ପାକିସ୍ତାନର କୁହାଳିଆ ବୋଲର, ଆମେ ଭାରତକୁ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ପରି ହରାଇବୁ

Published By : Prameya-News7 Bureau | September 15, 2021 IST

ନୂଆଦିଲ୍ଲୀ ୧୫।୦୯: ଟି-୨୦ ବିଶ୍ଵ କପ୍‌ର କାଉଣ୍ଟ ଡାଉନ୍ ଆରମ୍ଭ ହୋଇ ସାରିଛି। ଚିର ପ୍ରତିଦ୍ଵନ୍ଦୀ ପାକିସ୍ତାନ ସହ ରହିଛି  ଭାରତର ପ୍ରଥମ ମୁକାବିଲା। ଏହି ହାଇଭୋଲଟେଜ୍ ମ୍ୟାଚ୍ ପୂର୍ବରୁ ଭାରତକୁ ହରାଇବାର ଦମ୍ଭୋକ୍ତି  ପ୍ରକାଶ କରିଛନ୍ତି ପାକିସ୍ତାନୀ ଦ୍ରୁତ ବୋଲର ହସନ ଅଲ୍ଲୀ। ସେ କହିଛନ୍ତି, ତାଙ୍କୁ ପୂରା ଭରସା ଯେ, ତାଙ୍କ ଦଳ ୨୦୧୭ ଚାମ୍ପିଅନ୍ସ ଟ୍ରଫି  ଫାଇନାଲ୍‌ ବିଜୟର ପ୍ରେରଣା ନେଇ ଟି-୨୦ ବିଶ୍ଵ କପ୍‌ର ପ୍ରଥମ ମ୍ୟାଚ୍‌ରେ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଭାରତକୁ ହରାଇ ପାରିବ। ଚାମ୍ପିଅନ୍ସ ଟ୍ରଫି ପରେ ପାକିସ୍ତାନୀ ଦଳ ୫୦ ଓଭରିଆ ମ୍ୟାଚ୍‌ରେ ଦୁଇ ଥର ଭାରତ ବିପକ୍ଷରେ ଖେଳିଥିଲା। ହେଲେ ୨୦୧୮ରେ ଦୁବାଇରେ ଖେଳାଯାଇଥିବା ଏସିଆ କପ୍ ଏବଂ ୨୦୧୯ ମାଞ୍ଚେଷ୍ଟର ଦିନିକିଆ ବିଶ୍ଵ କପ୍‌ରେ ଦଳ ଭାରତଠୁ ପରାଜିତ ହୋଇଥିଲା।

କୌଣସି ବି ବୈଶ୍ଵିକ ପ୍ରତିଯୋଗିତା ପୂର୍ବରୁ ପାକିସ୍ତାନୀ ଦଳ ପକ୍ଷରୁ ବହୁତ ବୟାନବାଜି କରାଯାଏ। ମାତ୍ର ଏ ପର୍ଯ୍ୟନ୍ତ ସେମାନେ ୫୦ ଓଭର କିମ୍ବା ଟି-୨୦ ବିଶ୍ଵ କପରେ ଭାରତକୁ ହରାଇ ପାରି ନାହାନ୍ତି। ଏପରିକି ଅଭ୍ୟାସ୍ ମ୍ୟାଚ୍‌ରେ ବି ଭାରତଠୁ ଜିତି ପାରି ନାହାନ୍ତି।

ହସନ ବୁଧବାର ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଯେବେ ଆମେ ୨୦୧୭ରେ ଚାମ୍ପିଅନ୍ସ ଟ୍ରଫି ଜିତିଥିଲୁ ତାହା ଆମ ପାଇଁ ବହୁତ ଭଲ ସମୟ ଥିଲା। ଏବେ ଆମେ ଟି-୨୦ ବିଶ୍ଵ କପ୍‌ରେ ମଧ୍ୟ ଭାରତକୁ ହରାଇବାକୁ ପ୍ରୟାସ କରିବୁ। ଉକ୍ତ ମ୍ୟାଚ୍‌ରେ ଆମେ  ନିଜର ସର୍ବଶ୍ରେଷ୍ଠ ଦେବୁ। ଭାରତ ବିପକ୍ଷରେ ଖେଳିବା ସର୍ବଦା ଚାପର ସମ୍ମୁଖୀନ ହେବାକୁ  ପଡିଥାଏ। କାରଣ ଦୁଇ ଦେଶର ପ୍ରଶଂସକ ନିଜ ନିଜ ଦଳଠୁ ବହୁତ ଆଶା ରଖିଥାନ୍ତି।

ସେ କହିଛନ୍ତି, ବିଶ୍ଵ ପ୍ରତିଯୋଗିତାରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌କୁ ସର୍ବଦା ଅଧିକ ଲୋକ ଉପଭୋଗ କରିଥାନ୍ତି। ଏପରିକି ଯେଉଁ ଲୋକ କ୍ରିକେଟ୍ ମ୍ୟାଚ୍ ଦେଖନ୍ତି ନାହିଁ ସେମାନେ ମଧ୍ୟ ଭାରତ ବନାମ ପାକିସ୍ତାନ ମ୍ୟାଚ୍ ଦେଖିଥାନ୍ତି। ଏଥିପାଇଁ ଖେଳାଳିଙ୍କ ଉପରେ ବହୁତ ଚାପ ରହିଥାଏ। ତଥାପି ଆମେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବୁ ବୋଲି ହସନ  କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.