର୍ଯ୍ୟନ୍ତ ପ୍ରାୟ ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ |
ଇମ୍ରାନଙ୍କ ନେତୃତ୍ୱରେ ୧୯୯୨ ମସିହାରେ ପାକିସ୍ତାନ ବିଶ୍ୱକପ ବିଜୟୀ ହୋଇଥିଲା | ସେହିବର୍ଷ ହିଁ ଇମ୍ରାନ କ୍ରିକେଟରୁ ସନ୍ୟାସ ନେଇଥିଲେ | ଲାହୋରଠାରେ ଏକ କର୍କଟ ରୋଗ ଚିକିତ୍ସାଳୟ ଖୋଲିବା ପାଇଁ ପାଣ୍ଠି ସଂଗ୍ରହରେ ଲାଗିଥିଲେ | ୧୯୯୪ ମସିହାରେ ଲାହୋରଠାରେ ନିଜ ମାଙ୍କ ସ୍ମୃତିରେ ପ୍ରତିଷ୍ଠା କରିଥିଲେ | ୨୦୧୫ ମସିହାରେ ସେ ପେଶୱା ଠାରେ ଦ୍ୱିତୀୟ କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା କରିଥିଲେ |
କ୍ରିକେଟରୁ ଅବସର ନେବା ପରେ ମୁଖ୍ୟତଃ ସମାଜସେବା, କ୍ରିକେଟ ଧାରା ବିବରଣୀ ପ୍ରଦାନ କରିବା ଆଦି କାର୍ଯ୍ୟ କରୁଥିବା ବେଳେ ୧୯୯୬ ମସିହାରେ ପାକିସ୍ତାନ ରାଜନୀତିରେ ପାଦ ଥାପିଥିଲେ ଇମ୍ରାନ ଖାନ | ଗଠନ କରିଥିଲେ ନିଜର ସ୍ୱତନ୍ତ୍ର ରାଜନୈତିକ ଦଳ ତେହେରିକ-ଇ-ଇନସାଫ | ଯାହାର ଅର୍ଥ ହେଉଛି ନ୍ୟାୟ ପାଇଁ ପାକିସ୍ତାନୀ ଆନ୍ଦୋଳନ | ୨୦୦୨ ମସିହାରେ ସେ ପ୍ରଥମ ଥର ପାଇଁ ଜାତୀୟ ଆସେମ୍ଲି ଲାଗି ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ | ଜାତୀୟ ଆସେମ୍ଲିରେ ସେ ବିରୋଧୀ ଦଳ ନେତା ଭାବେ ୨୦୦୭ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିଲେ | ପୁନର୍ବାର ୨୦୧୩ ସାଧାରଣ ନିର୍ଵାଚନରେ ସେ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ | ଜାତୀୟ ଆସେମ୍ଲିରେ ତାଙ୍କ ଦଳ ତୃତୀୟ ସର୍ବ ବୃହତ୍ତ ଦଳ ଭାବେ ଉଭା ହୋଇଥିଲା | ୨୦୧୩ ନିର୍ବାଚନରେ ତେହେରିକ-ଇ-ଇନସାଫ ସମୁଦାୟ ୨୭ଟି ଆସନ ପାଇଥିଲା | ଅସିଫ ଅଲ୍ଲୀ ଜର୍ଦାରୀଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି ଏମପି ଆସନରେ ବିଜୟୀ ହୋଇ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ନୱାଜ ସରିଫଙ୍କ ପାକିସ୍ତାନ ମୁସଲିମ- ଲିଗ-ନୱାଜ ୧୬୬ଟି ଆସନରେ ବିଜୟୀ ହୋଇ ସରକାର ଗଠନ କରିଥିଲା |