ବାୟୁସେନା ପାଇଲଟ୍ ଅଭିନନ୍ଦନଙ୍କୁ ବନ୍ଦୀ କରିଥିବା ଦାବି କଲା ପାକିସ୍ତାନ
27/02/2019 at 4:19 PM

ନୂଆଦିଲ୍ଲୀ ୨୭|୨: ପାକିସ୍ତାନର ଆତଙ୍କୀ ସଂଗଠନର ଠିକଣାରେ ଭାରତୀୟ ବାୟୁସେନାର କାର୍ଯ୍ୟାନୁଷ୍ଠାନ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଲାଗିରହିଛି । ଭାରତୀୟ ବାୟୁସେନାର ମିଗ୍-୨୧ ବିମାନ କ୍ରାସ୍ ରେ ନଷ୍ଟ ହୋଇଥିବାବେଳେ ବାୟୁସେନାର ଜଣେ ପାଇଲଟ୍ ନିଖୋଜ ଥିବା ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି । ଜବାବୀ ହମଲାରେ ପାକିସ୍ତାନୀ ବାୟୁସେନାର ଯୁଦ୍ଧ ବିମାନକୁ ଭାରତୀୟ ବାୟୁସେନା ଖସାଇଛି ବୋଲି ସୂଚନା ଦେଇଛି ବୈଦେଶିକ ମନ୍ତ୍ରଣାଳୟ । ନିଖୋଜ ଭାରତୀୟ ବାୟୁସେନାର ପାଇଲଟ୍ ଙ୍କୁ ପାକିସ୍ତାନ ବନ୍ଦୀ କରିଥିବା ଦାବି କରୁଛି । ପାକିସ୍ତାନର ଦାବି ସଂପର୍କୀତ ତଥ୍ୟର ଯାଞ୍ଚ କରାଯାଉଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ବାୟୁସେନାର ନିଖୋଜ ଥିବା ପାଇଲଟଙ୍କ ନାଁ ଅଭିନନ୍ଦନ ବୋଲି ଜଣାପଡିଛି । ତେବେ ଜଣେ ପାକିସ୍ତାନୀ ସାମ୍ବାଦିକ ବାୟୁସେନା ପାଇଲଟ ଅଭିନନ୍ଦନଙ୍କ ଫଟୋ ଟ୍ବିଟ୍ କରି ଏହା ଜଣାଇଛନ୍ତି । ପାକିସ୍ତାନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଭାରତୀୟ ବାୟୁସେନାର ପାଇଲଟ ଅଭିନନ୍ଦନ ବର୍ତ୍ତମାନ ପାକିସ୍ତାନରେ ବନ୍ଦୀ ଅଛନ୍ତି । ପାକିସ୍ତାନରେ ମୋଟ୍ ୨ ଭାରତୀୟ ପାଇଲଟ୍ ଅଛନ୍ତି ।
ଅନ୍ୟପଟେ ସୀମାରେ ସେନାବାହିନୀଙ୍କୁ ସଜାଗ ରଖାଯାଇଛି । ବାୟୁସେନାଙ୍କୁ ସଜାଗ ରହିବା ପାଇଁ କୁହାଯାଇଛି । ଆତଙ୍କୀ ଆକ୍ରମଣ ଆଶଙ୍କାରେ ଦେଶର ବିଭିନ୍ନ ସ୍ଥାନରେ ହାଇ ଆଲର୍ଟ ଜାରି କରାଯାଇଛି । ପଂଜାବ-ପଠାନକୋଟ ଜାତୀୟ ରାଜପଥରେ ପୋଲିସକୁ ହଟାଯାଇ ସେନା ମୁତୟନ କରାଯାଇଛି । ବିଭିନ୍ନ ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କେତେକ ବିମାନବନ୍ଦରରୁ ଉଡାଣ ବନ୍ଦ କରିଦିଆଯାଇଛି ।